Unknown

 

 

 

 

 

 

ଫେରନ୍ତା ପକ୍ଷୀ

ୱିସଲାୱା ସିମ୍ବୋର୍ସ୍କା

 

 

 

ଅନୁବାଦ

ଅରବିନ୍ଦ ବେହେରା

 

ଆଦ୍ୟକଥନ

 

ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡ ମଧ୍ୟରେ ବିଶ୍ୱର ଯେକୌଣସି ପ୍ରାନ୍ତର କବିମାନଙ୍କ ଚିନ୍ତା ଚେତନାରେ ଏକ ସାମଞ୍ଜସ୍ୟ ଥାଏ । ଏହି ସମଚିନ୍ତନ କିନ୍ତୁ ଅତ୍ୟତ ସୂକ୍ଷ୍ମ । ପରିବେଶ ଓ ପରିସ୍ଥିତି ଅନେକ ସମୟରେ ଦୃଷ୍ଟିଭଙ୍ଗୀରେ ଭିନ୍ନତା ଆଣେ । ଫଳରେ ଗୋଟିଏ ଦେଶ ବା ଭାଷାର କବିତା ଏବଂ ଅନ୍ୟ ଏକ ଦେଶ ବା ଭାଷାର କବିତା ମଧ୍ୟରେ କିଛିଟା ଭିନ୍ନତା ପରିଦୃଷ୍ଟ ହେବା ସ୍ୱାଭାବିକ । ଏପରି ଭିନ୍ନ ସ୍ୱାଦର କବିତା ପଠନ ପାଇଁ ଥାଏ ଏକ ଅନନ୍ୟ ଉତ୍କଣ୍ଠା । କିନ୍ତୁ ଭାଷା ଏଥିରେ ବାଧକ ସାଜେ ।

 

ଏହି ପରିପ୍ରେକ୍ଷୀରେ ଅନୁବାଦର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଭାଷାର ସୃଷ୍ଟିକୁ ଅନ୍ୟଭାଷାର ପାଠକ ପାଠିକାମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ଅନୁବାଦ ହିଁ ଏକମାତ୍ର ସମର୍ଥ ମାଧ୍ୟମ ।

 

ବିଶ୍ୱର ବିଭିନ୍ନ ଭାଷାରେ ରଚିତ ଉପାଦେୟ ରଚନା ସମୂହକୁ ଓଡ଼ିଆ ଭାଷାରେ ଅନୁବାଦ କରି ଓଡ଼ିଆ ପାଠକପାଠିକାମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରୟାସ ଅବ୍ୟାହତ ରଖିଛି । ସେହି କ୍ରମରେ ସାହିତ୍ୟରେ ନୋବେଲ୍ ପୁରସ୍କାର ବିଜେତା ବିଶିଷ୍ଟ କବି ୱିସଲାୱା ସିମ୍ବୋର୍ସ୍କାଙ୍କ କବିତା କେତୋଟିର ଓଡ଼ିଆ ରୂପାନ୍ତର ‘ଫେରନ୍ତା ପକ୍ଷୀ’ ଶିରୋନାମାରେ ପ୍ରକାଶ କରିବା ପାଇଁ ଯତ୍ନବାନ ହୋଇଛି ସାହିତ୍ୟ ଏକାଡେମୀ ।

 

ମଣିଷ ନିଜକୁ ପ୍ରକାଶ କରିବା ପାଇଁ ଭାଷାର ଆଶ୍ରୟ ନିଏ । କିନ୍ତୁ ମଣିଷର ହସକାନ୍ଦ, ସୁଖଦୁଃଖ ସଦା ଭାଷାର ଊର୍ଦ୍ଧ୍ୱରେ । ସେହି ମଣିଷ ବିଶ୍ୱର ମଣିଷ । ସେ ଭାଷା ଓ ଭୂଗୋଳର ସୀମା ଆରପାରିରେ ଠିଆ ହୋଇଥାଏ । ସେମିତି ମଣିଷ ଓ ତା’ର ଜୀବନ ସିମ୍ବୋର୍ସ୍କଙ୍କ କବିତାର ନାଭିକେନ୍ଦ୍ର ବୋଲି କୁହାଯାଏ ।

 

ଜୀବନମନସ୍କ ସିମ୍ବୋର୍ସ୍କାଙ୍କ ୫୭ଟି ଜୀବନବାଦୀ କବିତାର ସୁନ୍ଦର ଅନୁସୃଜନ କରିଛନ୍ତି ସମକାଳର ଜଣେ ସୁଖ୍ୟାତ ଅନୁବାଦକ ଡକ୍ଟର ଅରବିନ୍ଦ ବେହେରା । ଅନୁସୃଜନ ସୃଜନ ପରି ଏକ ନିଆରା କଳା । ଏପରିକି ସ୍ଥଳବିଶେଷରେ ସୃଜନଠାରୁ ଏହା ଅଧିକ ସାଧନାସାପେକ୍ଷ । କାରଣ ବୋଧଶକ୍ତି ଓ ସୃଜନକଳାର ସମନ୍ୱୟ ବିନା ଏହା ସମ୍ଭବ ହୁଏ ନାହିଁ । ଡକ୍ଟର ବେହେରା ଏତେ ସ୍ୱାଭାବିକ ଓ ସାବଲୀଳ ଭାବରେ କବିତାଗୁଡ଼ିକର ଭାଷାନ୍ତର କରିଛନ୍ତି ଯେ ଏହି ସଂକଳନଭୁକ୍ତ ଅନେକ କବିତା ମୌଳିକ ରଚନାପରି ମନେ ହୁଅନ୍ତି । ଏହି ଅନୁବାଦକଙ୍କ ଅନୁବାଦ-ନିପୁଣତାର ପରିଚାୟକ ।

 

ଆଶା, ଏହି କବିତା ଗ୍ରନ୍ଥଟି ବିପୁଳ ପାଠକୀୟ ଆଦୃତି ଲାଭ କରିବ ।

 

 

ବିଜୟ କୁମାର ନାୟକ

ଭୁବନେଶ୍ୱର

ସଚିବ

ତା. ୭.୧୧.୧୨

ଓଡ଼ିଶା ସାହିତ୍ୟ ଏକାଡେମୀ

 

ମୁଖବନ୍ଧ

 

ୱିସଲାୱା ସିମ୍ବୋର୍ସ୍କାଙ୍କ କବିତା ଓଡ଼ିଆରେ ଅନୁବାଦ କରିବା ଆରମ୍ଭ କରିଥିଲି, ସେ ନୋବେଲ୍ ପୁରସ୍କାର ପାଇବା ପରେ । ତାଙ୍କ କବିତାରେ ଏପରି କିଛି ବିଶେଷତ୍ୱ ଥିଲା ଯାହା ମୋତେ ସେଗୁଡ଼ିକୁ ବାରମ୍ବାର ପଢ଼ିବା ପାଇଁ ବାଧ୍ୟ କରିଥିଲା । ତା’ପରେ ହିଁ କବିତାଗୁଡ଼ିକୁ ଓଡ଼ିଆ ଭାଷାକୁ ଆଣିବାପାଇଁ ପ୍ରଚେଷ୍ଟା ଆରମ୍ଭ ହେଲା ।

 

ସିମ୍ବୋର୍ସ୍କା ୧୯୨୩ ମସିହାରେ ପଶ୍ଚିମ ପୋଲାଣ୍ଡର ଏକ ଛୋଟ ସହର ବିନିନ୍‍ରେ ଜନ୍ମଗ୍ରହଣ କରିଥିଲେ । ୧୯୩୧ରେ ସେ ତାଙ୍କ ପରିବାର ସହିତ କ୍ରାକୋ ସହରକୁ ସ୍ଥାନାନ୍ତରିତ ହୋଇଥିଲେ । ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲାବେଳେ ସେ ପୋଲାଣ୍ଡର ଅନ୍ୟତମ ନୋବେଲ୍ ପୁରସ୍କାର ବିଜେତା ଜେସ୍‍ ଲୋ ମିଲୋଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ।

 

ସିମ୍ବୋର୍ସ୍କା ପନ୍ଦରରୁ ଅଧିକ କବିତା ବହି ଲେଖିଛନ୍ତି । ଏହା ବ୍ୟତୀତ ତାଙ୍କ ରଚିତ ଗୋଟିଏ ଗଦ୍ୟ ସଂକଳନ ମଧ୍ୟ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ପୋଲାଣ୍ଡର ଇତିହାସ ଏବଂ ଷ୍ଟାଲିନ୍‍ଙ୍କ ଆବିର୍ଭାବ ସିମ୍ବୋର୍ସ୍କାଙ୍କ କବିତାର ପୃଷ୍ଠଭୂମିରେ ଥିଲେ ମଧ୍ୟ ସାଧାରଣ ମନେହେଉଥିବା ନିତିଦିନିଆ ଘଟଣା ମଧ୍ୟରେ ଲୁଚି ରହିଥିବା ବୃହତ୍ତର ସତ୍ୟମାନଙ୍କୁ ସେ ଆବିଷ୍କାର କରିବାକୁ ଚେଷ୍ଟା କରିଛନ୍ତି ତାଙ୍କ କବିତା ମାଧ୍ୟମରେ । ରାଜନୀତି ଠାରୁ ଭାବନାକୁ ସଂପୂର୍ଣ୍ଣ ଅଲଗା କରିବା ଅସମ୍ଭବ ବୋଲି ଭାବୁଥିଲେ ମଧ୍ୟ ସିମ୍ବୋର୍ସ୍କାଙ୍କ କବିତାଗୁଡ଼ିକ ମଧ୍ୟରେ ଅଧିକ ଥାଆନ୍ତି ମଣିଷମାନେ ଓ ସେମାନଙ୍କ ଜୀବନ । ଜେସ୍‍ ଲୋ ମିଲୋଙ୍କ ମତରେ ତାଙ୍କ କବିତା ଖୁବ୍ ଗମ୍ଭୀର, ସାମୁଏଲ୍ ବେକେଟ୍ ଓ ଫିଲିପ୍ ଲାର୍‍କିନ୍‍ଙ୍କ ନିରାଶାବୋଧ ତାଙ୍କ କବିତାରେ ଦେଖିବାକୁ ମିଳେ । କିନ୍ତୁ ପାର୍ଥକ୍ୟ ହେଉଛି ସିମ୍ବୋର୍ସ୍କା ଏପରି ଏକ ପୃଥିବୀର ସୂଚନା ଦିଅନ୍ତି ଯେଉଁଠି ଜଣେ ନିଃଶ୍ୱାସ ନେଇପାରିବ । ଷ୍ଟାନିସ୍ଳ ବାରାଂଜାକ୍‍ଙ୍କ ମତରେ ସିମ୍ବୋର୍ସ୍କାଙ୍କ କବିତାରେ ବୁଦ୍ଧି, ବିଜ୍ଞତା ଓ ଉଷ୍ମତା ଏସବୁ ଉପାଦାନ ସମାନ ଭାବରେ ଥାଏ ।

 

ସିମ୍ବୋର୍ସ୍କା ଥିଲେ ଅସ୍ୱାଭାବିକ ଭାବରେ ଲଜ୍ଜାଶୀଳ ଏବଂ ପ୍ରଚାରବିମୁଖ । ୧୯୯୬ରେ ଯେତେବେଳେ ନୋବେଲ୍ ପୁରସ୍କାର ଘୋଷଣା ହେଲା ସେ ବ୍ୟସ୍ତ ଓ ବିବ୍ରତ ହୋଇ ପଡ଼ିଥିଲେ, ଏଥିପାଇଁ ଯେ ତାଙ୍କ ଉପରେ କେନ୍ଦ୍ରୀଭୂତ ହେବ ବିଶ୍ୱବ୍ୟାପୀ ସମ୍ମାନ ଓ ସ୍ୱୀକୃତିର ଆଲୋକ ରଶ୍ମି । ପୁରସ୍କାର ଉତ୍ସବ ପୂର୍ବ ରାତିରେ ସେ ଅନେକ ସମୟ ହୋଟେଲ କୋଠରୀରେ ଗାଧୁଆ ଘରେ ଲୁଚି ରହିଥିଲେ । ପରବର୍ତ୍ତୀ ଦିନ ତାଙ୍କୁ ଏକ ବକ୍ତୃତା ଦେବାକୁ ପଡ଼ିବ ଏହା ଭାବି ତାଙ୍କୁ ଖୁବ୍ ଅସହାୟ ଲାଗିଥିଲା । ନୋବେଲ୍ ପୁରସ୍କାର ଗ୍ରହଣ ବକ୍ତୃତା ତାଙ୍କ ପାଇଁ ଥିଲା ଜୀବନର ତୃତୀୟ ବକ୍ତୃତା ମାତ୍ର । ଖ୍ୟାତି ଓ ଧନ, ଏହା ଥିଲା ତାଙ୍କ ପାଇଁ ବଡ଼ ବିପର୍ଯ୍ୟୟ ।

 

କବିତା ଓ କବିମାନଙ୍କ ସଂପର୍କରେ ସିମ୍ବୋର୍ସ୍କାଙ୍କ ମତ ତାଙ୍କ ନୋବେଲ ବକ୍ତୃତାରେ ସେ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି । ଏହି କାରଣରୁ ସେହି ବକ୍ତୃତାଟିକୁ ମଧ୍ୟ ଏହି ସଂକଳନରେ ସ୍ଥାନିତ କରାଯାଇଛି । ନୋବେଲ କମିଟି ତାଙ୍କ ମାନପତ୍ରରେ କହିଥିଲେ, ସେ ମାଜାର୍ଟଙ୍କ କରି ସହଜରେ ଏବଂ ବିଥୋଭେନ୍‍ଙ୍କ ପରି ଉତ୍ତାଳ ଢଙ୍ଗରେ ଲେଖି ପାରନ୍ତି ।

 

ଇତିହାସର ଅପରିବର୍ତ୍ତନୀୟ ପରିଣତିରେ ବିଶ୍ୱାସ କରୁଥିବା ପାର୍ଟି କର୍ମକର୍ତ୍ତାଙ୍କ ବିରୋଧରେ ଜଣେ ବ୍ୟକ୍ତିର ବିଦ୍ରୋହ ସିମ୍ବୋର୍ସ୍କାଙ୍କ କବିତାରେ ଫୁଟି ଉଠେ ପରିଷ୍କାର ଭାବରେ ତାଙ୍କ କବିତାରୁ ଦୁଇଟି ଧାଡ଼ି ଉଦ୍ଧାର କରାଯାଇପାରେ ।

 

I believe in the refusal to take part

I believe in the ruined career.

 

କୌଣସି ବିଷୟରେ ଅପରିବର୍ତ୍ତନୀୟ ସିଦ୍ଧାନ୍ତଟିଏ ରହିଛି, ଏଥିରେ ସିମ୍ବୋର୍ସ୍କା ବିଶ୍ୱାସ କରୁ ନ ଥିଲେ । ସନ୍ଦିଗ୍ଧତା ଥିଲା ତାଙ୍କର ବିଶ୍ୱାସ ଓ ଦୃଷ୍ଟିଭଙ୍ଗୀର ଏକ ମୁଖ୍ୟ ଉପାଦାନ । ଏକ ଗମ୍ଭୀର ଦର୍ଶନ ଥିବା ବିଷୟଟିକୁ ବର୍ଣ୍ଣନା କଲାବେଳେ ତାଙ୍କ ରହସ୍ୟବୋଧରେ ଥିଲା ଏକ ଅଦମନୀୟ ଦୁଷ୍ଟାମି ।

 

ପ୍ରତ୍ୟେକ କବି ତା’ କବିତାଟି ଲେଖିବାବେଳେ ଏଇ ପିଲାଳିଆ ଦୁଷ୍ଟାମିକୁ ଅକ୍ଷୁର୍ଣ୍ଣ ରଖୁ, ଏହି ଆଶା ଓ ବିଶ୍ୱାସ ସହିତ ମୁଁ ସିମ୍ବୋର୍ସ୍କାଙ୍କ କବିତାର ଏକ ନିର୍ବାଚିତ ସ୍ତବକ ଓଡ଼ିଆ ପାଠକମାନଙ୍କ ସମ୍ମୁଖରେ ନମ୍ରତାର ସହ ପରିବେଶଣ କରୁଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଏହାକୁ ପ୍ରକାଶ କରୁଥିବାରୁ କୃତଜ୍ଞତାର ହକଦାର । ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ରାମହରି ଜେନା ଚିତ୍ରଗୁଡ଼ିକୁ ଆଙ୍କି ପୁସ୍ତକର ଅଳଙ୍କରଣରେ ସାହାଯ୍ୟ କରିଛନ୍ତି । ଏଥିପାଇଁ ତାଙ୍କଠରେ ମୁଁ କୃତଜ୍ଞ । ଆଉ ସେହି ବନ୍ଧୁମାନଙ୍କୁ ଧନ୍ୟବାଦ ଯେଉଁମାନେ ସିମ୍ବୋର୍ସ୍କାଙ୍କ କବିତା ପଢ଼ି ଶୁଣାଇବାରେ ମୋର ଅହେତୁକ ଉତ୍ସାହକୁ ସହ୍ୟ କରିଛନ୍ତି ନୀରବରେ, ବିନା ପ୍ରତିବାଦରେ ।

 

ଅରବିନ୍ଦ ବେହେରା

 

ସୂଚୀପତ୍ର

 

୧.

ଆକାଶ

୨.

ମେଘ

୩.

ଗୋଟିଏ ସ୍ଵପ୍ନ

୪.

ଶତାବ୍ଦୀର ମୋଡ଼

୫.

ପ୍ରଥମ ଦେଖାରେ ପ୍ରେମ

୬.

ଆମ ସମୟର ପିଲା

୭.

ଶେଷ ଓ ଆରମ୍ଭ

୮.

ଘୃଣା

୯.

ବାସ୍ତବତା ଦାବୀକରେ

୧୦.

କିଛି ଲୋକ

୧୧.

ମୁଁ ତା ପାଇଁ ଖୁବ୍‌ ନିକଟ

୧୨.

ଜସ୍‌ଲୋରେ ଅନାହାର ଶିବିର

୧୩.

ଫେରନ୍ତା ପକ୍ଷୀ

୧୪.

ଉପରୁ ଦେଖିଲେ

୧୫.

ସ୍ତୋତ୍ର

୧୬.

ନିର୍ଯ୍ୟାତନା

୧୭.

ଚାରାଗଛମାନଙ୍କ ନୀରବତା

୧୮.

ଏକ ଟିପ୍‌ପଣୀ

୧୯.

ଏକ ବଡ଼ ସଂଖ୍ୟା

୨୦.

ଉଦ୍‌ବୃତ୍ତ

୨୧.

ଘଟଣାମାନଙ୍କର ଏକପ୍ରକାର ବର୍ଣ୍ଣନା

୨୨.

କୌଣସି ଶୀର୍ଷକ ଆବଶ୍ୟକ ନାହିଁ

୨୩.

ଏକ ଧନ୍ୟବାଦ ଟିପ୍‌ପଣୀ

୨୪.

କୌଣସି ଏକ କ୍ଷୁଦ୍ର ତାରା ତଳେ

୨୫.

କେତେ ଅଲୌକିକ ଘଟଣା

୨୬.

ଜଣେ ମହାନ୍‌ ବ୍ୟକ୍ତିଙ୍କ ଘର

୨୭.

ପୋଲ ଉପରେ ଲୋକ

୨୮.

କିଛିଲୋକ କବିତାକୁ ଭଲ ପାଆନ୍ତି

୨୯.

ମୃତ୍ୟୁ ଉପରେ, ବିନା ଅତିରଞ୍ଜନରେ

୩୦.

ପିଏଟା

୩୧.

ପାରିଥାନ୍ତା

୩୨.

ମୃତମାନଙ୍କ ଚିଠି

୩୩.

ବିଜ୍ଞାପନ

୩୪.

ସତ ଭଲ ପାଇବା

୩୫.

ଲେଖିବାର ଖୁସି

୩୬.

ଅନୁସରଣ

୩୭.

ଏ କବିତାଟି କାହା ସମ୍ମାନରେ

୩୮.

ଗୋଟିଏ ପିଲା ସହିତ ସାକ୍ଷାତକାର

୩୯.

ପରିସଂଖ୍ୟାନ - ଦୁଇପଦ

୪୦.

ହଜାଇବା ଓ ପାଇବା ସ୍ଥାନରେ ଭାଷଣଟିଏ

୪୧.

ପଥର ସହିତ କଥାବାର୍ତ୍ତା

୪୨.

ସ୍ପଷ୍ଟ ଦିବାଲୋକରେ

୪୩.

ଆମ ପୂର୍ବଜମାନଙ୍କ ଛୋଟ ଜୀବନ

୪୪.

ପ୍ରତ୍ନତତ୍ତ୍ୱ

୪୫.

ଏକ ବାଲିକଣା ସହ ଦୃଶ୍ୟ

୪୬.

ମୋ ଅପାର ପ୍ରଶଂସାରେ

୪୭.

ପରୀକ୍ଷା

୪୮.

ଘରକୁ ଫେରି

୪୯.

ମେ ୧୬, ୧୯୭୩

୫୦.

ଆମେ ଖୁବ୍‌ ଭାଗ୍ୟବାନ୍‌

୫୧.

ଚେତାବନୀ

୫୨.

ଆତ୍ମା ସମ୍ପର୍କରେ କେତୋଟି ଶବ୍ଦ

୫୩.

ଖୋଲାପଣ

୫୪.

ଜୀବନବୃତ୍ତାନ୍ତର ସଂକ୍ଷିପ୍ତ ବିବରଣୀ ଲେଖା

୫୫.

ଆବିଷ୍କାର

୫୬.

ଏକ ଭୂଭାଗର ଦୃଶ୍ୟ

୫୭.

କେବେ ହୋଇନଥିବା ହିମାଳୟ ଅଭିଯାନ ଉପରେ ଏକ ଟିପ୍‌ପଣୀ

Image

 

ଆକାଶ

 

ଆକାଶ ସେଇଠି, ଯେଉଁଠାରୁ ଆମେ

ଆରମ୍ଭ କରିଥାନ୍ତୁ;

ଚଉକାଠ, କାଚ ନଥିବା ଝରକା,

ବାହାରକୁ ଏକ ବଡ଼ ଖୋଲା ଫାଙ୍କ,

ତା’ପରେ କିଛି ନଥାଏ ।

ମୋତେ ତାରା ଖଚିତ ରାତି ପାଇଁ

ଅପେକ୍ଷା କରିବାକୁ ପଡ଼େନା,

ଆକାଶକୁ ଚାହିଁବା ପାଇଁ

ବେକ ବଙ୍କା କରିବାକୁ ହୁଏନା ।

ମୋ ପଛରେ ଆକାଶ ଥାଏ,

ଏତେ ପାଖରେ, ମୋ ଆଖି ପତା ଉପରେ ।

ଆକାଶ ହିଁ ମୋତେ ଜାବୁଡ଼ି ଧରେ,

ଆଉ ତଳୁ ଉପରକୁ ଉଠାଇ ନିଏ ।

ଗଭୀରତମ ଉପତ୍ୟକାଠାରୁ ଉଚ୍ଚତମ ଶୃଙ୍ଗମାନ

ଆକାଶ ନିକଟରେ ନଥାନ୍ତି ।

କୌଣସି ସ୍ଥାନରେ ଏହା ବେଶୀ ନଥାଏ,

ଆଉ କେଉଁ ସ୍ଥାନ ଠାରୁ ।

ମେଘଟିକୁ ଯେତିକି ନିର୍ମମ ଭାବରେ ଚାପି ଧରିଥାଏ,

ସମାଧିଟି ମଧ୍ୟ ସେତିକି ଚାପି ହୋଇ ରହିଥାଏ ।

ଚୁଚୂନ୍ଦ୍ରାଟି ଉଚ୍ଚ ମନେ ହୁଏ, ଆକାଶ ପରି,

ଡେଣା ଫଡ୍‌ ଫଡ୍‌ କରୁଥିବା ପେଚା ଯେମିତି,

ଯାହା ଗଭୀର ଗର୍ତ୍ତ ଭିତରେ ପଡ଼େ,

ଆକାଶରୁ ଆକାଶକୁ ପଡ଼ୁଥାଏ;

ଭଜା ହୋଇ ପାରୁଥିବା,

ପତଳା, ପଥୁରିଆ, ଦହନଶୀଳ,

ଆକାଶର କ୍ଷଣସ୍ଥାୟୀ ବିସ୍ତୃତି,

ଆକାଶରୁ ଚେନାଏ ଚେନାଏ,

ଦଲକାଏ ପବନ ପରି ଆସୁଥିବା ଆକାଶ,

ଜମା ହୋଇଥିବା ଆକାଶ;

ଆକାଶ ସର୍ବବ୍ୟାପୀ,

ଚମ ତଳର ଅନ୍ଧାର ଭିତରେ ବି ।

ମୁଁ ଆକାଶକୁ ଖାଏ, ଦେହରୁ ବର୍ଜନ କରେ,

ମୁଁ ଯନ୍ତାରେ ପଡ଼ିଥିବା ଗୋଟିଏ ଯନ୍ତା,

ଅଧିକୃତ ହୋଇଥିବା ଜଣେ ଅଧିବାସୀ,

ଆଶ୍ଲେଷରେ ଥିବା ଏକ ଆଲିଙ୍ଗନ,

ପ୍ରଶ୍ନର ଉତ୍ତର ଦେଉଥିବା ଏକ ପ୍ରଶ୍ନ ।

ପୃଥିବୀ ଓ ଆକାଶକୁ ଭାଗ କରିବା

ଠିକ୍‌ ରାସ୍ତା ନୁହେଁ-

ଏଇ ସମଗ୍ରତା ବିଷୟରେ ଭାବିବା ।

ବଞ୍ଚିବା ପାଇଁ ଏହା କେବଳ ଅନୁମତି ଦିଏ

ଏକ ଠିକଣାରେ, ଯାହା ଆହୁରି ସଂକ୍ଷିପ୍ତ;

ମୋତେ ଯଦି ଖୋଜାଯାଏ

ମୁଁ ଯେଉଁଠି ଶୀଘ୍ର ମିଳିଯିବି।

ଉଲ୍ଲାସ ଓ ବିଷାଦ

ଯାହା ମୋର ପରିଚୟ ଚିହ୍ନ ।

Image

 

ମେଘ

 

ମେଘ ମାନଙ୍କର ବର୍ଣ୍ଣନା

ମୋତେ ତରବର ହୋଇ କରିବାକୁ ପଡ଼ିବ-

ସେକେଣ୍ଡର ଭଗ୍ନାଂଶ ମଧ୍ୟରେ,

ସେମାନେ ଯେମିତି ଥିଲେ, ସେମିତି ନାହାନ୍ତି,

ସେମାନେ ଅଲଗା ହୋଇଯାଇଛନ୍ତି ।

ଏଇଟା ସେମାନଙ୍କ ପ୍ରକୃତି,

କେବେ ପୁନରାବୃତ୍ତି ନ କରିବା-

ଆକାର, ରଙ୍ଗ, ଠାଣି ଓ ସାଜସଜ୍ଜା ।

କାହାରି ସ୍ମୃତିର ବୋଝ ନ ବୋହି

ସେମାନେ ଅନାୟାସରେ ଭାସୁଥାନ୍ତି, ତଥ୍ୟର ବହୁ ଉପରେ

କି ପ୍ରକାର ସାକ୍ଷୀ ସେମାନେ-

ଯେଉଁମାନେ ମୁହୂର୍ତ୍ତକ ମଧ୍ୟରେ ଘୁଞ୍ଚିଯାଆନ୍ତି।

ମେଘମାନଙ୍କୁ ଦେଖିଲେ ମନେ ହୁଏ

ଜୀବନ ଯେମିତି ବସିଯାଇଛି,

ପ୍ରାୟ ଚିରସ୍ଥାୟୀ, କିନ୍ତୁ ଅମର ନୁହେଁ ।

ମେଘ ନିକଟରେ

ପଥରଟିଏ ବି ଭାଇପରି ଦେଖାଯାଏ,

ତୁମେ ସେମାନଙ୍କ ଉପରେ ନିର୍ଭର କରିପାରିବ

ଯଦିଓ ସେମାନେ ଦୂରନ୍ତ ଓ ପଳାତକ ଭାଇ ।

ଲୋକ ଯଦି ଚାହିଁବେ, ହୋଇ ପାରିବେ;

ଜଣକ ପରେ ଜଣେ ପ୍ରତ୍ୟେକ ମରନ୍ତି-

ତାଙ୍କ ପାଇଁ, ମେଘ, ବା ଅନ୍ୟ କାହାର

କିଛି ମହତ୍ତ୍ୱ ନଥାଏ;

ବାସ୍ତବରେ, ଏଇଟା ବଡ଼ ଆଶ୍ଚର୍ଯ୍ୟ କଥା ।

ତୁମ ଜୀବନ ସାରା,

ଆଉ ମୋର-ତଥାପି ସମଗ୍ର ନୁହେଁ,

ସେମାନେ ଜାକଜମକରେ ପ୍ୟାରେଡ଼ କରନ୍ତି,

ଆରମ୍ଭରୁ ଯେମିତି କରୁଥିଲେ ।

ଆମେ ମଲାବେଳେ

ସେମାନେ ନିଃଶେଷ ହେବାକୁ ବାଧ୍ୟ ନୁହନ୍ତି:

ଉଡ଼ିବା ପରି ଦେଖାଯିବା

ତାଙ୍କର କିଛି ଆବଶ୍ୟକ ନାହିଁ ।

Image

 

ଗୋଟିଏ ସ୍ଵପ୍ନ

 

ମୋର ଯୁଦ୍ଧରେ ମରିଥିବା,

ମୋର ପାଉଁଶରେ ପରିଣତ, ମୋ ପୃଥିବୀ,

ଫଟୋରେ ଥିବା ଆକାର ନେଇ :

ତା ମୁହଁରେ ପତ୍ରର ଛାଇ, ହାତରେ ଶାମୁକା,

ସେ ମୋ ସ୍ଵପ୍ନ ଭିତରକୁ ମାଡ଼ିଆସେ ।

କାହିଁ କେବେଠାରୁ ବରଫ ହୋଇଯାଇଥିବା

ଅନ୍ଧାରରେ ସେ ବୁଲେ,

ସବୁବେଳ ପାଇଁ ତା ଆଡ଼କୁ

ଖୋଲାଥିବା ଶୂନ୍ୟତା ଦେଇ-

ସାତଥର, ସାତଥର, ସାତଟି ନୀରବତା ଦେଇ ।

ମୋ ଆଖିପତାର ଭିତର ପାଖରେ

ସେ ଉଭା ହୁଏ,

ସେ ପ୍ରବେଶ କରି ପାରୁଥିବା

ଏକ ମାତ୍ର ପୃଥିବୀରେ;

ତା’ର ବିଦ୍ଧ ହୋଇଥିବା ହୃଦୟ ସ୍ପନ୍ଦିତ ହୁଏ,

ତା କେଶରୁ

ଏକ ପ୍ରାଗୈତିହାସିକ ପବନ ଦଲ୍‌କି ଆସେ ।

ଆମ ଭିତରେ ଘାସ ପଡ଼ିଆ ଉଠିଆସେ

ମେଘ ଓ ପକ୍ଷୀ ସହ ଆକାଶ ଉଡ଼ିଆସେ,

ଦିଗ୍‌ବଳୟରେ ପାହାଡ଼ମାନେ

ନୀରବରେ ହଠାତ୍‌ ଉପରକୁ ଉଠନ୍ତି;

ଆଉ ନଦୀ, ସାଗରର ସନ୍ଧାନରେ ବହିଯାଏ ।

ଜଣେ ଏତିକି ଦୂର ଦେଖିପାରିବ, ଏତିକି ଦୂର,

ସେଇ ଦିନ ଓ ରାତି ଆସନ୍ତି ଏକାଠି

ଏବଂ ଏକାଥରେ ଅନୁଭବ କରିହୁଏ

ସବୁ ୠତୁମାନଙ୍କୁ ।

ଜହ୍ନ ତା’ର ଚାରି ପରସ୍ତ ପଙ୍ଖା ଖୋଲେ,

ପ୍ରଜାପତିମାନଙ୍କ ସହ ପତଳା ବରଫ ଖଣ୍ଡ ଘୁରି ବୁଲନ୍ତି,

ଆଉ ଫୁଲ ଫୁଟିଥିବା ଗଛରୁ

ଫଳଟିଏ ଖସିପଡ଼େ ।

ଆମେ ପରସ୍ପର ଆଡ଼କୁ ଆସୁ ।

ମୁଁ ଜାଣେନା ଆମ ଆଖିରେ ଲୁହ ଥାଏ କି ନାହିଁ,

ବା ଆମେ ହସୁଥାଉ ।

ଆଉ ଗୋଟିଏ ପାଦ

ଏବଂ ଆମେ ତୁମର ଶାମୁକାକୁ ଶୁଣିବୁ,

କି ଶବ୍ଦ ସେ, ସହସ୍ର ବାଦ୍ୟଯନ୍ତ୍ର ପରି,

କି ବିବାହ ଶୋଭାଯାତ୍ରା !

Image

 

ଶତାବ୍ଦୀର ମୋଡ଼

 

ଅନ୍ୟ ମାନଙ୍କଠାରୁ ଏହା ଶ୍ରେଷ୍ଠତର ହେବା କଥା,

ଆମ ବିଂଶ ଶତାବ୍ଦୀ ।

କିନ୍ତୁ ଏହା ପ୍ରମାଣ କରିବାକୁ ତାର ସମୟ ହେବନି,

ଆଉ ଅଳ୍ପ ମାତ୍ର ଆୟୁଷ ଅଛି ତାର,

ତା ପାଦ ଟଳମଳ,

ନିଃଶ୍ୱାସ...

ଅନେକ କିଛି ଘଟିଗଲାଣି

ଯାହା ଘଟିବାର ନଥିଲା,

ଆଉ ଯାହା ଆସିବାର ଥିଲା

ଏଯାଏ ଆହୁରି ଆସିନାହିଁ ।

 

ବସନ୍ତ ତା’ ରାସ୍ତାରେ ଥିବା କଥା

ଏବଂ ଅନ୍ୟ ସବୁ କଥା ଭିତରେ ସୁଖ ଗୁଡ଼ାକ;

ପାହାଡ଼ ଓ ଉପତ୍ୟକା ଛାଡ଼ି ଭୟ ଯିବାର ଥିଲା,

ମିଛ ଆଗରୁ ସତ ସରିବାର ଥିଲା ।

କେତେକ ଦୁର୍ଯୋଗ

ଆଉ କେବେ ହେଲେ ଘଟିବାର ନଥିଲା ।

 

ଯେମିତି ଯୁଦ୍ଧ ଓ କ୍ଷୁଧା ଓ ସେହିପରି ଆଉସବୁ ।

ଅସହାୟର ଅସହାୟ ପଣିଆ

ସମ୍ମାନ ପାଇବାକୁ ଥିଲା;

ସେଇ ଏକା କଥା, ବିଶ୍ଵାସ ଇତ୍ୟାଦି ପାଇଁ ।

 

ଯଦି କେହି ପୃଥିବୀକୁ ଉପଭୋଗ

କରିବାକୁ ଚାହେଁ,

ତାକୁ ସାମ୍ନା କରିବାକୁ ପଡ଼େ

ଏକ ଅସମ୍ଭବ ଆହ୍ଵାନ ।

ବୋକାମି ହସ କଥା ନୁହେଁ,

ବିଜ୍ଞତା ଆନନ୍ଦ ଦିଏ ନାହିଁ ।

 

ଆଶା

ଆଉ ସେଇ କିଶୋରୀ ଝିଅଟି ନୁହେଁ,

ଇତ୍ୟାଦି-ହାୟ !

ଶେଷରେ ଈଶ୍ଵର ମଣିଷକୁ

ବିଶ୍ଵାସ କରିବାକୁ ଥିଲା :

ଉତ୍ତମ ଓ ଶକ୍ତିଶାଳୀ

କିନ୍ତୁ ଉତ୍ତମ ଓ ଶକ୍ତିଶାଳୀ

ତଥାପି ଦୁଇଜଣ ସ୍ଵତନ୍ତ୍ର ମଣିଷ ।

 

କେମିତି ବଞ୍ଚିବାକୁ ହେବ-

ମୋତେ ଜଣେ ଚିଠିରେ ପଚାରିଲା,

ସେଇ ଜଣକ, ଯାହାକୁ

ମୁଁ ସେଇ ପ୍ରଶ୍ନଟି ପଚାରିଥାନ୍ତି ।

 

ପୁନର୍ବାର ଏବଂ ସବୁଥର ପରି

ଯେମିତି ଉପରେ ଦେଖାଯାଇଛି,

ଯେଉଁ ପ୍ରଶ୍ନଠାରୁ ଆଇ କିଛି ଜରୁରୀ ନାହିଁ

ସରଳ ପ୍ରଶ୍ନ ଗୁଡ଼ିକ ଠାରୁ ।

Image

 

ପ୍ରଥମ ଦେଖାରେ ପ୍ରେମ

 

ସେମାନେ ନିଶ୍ଚିତ,

ଯେ ହଠାତ୍‌ ଏକ ଭାବନା ସେମାନଙ୍କୁ ଏକାଠି କଲା,

ଏପରି ନିଶ୍ଚିତତା ଖୁବ୍‌ ସୁନ୍ଦର

କିନ୍ତୁ ଅନିଶ୍ଚିତତା ଆହୁରି ସୁନ୍ଦର ।

ସେମାନେ ଭାବନ୍ତି,

ଯେହେତୁ ସେମାନେ ପୂର୍ବରୁ

ପରସ୍ପରକୁ ଜାଣି ନଥିଲେ,

ତାଙ୍କ ଭିତରେ କେବେ କିଛି ହୋଇନଥିଲା ।

କିନ୍ତୁ ସେମାନେ କଣ କହିବେ :

ସେଇ ରାସ୍ତା, ପାହାଚ ଓ ବାରଣ୍ଡା

ଯାହା ଉପରେ ବହୁଦିନ ଧରି

ସେମାନେ ପରସ୍ପରକୁ ଅତିକ୍ରମ କରିଥିବେ ?

ମୁଁ ସେମାନଙ୍କୁ ପଚାରିବି,

ତମର କଣ ମନେ ନାହିଁ-

ହୁଏତ ମୁହାଁମୁହିଁ ଥରେ

ଘୂର୍ଣ୍ଣାୟମାନ ଦ୍ଵାର ପାଖରେ ?

କ୍ଷମା କରିବେ-ଏକ ଭିଡ଼ ଭିତରେ ?

ଫୋନରେ ଶୁଣାଯାଇଥିବା

‘ଏକ ଭୁଲ୍‌ ନମ୍ବର’ ?

-କିନ୍ତୁ ମୁଁ ସେମାନଙ୍କ ଉତ୍ତର ଜାଣେ ।

ନାଁ, ସେମାନଙ୍କର ମନେ ନାହିଁ ।

ସେମାନେ ଖୁବ୍‌ ଆଶ୍ଚର୍ଯ୍ୟ ହେବେ,

ଏଇଥି ପାଇଁ ଯେ, ବହୁଦିନ ଧରି

ସୁଯୋଗ ସେମାନଙ୍କ ସହ ଖେଳୁଥିଲା ।

ସେମାନଙ୍କ ଭାଗ୍ୟରେ ପରିଣତ ହେବା ପାଇଁ

ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନୁହେଁ,

ଏହା ସେମାନଙ୍କୁ ଏକାଠି କରିବ,

ଅଲଗା କରିଦେବ,

ତାଙ୍କ ରାସ୍ତାରେ ଅଟକେଇ ଦେବ,

ଏବଂ ଖିଲି ଖିଲି ହସଟିକୁ ଗିଳି

ଏକ ପାଖକୁ ଡେଇଁ ପଡ଼ିବ ।

ସୂଚନା ଓ ସନ୍ତକ ମାନ ଥିଲେ

କ’ଣ ହେଲା ଯଦି ସେଗୁଡ଼ିକୁ ପଢ଼ି ହେଲାନି;

ହୁଏତ ତିନିବର୍ଷ ତଳେ,

କିମ୍ବା ଗତ ମଙ୍ଗଳବାର

ପତ୍ରଟିଏ ଉଡ଼ିଗଲା

ବାହୁରୁ ବାହୁକୁ,

କିଛି ହଜିଗଲା ଏବଂ କିଏ ତାକୁ ଉଠାଇଲା,

କିଏ ଜାଣେ ଏହା ପେଣ୍ଡୁଟିଏ ନଥିଲା-

ଶୈଶବର କୌଣସି ଜଙ୍ଗଲରେ ?

ସେଇଠି ଦର୍ଜାର ଗୋବ ଓ ଘଣ୍ଟି ଥିଲା,

ଯେଉଁଠି ସ୍ପର୍ଶ ଉପରେ ସ୍ପର୍ଶ ଥିଲା

ଆଗରୁ,

ବାକ୍‌ସ ତନଖି ସ୍ଥାନରେ

ଗୋଟିକ ପରେ ଗୋଟିଏ ବାକ୍‌ସ,

ହୋଇପାରେ-

ଗୋଟିଏ ରାତିରେ

ସେଇ ଏକା ସ୍ଵପ୍ନ,

ଯାହା ନିଦ୍ରାଭଂଗପରେ

ଅସ୍ପଷ୍ଟ ହୋଇଯାଏ ।

ପ୍ରତ୍ୟେକ ଆରମ୍ଭ

ଯାହା ହେଲେ ବି

ଗୋଟିଏ କ୍ରମିକତା ଛଡ଼ା

ଆଉ କିଛି ନୁହେଁ,

ଏବଂ ଘଟଣାବଳୀର ପୁସ୍ତକଟି

ସବୁବେଳେ

ମଝିରେ ହିଁ ଖୋଲାଥାଏ ।

Image

 

ଆମ ସମୟର ପିଲା

 

ଆମେ ଆମ ଯୁଗର ପିଲା,

ଆମ ଯୁଗ ରାଜନୀତିର ।

ସବୁ ବ୍ୟାପାର, ଦିନ, ରାତି,

ତୁମର, ଆମର, ସେମାନଙ୍କର

ସବୁ ରାଜନୈତିକ ବ୍ୟାପାର ।

ତମକୁ ଭଲ ଲାଗୁ ବା ନ ଲାଗୁ,

ତୁମ ଜିନ୍‌ରେ ରାଜନୈତିକ ଅତୀତ ଅଛି,

ତୁମ ଚର୍ମରେ ରାଜନୈତିକ ଭୂମିକା,

ତୁମ ଆଖିରେ ରାଜନୈତିକ ଦିଗ ।

ତୁମେ ଯାହା କୁହ

ତା’ର ଏକ ପ୍ରତିଧ୍ଵନୀ ଅଛି,

ତୁମେ ଯାହା ବିଷୟରେ ନୀରବ,

ତାହା ମର୍ମସ୍ପର୍ଶୀ ।

ଯେମିତି ଦେଖିଲେବି,

ଇଏ ହେଉଛି ରାଜନୈତିକ ।

ପାହାଡ଼କୁ ଯାଉଥିଲେ ବି ।

ତୁମେ ରାଜନୈତିକ ପଦକ୍ଷେପ ନେଇଛ,

ରାଜନୈତିକ କାରଣରୁ ।

ଏପରିକି ଅଣରାଜନୈତିକ କବିତା ମଧ୍ୟ

ରାଜନୈତିକ,

ଏବଂ ଆମ ମଥା ଉପରେ ଜହ୍ନ ଝଲସୁଥାଏ ।

ଏବେ ଆଉ ଚାନ୍ଦ୍ରାୟଣ ନୁହେଁ

ହେବି କି ହେବିନି-ତାହା ହିଁ ପ୍ରଶ୍ନ ।

ପ୍ରଶ୍ନ ? କି ପ୍ରଶ୍ନ ? ପ୍ରିୟ,

ଏଇଠି ଅଛି ପ୍ରସ୍ତାବଟିଏ :

ଏକ ରାଜନୈତିକ ପ୍ରଶ୍ନ ।

ଏପରିକି ତୁମକୁ ମଣିଷ ହେବାକୁ ପଡ଼ିବନି,

ରାଜନୈତିକ ଗୁରୁତ୍ୱ ପାଇବା ଲାଗି,

ଅଶୋଧିତ ତେଲରେ କାମ ଚଳିବ,

କିମ୍ବା ଦ୍ରବୀଭୂତ ଖାଦ୍ୟ,

ବା ଅନ୍ୟ କିଛି କଞ୍ଚାମାଲ ।

କିମ୍ବା ଏପରିକି ଗୋଟିଏ

ବୈଠକ ଟେବୁଲ,

ଯାହାର ଆକାରକୁ ନେଇ

ଗୋଳମାଳ ଲାଗିଥିଲା ମାସ ମାସ;

ଆମେ କେଉଁଠି ଜନ୍ମ ଓ ମୃତ୍ୟୁ ପାଇଁ

ମୁଲଚାଲ କରିବା ଉଚିତ୍‌ ହେବ,

ଗୋଲାକାର ବା ବର୍ଗାକାର ଟେବୁଲ୍‌ରେ ?

ଏହା ଭିତରେ ଲୋକ ମରୁଥିଲେ,

ପଶୁମାନେ ନଷ୍ଟ ହେଉଥିଲେ,

ଘରମାନେ ଜଳୁଥିଲେ,

ଶସ୍ୟକ୍ଷେତ୍ର ଜଙ୍ଗଲ ହେଉଥିଲା,

ଠିକ୍‌ ସେମିତି

ବହୁ ପୁରାତନ କାଳରେ,

ଯାହା କମ୍‌ ରାଜନୈତିକ ଥିଲା ।

Image

 

ଶେଷ ଓ ଆରମ୍ଭ

 

ପ୍ରତି ଯୁଦ୍ଧ ପରେ

କାହାକୁ ନା କାହାକୁ ସଫା କରିବାକୁ ପଡ଼ିବ ।

ଯାହା ହେଲେବି

ଆପେ ଆପେ ସବୁ ଠିକ୍‌ ହେବନି ।

କେହି ଜଣେ ଭଙ୍ଗା ଟୁକୁରା ଗୁଡ଼ାକୁ

ରାସ୍ତା ମଝିରୁ ଠେଲି ଦେବାକୁ ପଡ଼ିବ,

ଶବ ବୋଝେଇ ଗାଡ଼ି ମାନଙ୍କ

ଯାତାୟାତ ପାଇଁ ।

କାହାକୁ ହେଲେ ଘାଣ୍ଟି ହେବାକୁ ପଡ଼ିବ

ମଇଳା ଓ ପାଉଁଶରେ,

ସୋଫା ସ୍ପ୍ରିଙ୍ଗ୍‌, ଭଙ୍ଗା କାଚ ଖଣ୍ଡ

ଓ ରକ୍ତାକ୍ତ ଲୁଗାରେ ।

କାହାକୁ ଲୁହା ଧାରଣାଟିଏ ଟାଣି ଆଣିବାକୁ ହେବ

କାନ୍ଥରେ ଠେସ ଦେବା ପାଇଁ,

କାହାକୁ ଝରକାରେ ରଙ୍ଗ ଦେବାକୁ ହେବ

ଓ କବାଟକୁ ପୁଣି ଝୁଲାଇବାକୁ ପଡ଼ିବ ।

ଫଟୋରେ ଏ ଗୁଡ଼ାକ ଭଲ ଦେଖାଯାଏନି,

ପୁଣି ବର୍ଷ ବର୍ଷ ଲାଗେ;

ସବୁ କ୍ୟାମେରା ଚାଲି ଯାଇଛି

ଆଉ ଏକ ଯୁଦ୍ଧ ପାଇଁ ।

ପୋଲ ଗୁଡ଼ାକ ଆମର ପୁଣି ଦରକାର,

ନୂଆ ରେଳଷ୍ଟେସନ,

କାମିଜ୍‌ର ହାତ ଗୁଡ଼ାକ ଛିଣ୍ଡିବ

ବାରମ୍ବାର ମୋଡ଼ା ହୋଇ ।

ହାତରେ ଝାଡ଼ୁ ଧରି କେହି ଜଣେ

ତଥାପି ମନେ ପକାଉଛି-

କେମିତି ସବୁ ଥିଲା

ଆଉ କେହି ଜଣେ ଶୁଣେ,

ଏବଂ ଗଣ୍ଡିରୁ ଅଲଗା ହୋଇ ନଥିବା

ମୁଣ୍ଡଟି ଟୁଙ୍ଗାରେ ।

କିନ୍ତୁ ପାଖରେ ଲୋକ ଜମା ହେବାକୁ ଆରମ୍ଭ କରନ୍ତି,

ଯେଉଁମାନଙ୍କର ଏଥିରେ ଆଗ୍ରହ ନଥାଏ ।

କେତେବେଳେ ବୁଦା ଭିତରୁ

ଜଣେ କେହି ଆବିଷ୍କାର କରେ,

କଳଙ୍କି ଲାଗିଥବା ଯୁକ୍ତି,

ଯାହାକୁ ସେ ମଇଳା ଗଦାକୁ ନେଇଯାଏ ।

ଏଇଠି କ’ଣ ହେଉଥିଲା

ଯେଉଁମାନେ ଜାଣିଥିଲେ,

ସେହିମାନଙ୍କ ପାଇଁ ରାସ୍ତା ଛାଡ଼ିଦେବାକୁ ପଡ଼ିବ;

ଯେଉଁମାନେ ଅଳ୍ପ ଜାଣନ୍ତି ।

ଅଳ୍ପ ଠାରୁ ଆହୁରି କମ୍‌-

ଏବଂ ଶେଷରେ ଏତେ କମ୍‌ ଯେ

କିଛି ନ ଜାଣିଲା ପରି ।

ଯେଉଁ ଘାସ ବଢ଼ି ଯାଇଛି, ତାରି ଭିତରେ

କାରଣ ଓ ପ୍ରଭାବ,

ମୁହଁରେ ଘାସଟିଏ ରଖି

କାହାକୁ ଜଣେ ଶୋଇଯିବାକୁ ପଡ଼ିବ

ମେଘ ଆଡ଼କୁ ଚାହିଁ ରହି ।

Image

 

ଘୃଣା

 

ଦେଖ ଏହା ତଥାପି କେତେ ଜୀବନ୍ତ,

କେତେ ଭଲ ଭାବେ ଧରି ରଖେ :

ଘୃଣା, ଆମ ଶତାବ୍ଦୀରେ ।

କେତେ ଅନାୟାସରେ ଉଚ୍ଚ ପ୍ରତିବନ୍ଧକ ସବୁ

ଅତିକ୍ରମ କରେ;

ମାଡ଼ିବସି ଜାବୁଡ଼ି ଧରିବା

ତା ପାଇଁ କେତେ ସହଜ ।

 

ଅନ୍ୟ ଅନୁଭବ ପରି ଏହା ନୁହେଁ

ସେମାନଙ୍କର ବୟସ ଠାରୁ ଉଭୟ ବଡ଼ ଓ ସାନ ।

ଏହା ହିଁ କେବଳ କାରଣ ଗୁଡ଼ିକୁ ଜନ୍ମଦିଏ

ଯାହା ତାକୁ ଜୀବନ୍ତ କରି ଉଠାଏ ।

 

ଯଦି ସେ କେତେବେଳେ ଶୋଇପଡ଼େ,

ଏହା ଅସୀମ କାଳ ପାଇଁ ନୁହେଁ ।

ନିଦ୍ରାହୀନତା ତାକୁ ଦୁର୍ବଳ କରେନା-

ବରଂ ଶକ୍ତିଶାଳୀ କରେ ।

 

ଧର୍ମ ହେଉ ବା ନ ହେଉ-

ଯେ ପର୍ଯ୍ୟନ୍ତ ସିଏ ଆରମ୍ଭରେ

ଆଣ୍ଠୁମାଡ଼ି ବସେ;

ମାତୃ-ଭୂମି ବା ପିତୃ-ଭୂମି,

ଯେ ପର୍ଯ୍ୟନ୍ତ ସେ ଦୌଡ଼ରେ ରହିଛି ।

 

ଏପରିକି ନ୍ୟାୟରୁ ମଧ଼୍ୟ

ଆରମ୍ଭ କରାଯାଇପାରେ,

ଘୃଣା, ଘୃଣା;

ଭଲ ପାଇବାର ରୋମାଞ୍ଚ -

ତା’ର ମୁହଁ ବଙ୍କା କରେ ।

 

ଆହା ! ସେଇ ଅନ୍ୟ ଭାବନା ଗୁଡ଼ାକ

ଏତେ ରୁଗ୍‌ଣ ଓ ମାନ୍ଦା;

କେବେଠାରୁ ଭାଇଚାରା

ଲୋକ ଗହଳି ଉପରେ ନିର୍ଭର କରିଛି ?

କେବେ କରୁଣା ଶେଷ ଗାରକୁ

ଆଗେ ଛୁଇଁଥିଲା ?

ସନ୍ଦେହ କେତେ

ଅନୁସରଣକାରୀଙ୍କୁ ସୃଷ୍ଟି କରେ ?

କେବଳ ଘୃଣା ଏହ଼ା କରିପାରେ,

ଯେହେତୁ ଘୃଣା ହିଁ ସେମାନଙ୍କ ପାଖରେ ପହଞ୍ଚିଛି ।

 

ଚାଲାକ୍‌, ସମର୍ଥ, ପରିଶ୍ରମୀ

କେତେ ଗୀତ ସେ ଲେଖିଛି,

ଆମେ କହିବା ଦରକାର କି ?

ଇତିହାସର କେତେ ପୃଷ୍ଠା

ସେ ଗଣିଛି ?

କେତେ ମଣିଷ କାର୍ପେଟ ସେ ଖୋଲିଛି,

ଷ୍ଟାଡ଼ିୟମ୍‌ ଓ ପ୍ଲାଜା ମାନଙ୍କରେ ?

ଆମକୁ ମାନିବାକୁ ପଡ଼ିବ

ଘୃଣା ସୌନ୍ଦର୍ଯ୍ୟ ସୃଷ୍ଟି କରି ପାରେ ।

ଚମତ୍କାର ତାର ସ୍ପୁଲିଙ୍ଗ,

ଗଭୀର ରାତିରେ ।

ଖୁବ୍‌ ସୁନ୍ଦର ଧୂଆଁର ମେଘ,

ଗୋଲାପୀ ସକାଳେ ।

ଭଗ୍ନାବଶେଷକୁ ସେମାନଙ୍କ

ବିଷାଦରୁ ବଞ୍ଚିତ କରିବା କଷ୍ଟ ।

ଏବଂ ସେମାନଙ୍କ ଭିତରୁ ବାହାରି ଆସିଥିବା ଖୁଣ୍ଟରୁ

ଶସ୍ତା ହାସ୍ୟରସ ।

 

ବିପରୀତ ବୋଧର

କୋଳାହଳ ଓ ନୀରବତା ମଧ୍ୟରେ,

ଲାଲ ରକ୍ତ ଓ ଧଳା ବରଫ ।

ସବୁ ଉପରେ, ନିର୍ଯ୍ୟାତିତ ଉପରେ ଠିଆ ହୋଇଥିବା

ଚିକ୍କଣ ମୁହାଁ ନିର୍ଯ୍ୟାତକର ଛବି,

ତାକୁ କେବେ କ୍ଲାନ୍ତ କରେନା ।

 

ନୂଆ କାମ ପାଇଁ ସେ ସବୁବେଳେ ପ୍ରସ୍ତୁତ,

ସେ ଅପେକ୍ଷା କରେ, ଯଦି ଆବଶ୍ୟକ ହୁଏ,

ସେମାନେ କହନ୍ତି ଘୃଣା ଦେଖିପାରେ ନାହିଁ

ଅନ୍ଧ ?

ଦୃଷ୍ଟି ତାର ତୀକ୍ଷ୍ଣ ତୀରନ୍ଦାଜ ପରି,

ସେ ସାହସର ସହ ଭବିଷ୍ୟତକୁ ଚାହେଁ

-ଏକା ଏକା ।

Image

 

ବାସ୍ତବତା ଦାବୀକରେ

 

ବାସ୍ତବତା ଦାବୀ କରେ

ଏହା ମଧ୍ୟ ଆମର ବକ୍ତବ୍ୟ :

ଜୀବନ ଚାଲିଥାଏ ।

କେନା ଓ ବୋର୍ତିନୋରେ

କସୋଭୋ ପୋଲିଏ ଓ ଗ୍ୱେର୍ଣ୍ଣିକାରେ ।

ସେଇଠି ଗ୍ୟାସ୍‌ ଷ୍ଟେସନଟିଏ ଅଛି,

ଜେରିକୋର ଏକ ଛୋଟ ବଜାରରେ,

ଏବଂ ବିଲାହୋରା ପାଖରେ

ନୂଆ କରି ରଙ୍ଗ ହୋଇଥିବା ବେଞ୍ଚି ଗୁଡ଼ାକ ।

ପାର୍ଲ ହାର୍‌ବର୍‌ରୁ ହେଷ୍ଚିଙ୍ଗସ୍‌ ଯାଏ

ଚିଠି ଯାଏ, ଆସେ ।

ଆସବାବ ପତ୍ରର ଟ୍ରକଟି ଯାଏ,

ସେରେଓନିଆର ସିଂହ ଆଖି ଆଗରେ,

ଏବଂ କେବଳ ବାୟୁମଣ୍ଡଳୀୟ

ସମ୍ମୁଖଭାଗଟି ଆଗେଇଯାଏ,

ପ୍ରସ୍ଫୁଟିତ ବଗିଚା ଆଡ଼କୁ

ଭେର୍ଦୁ ନିକଟର ।

ସବୁ ପଦାର୍ଥର ପ୍ରାଚୁର୍ଯ୍ୟ ଏଠି ଏତେ ଯେ

କିଛି ଲୁଚି ପାରେ ନାହିଁ;

ଆକ୍ଟିୟମର ଜାହାଜ ମାନଙ୍କରୁ

ସଂଗୀତ ଭାସିଆସେ,

ଖରାରେ ଦମ୍ପତିମାନେ ନାଚନ୍ତି ।

ଏତେ କଥା ଘଟିଯାଏ ଯେ

ସବୁଠି ଏହା ଘଟୁଥିବ ନିଶ୍ଚୟ ।

ଯେଉଁଠି ଗୋଟିଏ ହେଲେ ପଥର

ଠିଆ ହୋଇଥିବା ଦେଖାଯାଏ ନାହିଁ,

ସେଇଠି ପିଲାମାନେ ଘେରି ରଖିଛନ୍ତି

ଆଇସକ୍ରିମ ଟ୍ରକଟିକୁ ।

ଯେଉଁଠି ହିରୋସୀମା ଥିଲା;

ହିରୋସୀମା ପୁଣିଥରେ

ନିତିଦିନିଆ ବ୍ୟବହାର ପାଇଁ

ଜିନିଷ ତିଆରି କରୁଛି ।

ଏଇ ଭୟଙ୍କର ପୃଥିବୀର ଆକର୍ଷଣ ଅଛି,

ଆମେ ପୁଣି ଜାଗ୍ରତ ହେବାର ଯୋଗ୍ୟ

ସକାଳ ମାନେ ବି ଅଛନ୍ତି ।

ମାସିଏ ଜୋଇସ୍‌ର ପଡ଼ିଆରେ

ଘାସ ଖୁବ୍‌ ସବୁଜ

ଏବଂ ଘାସ ଉପରେ-

ତୁମେ ଜାଣ ଘାସ କଥା-

ସ୍ଵଚ୍ଛ ଶିଶିର କଣା ।

ହୋଇପାରେ, ପଡ଼ିଆତ ନୁହେଁ,

ସବୁ ଯେମିତି ଯୁଦ୍ଧକ୍ଷେତ୍ର-

କେତେକ ମନେ ରହିଛନ୍ତି,

ଆଉ କେତେ କେବେଠାରୁ ଭୁଲି ହୋଇ ଗଲେଣି ।

ବାର୍ଚ ଓ ସେଡ଼ାର, ବଗିଚା,

ବରଫ ଓ ବାଲି, ରଙ୍ଗୀନ୍‌ ଆର୍ଦ୍ର ଭୂଇଁ,

ଅନ୍ଧାର ପରାଜୟର ଗର୍ତ୍ତମାନ,

ଯେଉଁଠି ଆଜି, ହଠାତ୍‌ ଆବଶ୍ୟକ ହେଲା ବୋଲି

ତୁମେ ବୁଦା ପଛରେ ବସିପଡ଼ ।

ଏଥିରୁ ମିଳିଲା କି କିଛି ନୀତି ଶିକ୍ଷା ?

ବୋଧହୁଏ ନୁହେଁ ।

କିନ୍ତୁ ଯାହା ପ୍ରକୃତରେ ବହିଯାଏ,

ତାହା ହେଉଛି ତତ୍‌କ୍ଷଣାତ୍‌ ଶୁଖିଯାଉଥିବା ରକ୍ତ,

ଏବଂ ସବୁଥର ଭଳି,

କିଛି ନଦୀ ଓ ମେଘ ।

ଦୁଃଖାନ୍ତ ଗିରି ପଥ ଉପରେ,

ପବନ ମଥା ଉପରୁ ଟୋପି ଉଡ଼ାଇନିଏ

ଏବଂ ଆମେ କିଛି କରି ପାରୁନା-

କେବଳ ହସିବା ବ୍ୟତୀତ ।

Image

 

କିଛି ଲୋକ

 

କିଛି ଲୋକ ଅନ୍ୟ କିଛି ଲୋକଙ୍କ ଠାରୁ

ଦୂରକୁ ପଳାନ୍ତି,

କୌଣସି ଏକ ଦେଶରେ-

ସୂର୍ଯ୍ୟ ଓ କିଛି ବାଦଲ ତଳେ ।

 

ସେମାନେ ପଛରେ ଛାଡ଼ି ଯାଆନ୍ତି

ସବୁଥିରୁ କିଛି କିଛି,

ବୁଣା ହୋଇଥିବା କ୍ଷେତ,

କିଛି କୁକୁଡ଼ା, କୁକୁର,

ଅଗ୍ନି ପ୍ରତିଫଳିତ ହେଉଥିବା ଆଇନାମାନ ।

 

ସେମାନଙ୍କ ପିଠିରେ ମାଠିଆ, ବୋକ୍‌ଚା

ବେଶୀ ଶୂନ୍ୟ ଓ ଭାରୀ,

ଗୋଟିଏ ଦିନରୁ ଆଉ ଏକ ଦିନ ।

 

କେହି ଜଣେ ଯଦି ଅଟକୁଛି

ଅତି ସନ୍ତର୍ପଣରେ ।

ଏବଂ ସେଇ ଗୋଳମାଳ ଭିତରେ

 

କାହାର ରୁଟି ଆଉ କିଏ ଟାଣିନିଏ,

କିଏ ଜଣେ ମୃତଶିଶୁଟିକୁ ହଲାଇଦିଏ ।

 

ତାଙ୍କ ଆଗରେ କେତେଜଣ

ତଥାପି ଠିକ୍‌ ରାସ୍ତାରେ ନଥାନ୍ତି,

ପୋଲଟି ନଥାଏ, ଯେଉଁଠାରେ ଥିବା କଥା,

ଅଦ୍ଭୁତ ଭାବରେ, ଗୋଲାପି ନଦୀ ଉପରେ ।

 

ସେମାନଙ୍କ ଚାରିପାଖେ, କିଛି ଗୁଳି ଫୁଟିବା ଶବ୍ଦ

ବେଳେ ବେଳେ ନିକଟରେ,

ବେଳେବେଳେ କିଛି ଦୂରରେ,

ଏବଂ ଉପରେ ଏକ ପ୍ରକାର ଚକ୍କର କାଟୁଥିବା ବିମାନଟାଏ ।

 

କିଛିଟା ଅଦୃଶ୍ୟ ହେବା କାମରେ ଲାଗିବ,

କିଛି ଧୂସର ଶିଳାପଣ,

ବା ଆହୁରି ଭଲ, ସ୍ଥିତି ହୀନତା-

ଅଳ୍ପ ବା ଦୀର୍ଘ ସମୟ ପାଇଁ ।

 

ଆଉ କିଛି ଘଟିବାକୁ ବାକି ଅଛି,

କେବଳ, କେଉଁଠି ଓ କଣ ?

କେହି ଜଣେ ସେ ଆଡ଼କୁ ଯିବ,

କେବେ, କେବେ ଓ କିଏ ।

କେତେ ରୂପରେ ଏବଂ କି ଉଦ୍ଦେଶ୍ୟ ନେଇ ?

 

ଯଦି ତାକୁ ବାଛିବାକୁ କୁହାଯିବ,

ହୁଏତ ସେ ଶତ୍ରୁ ହେବାକୁ ଚାହିଁବନି,

ଏବଂ ସେମାନଙ୍କ ପାଇଁ

କୌଣସି ପ୍ରକାର ଜୀବନଟେ ଛାଡ଼ିଯିବ ।

Image

 

ମୁଁ ତା’ ପାଇଁ ଖୁବ୍‌ ନିକଟ

 

ମୁଁ ତା’ର ଏତେ ନିକଟ ଯେ

ସେ ମୋତେ ନେଇ ସ୍ଵପ୍ନ ଦେଖେ ନାହିଁ ।

ମୁଁ ତା’ ଉପରେ ଉଡ଼ିଯାଏନାହିଁ,

ବା ତା’ ଠାରୁ ଦୌଡ଼ି ପଳାଏନାହିଁ;

ଗଛ ଚେର ତଳେ । ମୁଁ ଖୁବ୍‌ ନିକଟ ।

ଜାଲରେ ପଡ଼ିଥବା ମାଛ ମୋ ସ୍ଵରରେ ଗାଏ ନାହିଁ ।

ମୋ ଆଙ୍ଗୁଳିରୁ ମୁଦି ଖସିଯାଏନି ।

ମୁଁ ଏତେ ନିକଟ ।

ବଡ଼ ଘରେ ନିଆଁ ଲାଗିଛି,

କିନ୍ତୁ ମୁଁ ସାହାଯ୍ୟ ପାଇଁ କାହାକୁ ଡାକେନି ।

ମୁଁ ଏତେ ନିକଟ ଯେ ।

ମୋ କେଶରୁ ଝୁଲିଥିବା ଘଣ୍ଟି ବାଜେ ନାହିଁ ।

ଅତିଥିପରି ପ୍ରବେଶ କରି ପାରେନା,

ଯାହା ଆଖି ଆଗରେ କାନ୍ଥ ଦୁଇଭାଗ ହେବ ।

ଏତେ ସହସା ମୁଁ ପୁଣି ମରିବିନି,

ଦେହଠାରୁ ଅନେକ ଦୂରରେ,

ଥରେ ସେ ସ୍ଵପ୍ନରେ ଦେଖିବା ପରି ଅକସ୍ମାତ୍‌ ।

ମୁଁ ନିକଟ-ମୁଁ ତା’ର ଖୁବ୍‌ ନିକଟ

ମୁଁ ଫଁ ଫଁ ଶବ୍ଦ ଶୁଣେ

ଏବଂ ଦେଖେ ସେ ଶବ୍ଦର ଚକ୍‌ ଚକ୍‌ ଚୋପା,

ତା ଆଲିଙ୍ଗନରେ ମୁଁ ଯେବେ ନିଶ୍ଚଳ ହୁଏ ।

ଏଇ ମୁହୂର୍ତ୍ତରେ,

ପାଖରେ ଶୋଇଥିବା ମୋ’ ଠାରୁ,

ଗୋଟିଏ ସିଂହ ଥିବା

ଭ୍ରାମ୍ୟମାଣ ସର୍କସର

ଟିକଟ କାଟୁଥିବା

ମହିଳାଟି ପାଇଁ ବେଶୀ ଉପଲବ୍ଧ,

ଯାହାକୁ ସେ ଜୀବନରେ ଥରେ ମାତ୍ର ଦେଖିଛି ।

ଏବେ ମହିଳାଟି ପାଇଁ ତା’ ଭିତରେ

ଜନ୍ମ ନିଏ ଗୈରିକ ପତ୍ରର ଉପତ୍ୟକାଟିଏ ।

ବରଫ ପାହାଡ଼ ଦ୍ଵାରା ବନ୍ଦୀ,

ନୀଳ ପବନରେ ।

ମୁଁ ଏତେ ନିକଟ ଯେ

ତା’ ପାଇଁ ଆକାଶରୁ ଖସିପଡ଼େ ନାହିଁ;

ମୋ ଚିତ୍କାର କେବଳ ତାକୁ ନିଦରୁ ଉଠାଇପାରେ ।

ବିଚରା ମୁଁ, ମୋ ଆକାରରେ ସୀମିତ,

ମୁଁ କିନ୍ତୁ ଥିଲି ବାର୍ଚ ଗଛଟିଏ,

ଥିଲି ଏକ ଝିଟିପିଟି,

ବାହାରିଲି ସୂର୍ଯ୍ୟଘଡ଼ି, ମସୃଣ ବସ୍ତ୍ରରୁ,

ଚର୍ମ ମୋର ଝଲମଲ ବିଭିନ୍ନ ରଙ୍ଗରେ,

ବିସ୍ମିତ ଦୃଷ୍ଟି ଆଢ଼ୁଆଳକୁ ଯିବା ଲାଗି

ମୋର ସାମର୍ଥ୍ୟ ଥିଲା,

ତାହାହିଁ ତ ଧନ, ଧନାଢ଼୍ୟ ଲୋକର;

ମୁଁ ଖୁବ୍‌ ନିକଟ,

ତା’ର ଏତେ ନିକଟ ଯେ

ସେ ମୋତେ ନେଇ ସ୍ଵପ୍ନ ଦେଖେ ନାହିଁ ।

ମୁଁ ହାତ ବାହାର କରେ

ତା ନିଦ୍ରିତ ମୁଣ୍ଡ ତଳୁ ।

ସେ କାଲୁଆ ହୋଇଯାଇଥାଏ,

କାଳ୍ପନିକ କଣ୍ଟା ଓ ଛୁଞ୍ଚିରେ ଭର୍ତ୍ତି,

ଏବଂ ଗଣା ହେବା ପାଇଁ ପ୍ରସ୍ତୁତ ।

ସମସ୍ତଙ୍କ ମସ୍ତକ ଉପରେ

ନାଚୁଥାନ୍ତି ଭୂପତିତ ପରୀମାନେ ।

Image

 

ଜସ୍‌ଲୋରେ ଅନାହାର ଶିବିର

 

ଏହାକୁ ଲେଖି ରଖ । ଲେଖ, ସାଧାରଣ କାଳିରେ

ସାଧାରଣ କାଗଜରେ :

ଖାଦ୍ୟ ଦିଆଗଲାନି ସେମାନଙ୍କୁ

ସମସ୍ତେ କ୍ଷୁଧାରେ ମଲେ । ସମସ୍ତେ ।

କେତେ ଜଣ ?

ଏଇଟା ଗୋଟିଏ ବଡ଼ ପଡ଼ିଆ ।

ମଣିଷ ପିଛା କେତେ ଘାସ ଥିଲା ?

ଲେଖି ଦିଅ : ମୋତେ ଜଣା ନାହିଁ ।

 

କଙ୍କାଳ ମାନଙ୍କ ସଂଖ୍ୟାକୁ

ନିକଟତମ ଶୂନ୍‌ ସହିତ ମିଶାଏ ଇତିହାସ ।

ହଜାରେ ଏକ, ତଥାପି ହଜାରେ ।

 

ଯେମିତି ସେଇ ଗୋଟିଏ କେବେ ନଥିଲା :

ଏକ କାଳ୍ପନିକ ଭୃଣ, ଶୂନ୍ୟ-

କାହାରି ପାଇଁ ଖୋଲି ନଥିଲା

ଅକ୍ଷର ଶିକ୍ଷା ବହିଟି,

ଯେଉଁ ପବନ ହସେ, ଚିତ୍କାର କରେ ଓ ବଢ଼େ,

ବଗିଚାକୁ ଯାଇଥିବା ଶୂନ୍ୟତା ପାଇଁ ଶିଢ଼ି,

ପାହ୍ୟାରେ କାହାର ନଥିବା ସ୍ଥାନ ।

 

ଏଇ ହେଉଛି ପ୍ରାନ୍ତର

ଯେଉଁଠି ଏହା ମାଂସରେ ପରିଣତ ହେଲା ।

କିନ୍ତୁ ପ୍ରାନ୍ତର ନୀରବ

କିଳା ପୋତେଇ ନେଇଥିବା ସାକ୍ଷୀଟି ପରି ।

ସୂର୍ଯ୍ୟ କିରଣରେ । ସବୁଜ ।

ସେଇଠି ଜଙ୍ଗଲଟିଏ ଅଛି

କାଠ ଚୋବେଇବା ପାଇଁ,

ବକଳ ତଳୁ ପିଇବା ପାଇଁ-

ଅନ୍ଧ ହେବା ଯାଏ,

ଚାରିପାଖ ଭୂଇଁରେ ଦୈନନ୍ଦିନ ଆହାର ପାଇଁ;

ତାରି ଉପରେ ଚଢ଼େଇଟିଏ

ଛାଇ ପରି ଓଠ ଉପରେ ଚାଲିଯାଏ

ତା’ରି ପୁଷ୍ଟିକର ଡେଣାର ।

 

ପାଟି ଖୋଲିଲେ, ଦାନ୍ତ ଚୋବେଇବ,

ଦା’ଟିଏ ଜଳିଉଠିବ ରାତିର ଆକାଶରେ,

ସ୍ଵପ୍ନର ରୁଟି ପାଇଁ, ସ୍ୱପ୍ନର ଶସ୍ୟ ଅମଳ କରି ।

ଶୂନ୍ୟ ପାନପତ୍ର ଧରି

କଳା ମୂର୍ତ୍ତିର ହାତମାନ ଉଡ଼ିଆସିବେ ।

 

କଣ୍ଟାତାରର ଦୋଳିରେ

ଲୋକଟି ଝୁଲୁଥିଲା ।

ମୁହଁରେ ମାଟି ରଖି ସେମାନେ ଗୀତ ଗାଉଥିଲେ ।

ଯୁଦ୍ଧ ଯେମିତି ସିଧା ତମ ହୁଦୟକୁ ଆଘାତ ଦିଏ,

ତା’ରି ଉପରେ ଚମତ୍କାର ଗୀତଟିଏ

ଲେଖିଦିଅ, ଏଠାକାର ନୀରବତାକୁ ନେଇ,

ହଁ ।

Image

 

ଫେରନ୍ତା ପକ୍ଷୀ

 

ପକ୍ଷୀମାନେ ଖୁବ୍‌ ଶୀଘ୍ର ଫେରିଗଲେ

ପୁଣି ଏଇ ବସନ୍ତରେ ।

ଯୁକ୍ତିରେ ଆହ୍ଲାଦିତ ହୁଅ ।

ପ୍ରବୃତ୍ତି ବି ଭୁଲ କରିପାରେ ।

 

କିଛି ଭୁଲ କଲା, ଅବହେଳା ହୋଇପାରେ-

ଏବଂ ସେମାନେ ବରଫ ଭିତରେ ପଡ଼ନ୍ତି,

ଦୟନୀୟ ଭାବେ ମରନ୍ତି,

ଏପରି ମରନ୍ତି ଯେ- ଯାହା ଆଶା କରାଯାଏ ନାହିଁ ।

 

ତାଙ୍କ ସୁଶୋଭିତ କଣ୍ଠ ଓ ବଡ଼ ବଡ଼ ନଖ,

ନିର୍ଭରଯୋଗ୍ୟ ଉପାସ୍ଥି ଓ ବିବେକୀ ଝିଲ୍ଲୀମାନ,

ହୃଦୟର ନଦୀ ଅବବାହିକା,

ଜଟିଳ ଅନ୍ତନାଡ଼ୀ ସବୁ,

ଲମ୍ବା ପଞ୍ଜରା ହାଡ଼ ଓ ମେରୁଦଣ୍ଡ,

ସୂକ୍ଷ୍ମ ଶିଳ୍ପକଳାର ମ୍ୟୁଜିୟମରେ

ସ୍ଵତନ୍ତ୍ର ସ୍ଥାନ ପାଇଁ ଯୋଗ୍ୟ ପର ଗୁଡ଼ାକ

ଓ ଋଷିର ଧୈର୍ଯ୍ୟ ଥିବା ଥଣ୍ଟଟିଏ ।

 

ବିଷାଦ ସଂଗୀତ ନୁହେଁ,

ଏହା କ୍ରୋଧର ପ୍ରକାଶ ମାତ୍ର,

ସତ ପ୍ରୋଟିନରେ ତିଆରି ଦେବଦୂତ ଜଣେ-

ଗୀତର ନିର୍ଯ୍ୟାସରୁ

ସିଧା ବାହାରିଥିବା ମାଂସ ଗ୍ରନ୍ଥିର ଚିଲଟି

ପବନରେ ଏକାକୀ, ହାତରେ ଅଗଣିତ

ଐକ୍ୟରେ ବନ୍ଧା ତନ୍ତୁପରେ ତନ୍ତୁ,

ସମୟ ଓ ସ୍ଥାନରେ, ଉଚ୍ଚାଙ୍ଗ ନାଟକରେ ଯେମିତି ।

 

ଡେଣା ମାନଙ୍କ ପ୍ରଶଂସା ସହ ତାଳଦେଇ,

ଖସିପଡ଼େ ପଥର ପାଖରେ, ବିଶ୍ରାମ ନିଏ,

ପଥରଟି ନିଜ ପୁରାତନ ଓ ଅପରିଚ୍ଛନ୍ନ ଢ଼ଙ୍ଗରେ

ଜୀବନକୁ ଦେଖୁଥାଏ,

ପ୍ରଚେଷ୍ଟା ଓ ପରାଜୟର ମାଳାଟିଏ ପରି ।

Image

 

ଉପରୁ ଦେଖିଲେ

 

ଧୂଳି ରାସ୍ତାରେ ପଡ଼ିଛି ମଲା ଗୋବର ପୋକଟିଏ,

ପେଟକୁ ଲାଗି ପରିଷ୍କାର ଭାଙ୍ଗି ରହିଛି

ତିନି ଯୋଡ଼ା ପାଦ ।

ମୃତ୍ୟୁର ଅବ୍ୟବସ୍ଥା ବଦଳରେ-

ରହିଛି ଶୃଙ୍ଖଳା ଓ ପରିଚ୍ଛନ୍ନତା ।

ଦୃଶ୍ୟର ଭୟଙ୍କରତା, ଚଳନୀୟ,

ବିଷୟଟି ନିହାତି ସ୍ଥାନୀୟ,

ଘାସଠାରୁ ପିପରମେଣ୍ଟ ଯାଏ

ଦୁଃଖ ସଂକ୍ରାମକ ନୁହେଁ ।

ଆକାଶର ରଙ୍ଗ ନୀଳ ।

ଆମ ମାନସିକ ଶାନ୍ତି ପାଇଁ

ପଶୁମାନେ ପରଲୋକକୁ ଯାଆନ୍ତିନି;

କିନ୍ତୁ ଅଗଭୀର ମୃତ୍ୟୁଟିଏ ହେବାପରି

ମନେହୁଏ, ଯେପରି ଛାଡ଼ିଯାନ୍ତି ସେ

ପୁଥିବୀରୁ ଅଳ୍‌ପ କିଛି,

ଅଳ୍‌ପମାତ୍ର ହୃଦୟର ଭାବ,

ମନେହୁଏ ଛାଡ଼ିଯିବା ପରି

କିଞ୍ଚିତ ବିୟୋଗର ରଙ୍ଗମଞ୍ଚଟିକୁ ।

ସେମାନଙ୍କ ନମ୍ର ଆତ୍ମା ।

ଡରାନ୍ତିନି ରାତିରେ ଆମକୁ,

ସେମାନେ ଦୂରତାକୁ ସମ୍ମାନ ଦିଅନ୍ତି

ଜାଣନ୍ତି ବି ସେମାନଙ୍କ ସ୍ଥାନ ।

ତେଣୁ ଏକଥାଟି ଏତିକି :

ରାସ୍ତାରେ ମୃତ ଗୋବର ପୋକ

ସୂର୍ଯ୍ୟ କିରଣରେ ଚିକ୍‌ ଚିକ୍‌ କରେ,

ତା ପାଇଁ କେହି ଶୋକ କରନ୍ତିନି ।

ତା ଆଡ଼କୁ ଦୃଷ୍ଟିପାତ ଭାବନାଟିଏ ହୋଇପାରେ

ଯେମିତି କିଛି ବଡ଼ କଥା ହୋଇନି ଏଇଠି ।

ବଡ଼ କଥା ଆମ ମାନଙ୍କରହିଁ ହୋଇପାରେ,

କେବଳ ଆମ ଜୀବନରେ :

ଆମରି ମୃତ୍ୟୁରେ,

ଯେଉଁ ମୃତ୍ୟୁ ଜବରଦସ୍ତ

ରାସ୍ତାରେ ଯିବା ପାଇଁ

ଅଧିକାର ଉପଭୋଗ କରେ ।

Image

 

ସ୍ତୋତ୍ର

 

ମନୁଷ୍ୟକୃତ ରାଜ୍ୟଗୁଡ଼ିକର

ସୀମାରେ କେତେ ଛିଦ୍ର,

କେତେ ବାଦଲ ଭାସିଯାଆନ୍ତି,

ସେମାନଙ୍କ ଉପରେ ଆକଟ ନଥାଏ ।

 

କେତେ ମରୁଭୂମିର ବାଲି

ମାଡ଼ି ଯାଏ ଦେଶରୁ ଦେଶକୁ,

କେତେ ପାହାଡ଼ର ପଥର ଖଣ୍ଡ

ଦେଖେଇ ହେଇ ଡେଇଁ ଯାଆନ୍ତି

ବିଦେଶ ଭୂଇଁକୁ !

 

ମୁଁ କ’ଣ ଉଲ୍ଲେଖ କରିବା ଦରକାର ?

ଉଡ଼ିଯାଉଥିବା,

ବା ଓହ୍ଲାଇ ଫାଟକ ଉପରେ ବସୁଥିବା

ପ୍ରତିଟି ପକ୍ଷୀକୁ ?

ଯଦିଚ ଏହା ଘରଚଟିଆଟିଏ ବି ହୋଇପାରେ

ତାର ଡେଣା ଥାଏ ବିଦେଶରେ;

ଯଦିଓ ଥଣ୍ଟଟି ତଥାପି ଘରେ ।

ଏତିକି ଯେମିତି ଯଥେଷ୍ଟ ହେଲାନି-

ସିଏ ଅସ୍ତବ୍ୟସ୍ତ ହେଉଥାଏ ।

 

ଅସଂଖ୍ୟ କୀଟଙ୍କ ମଧ୍ୟରୁ

ମୁଁ ପିମ୍ପୁଡ଼ି କଥା କହିବି,

ଯିଏ ରକ୍ଷୀର ବାଁ ଓ ଡାହାଣ ଜୋତା ମଧ୍ୟରେ

କେଉଁଠୁ ବାହାରିବ ଓ ପହଞ୍ଚିବ,

ଏ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ

ବୋଲି ଭାବେନାହିଁ ।

 

ଯଦି କେବଳ ଏଇ ସମସ୍ତ ବିଭ୍ରାଟକୁ

ବିଶଦ ଭାବେ ଦେଖାଯାନ୍ତା,

ଏକାଥରେ ସବୁ ମହାଦେଶରେ !

ଏହା କଣ ବିପରୀତ କୂଳର ସବୁଜ ବାଡ଼ ନୁହେଁ,

ଯାହା ନଦୀ ସେପାଖରୁ ଟୁକୁରା ପତ୍ରକୁ ଚୋରାରେ ଚାଲାଣ କରେ,

‘ସ୍କୁଇଡ଼୍‌’ ଛଡ଼ା ଆଉ କାହାର ଏତେ ଲମ୍ବାହାତ

ଯାହା ପବିତ୍ର ଜଳସୀମାକୁ ଉଲଂଘନ କରିବ ?

 

ଆମେ କେତେବେଳେ ତାରାମାନଙ୍କୁ

ସଜାଡ଼ି ପାରୁନା,

କିଏ କାହାପାଇଁ ଜ୍ୟୋତି ବିକିରଣ କରେ

ଜାଣି ପାରୁନା,

ଆମେ ସାମାନ୍ୟତମ ଶୃଙ୍ଖଳା କଥା

କିପରି ବା କହିବା ?

 

କୁହୁଡ଼ିର ନିନ୍ଦନୀୟ ବିସ୍ତୃତି କଥା ନ କହିଲେ ଭଲ,

ସମସ୍ତ ତୃଣଭୂମିକୁ ସଫା କରିବା,

ଯେପରି ଏହା ଦୁଇଭାଗରେ ବିଭକ୍ତ ନ ଥିଲା

ବା ବାୟୁ ତରଙ୍ଗରେ ସଞ୍ଚରି ଯାଉଥିବା ସ୍ଵରମାନ

ଡାକିଆଣେ ଚିଁ ଚିଁ ଘଡ଼ ଘଡ଼ ଶବ୍ଦ ।

 

ଯାହା କେବଳ ମାନବୀୟ

ତାହାହିଁ କେବଳ ଅଜଣା,

ବାକୀସବୁ ମିଶ୍ରିତ ଜଙ୍ଗଲ,

ଚୁଚୁନ୍ଦ୍ରା ଓ ପବନର ଗୁରୁତ୍ୱ କମାଏ ।

Image

 

ନିର୍ଯ୍ୟାତନା

 

କିଛି ବଦଳି ନାହିଁ-

ଯନ୍ତ୍ରଣା ଦାୟକ ଶରୀର,

ତାକୁ ଖାଇବାକୁ ପଡ଼ିବ,

ନିଶ୍ଵାସ ପ୍ରଶ୍ଵାସ ନେବାକୁ ପଡ଼ିବ

ଏବଂ ଶୋଇବାକୁ ପଡ଼ିବ ।

ତା’ର ପତଳା ଚମ ତଳେ ଶୋଣିତ,

ଦାନ୍ତ ଓ ନଖର ପ୍ରାଚୁର୍ଯ୍ୟ,

ତାର ହାଡ଼ ଭଙ୍ଗୁର, ଗଣ୍ଠି ନମନୀୟ;

ନିର୍ଯ୍ୟାତନାରେ ଏ ସବୁ କଥା

ବିଚାରକୁ ନିଆଯାଏ ।

 

କିଛି ବଦଳିନାହିଁ ।

ଦେହ ଥରେ, ଯେମିତି ଥରିଗଲା

ରୋମ୍‌ର ପ୍ରତିଷ୍ଠା ପୂର୍ବରୁ ଓ ପରେ,

ବିଂଶ ଶତାବ୍ଦୀରେ,

ଖ୍ରୀଷ୍ଟଙ୍କ ପୂର୍ବରୁ ଓ ପରେ,

ନିର୍ଯ୍ୟାତନା ସେମିତି ଅଛି

ଯେମିତି ସବୁ କାଳେ,

କେବଳ ପୃଥିବୀ ଛୋଟ ହୋଇଛି;

ଏବଂ ଯାହା କିଛି ହେଉଛି,

ମନେ ହୁଏ ଏଇ ପାଖରେ ହିଁ ହେଉଛି ।

 

କିଛି ବଦଳି ନାହିଁ ।

କେବଳ ଲୋକ ବେଶୀ ହୋଇଛନ୍ତି

ପୁରୁଣା ଉଲ୍ଲଘଂନ ସହ, ନୂଆ ମାନେ ଆସିଛନ୍ତି,

ବାସ୍ତବ, କାଳ୍ପନିକ, କ୍ଷଣିକ, କିଛି ନୁହଁ,

କିନ୍ତୁ ଚିତ୍କାରଟି,

ସେଗୁଡ଼ିକ ପାଇଁ ଦେହର ଉତ୍ତର-

ଥିଲା, ଅଛି ଓ ସର୍ବଦା ରହିବ,

ସରଳତାର ଆର୍ତ୍ତ ଚିତ୍କାର,

ସବୁଦିନିଆ ମାପକ ଓ ହିସାବ ଅନୁସାରେ ।

 

କିଛି ବଦଳି ନାହିଁ ।

ହୁଏତ ବ୍ୟବହାର, ଉତ୍ସବ, ନୃତ୍ୟ,

ତଥାପି ହାତ ମୁଣ୍ଡକୁ ରକ୍ଷା କରିବାର

ମୁଦ୍ରା ସେମିତି ହିଁ ରହିଚି ।

ଶରୀର ଛଟପଟ ହୁଏ,

ମୁକ୍ତ ହେବା ଲାଗି ସଂଘର୍ଷ କରେ,

ପଡ଼ିଯାଏ, ଆଣ୍ଠୁମାଡ଼ି ବସେ

ଘା’ହୁଏ, ଫୁଲିଯାଏ, ଲାଳ ବହେ, ରକ୍ତ ଝରେ ।

 

କିଛି ବଦଳି ନାହିଁ ।

କେବଳ ନଦୀର ଗତିପଥ ଛଡ଼ା,

ଜଙ୍ଗଲର ସୀମା ରେଖା, ସାଗର ବେଳା,

ମରୁଭୂମି ଓ ତୁଷାର ଖଣ୍ଡ ।

ଏଇ ସବୁ ଦୃଶ୍ୟପଟ ମଧ୍ୟରେ

ଅକିଞ୍ଚିନ ଆତ୍ମା ବୁଲେ,

ଅଦୃଶ୍ୟ ହୁଏ, ଫେରିଆସେ,

ଆଗକୁ ବଢ଼େ, ପୁଣି ପଛକୁ ଫେରିଯାଏ ।

 

ନିଜ ପାଇଁ ଅଜଣା, କପଟୀ,

ଏକ ମୁହୂର୍ତ୍ତରେ ନିଶ୍ଚିନ୍ତ,

ପର ମୁହୂର୍ତ୍ତରେ ନିଜ ସ୍ଥିତି ସମ୍ପର୍କରେ ଅନିଶ୍ଚିତ,

ଯେତେବେଳେ ଦେହ ଅଛି, ଅଛି, ଆଉ ଅଛି,

ଆଉ କେଉଁଠାକୁ ଯିବାର ନାହିଁ ।

Image

 

ଚାରାଗଛମାନଙ୍କ ନୀରବତା

 

ତୁମ ଓ ମୋ ଭିତରେ

ଏକତରଫା ସମ୍ପର୍କଟିଏ

ଗଢ଼ି ଉଠୁଛି ଖୁବ୍‌ ଭଲ ଭାବରେ ।

ପତ୍ର, ପାଖୁଡ଼ା, ମଞ୍ଜି, କାହାଳୀ ଓ କାଣ୍ଡ

ଏଗୁଡ଼ିକ କ’ଣ ମୁଁ ଜାଣେ,

ଏପ୍ରିଲ ଓ ଡିସେମ୍ବରରେ

ତୁମର କ’ଣ ହୁଏ, ମୁଁ ଜାଣେ ।

ମୋ କୌତୁହଳର ପ୍ରତିଦାନ ନ ଥିଲେ ବି

ତୁମ କେତେକଙ୍କ ପାଇଁ

ମୁଁ ଆନନ୍ଦରେ ନଇଁପଡ଼େ,

ଅନ୍ୟମାନଙ୍କ ପାଇଁ ବେକ ଲମ୍ବାଏ ।

ତମ ପାଇଁ ମୋ ପାଖରେ ନାଁ ସବୁ ଅଛି

ମେପ୍‌ଲ୍, ବରତକ୍‌, ଲିଭରଓର୍ଟ,

ହିଥର, ଜୁନିପର୍‌, ମିସ୍‌ଲୋଟୋ,

ଏବଂ ଫରଗେଟ୍‌-ମି-ନଟ୍‌,

କିନ୍ତୁ ମୋ ପାଇଁ ତୁମର କିଛି ନାଁ ନାହିଁ ।

ଯାହା ହେଉ, ଆମେ ସବୁ ସହଯାତ୍ରୀ ।

ସାଙ୍ଗରେ ଚାଲିବା ବେଳେ

କଥା ହେବା ସ୍ଵାଭାବିକ,

ଏଇ ଯେମିତି ପାଗ ବିଷୟରେ

ମନ୍ତବ୍ୟ ବିନିମୟ,

ବା ଆଖିପିଛୁଳାରେ ଚାଲିଯାଇଥିବା

ଷ୍ଟେସନ ଗୁଡ଼ାକ;

ଆମକୁ କେତେ କଥା ଯୋଡ଼େ ଯେ

ପ୍ରସଙ୍ଗ କେବେ ସରେନି ।

ସେଇ ତାରା ଆମକୁ ହାତ ପାହାନ୍ତାରେ ରଖେ,

ଆମର ଛାଇ ପଡ଼େ,

ସେଇ ଏକା ନିୟମରେ ।

ଆମେ ଉଭୟ ଅନ୍ତତଃ କିଛି ଜାଣିବାକୁ ଚେଷ୍ଟାକରୁ,

ପ୍ରତ୍ୟେକ ନିଜ ନିଜ ରାସ୍ତାରେ,

ଏପରିକି ଆମେ ନଜାଣିଥିବା ବିଷୟରେ

କିଛି ସାମଞ୍ଜସ୍ୟ ଥାଏ ।

ଖାଲି ପଚାର, ଏବଂ ମୁଁ ବୁଝାଇଦେବି

ମୋ ପାରୁ ପର୍ଯ୍ୟନ୍ତ :

ଆଖିରେ ଦେଖିବାର ଅର୍ଥ କଣ,

କାହିଁକି କମ୍ପନ ହୁଏ

ମୋ ହୃଦୟରେ,

ଆଉ କିଆଁ ଚେର ନାହିଁ

ମୋ ଶରୀରରେ ।

କିନ୍ତୁ କେବେ ପଚରା ଯାଇନଥିବା

ପ୍ରଶ୍ନର ଉତ୍ତର କିଏ ଦେବ,

ଆଉ ତାଉପରେ, ସେ ଯଦି

କେହି ନୁହେଁ ତୁମ ପାଇଁ ?

ଗୁଳ୍ମ ବୁଦା, ପ୍ରାନ୍ତର ଓ ବେଣା ଚେର

ମୁଁ ତୁମକୁ ଯାହା କହେ,

ତୁମେ ଶୁଣୁ ନଥିବା

ମୋର ସ୍ଵଗତୋକ୍ତି ।

ତୁମ ସହ କଥାବାର୍ତ୍ତା ଆବଶ୍ୟକ

ଏବଂ ଅସମ୍ଭବ,

ଜରୁରୀବି ବ୍ୟସ୍ତ ଜୀବନରେ,

କେବେ ହେଲେ ସ୍ଥଗିତ ନରହିବା ପରି ।

Image

 

ଏକ ଟିପ୍‌ପଣୀ

 

ପ୍ରଥମ ପ୍ରଦର୍ଶନରେ

ଅଛି ଗୋଟିଏ ପଥର,

ଅସ୍ପଷ୍ଟ ଦାଗଟିକୁ ଦେଖିଥାଅ,

ଆକସ୍ମିକ କାର୍ଯ୍ୟ

କେହି କହିପାରେ ।

ଦ୍ୱିତୀୟ ପ୍ରଦର୍ଶନରେ

ଅଛି ଖପୁରୀର କିଛି ଅଂଶ,

ପଶୁ ବା ମଣିଷ-

କହିବା କଷ୍ଟ

ହାଡ଼ ତ ହାଡ଼ ଟିଏ ।

ଆସ ଆମେ ଆଗେଇବା,

ଏଠି କିଛି ନାହିଁ ।

କେବଳ ରହିଚି

ଝକ୍‌ମକି ପଥରରୁ ସ୍ପୁଲିଙ୍ଗ

ଏବଂ ଏକ ତାରା ମଧ୍ୟରେ

ପୁରାତନ ସାମଞ୍ଜସ୍ୟ ।

ଶତାବ୍ଦୀ ଶତାବ୍ଦୀ ଧରି

ସଂରକ୍ଷିତ ହୋଇ ରହିଛି

ତୁଳନାର ସ୍ଥାନଟିଏ ।

ତାହାହିଁ ଥିଲା ଜିନିଷଟି,

ଆମ ପରି ଜୀବଙ୍କ ଗଭୀରତା ଭିତରୁ

ଭୁଲାଇ ନେଇଥିଲା,

ସ୍ଵପ୍ନର ସରହଦ ବାହାରକୁ ନେଇଯାଇଥିଲା,

ଆଗେ ସ୍ଵପ୍ନ ବୋଲି ଶବ୍ଦ ଥିଲା

ଯେଉଁଥିରେ

ଯାହା ଜୀବିତ, ସଚୁବେଳେ ଜନ୍ମ ହେଉଥାଏ,

ଏବଂ ମୃତ୍ୟୁବିନା ମୃତ୍ୟୁହୁଏ ।

ଜିନିଷଟି ତାହାହିଁ ଥିଲା,

ଯାହା ଆମ ମୁଣ୍ଡକୁ

ମଣିଷର ମୁଣ୍ଡରେ ପରିଣତ କଲା,

ସ୍ପୁଲିଙ୍ଗରୁ ତାରକା,

ଗୋଟିଏରୁ ଅନେକ,

ପ୍ରତ୍ୟେକ ସମସ୍ତଙ୍କୁ,

ମନ୍ଦିରରୁ ମନ୍ଦିରକୁ,

ଏବଂ ଆମ ଭିତରେ ଯାହା ଖୋଲାଥାଏ

ତା’ର ଆଖିପତା ନଥାଏ ।

ପଥର ଭିତରୁ

ଆକାଶ ଉଡ଼ିଗଲା ।

ବାଡ଼ିଟି ଶାଖା ହୋଇ ଲମ୍ବିଗଲା,

ଲକ୍ଷ୍ୟମାନଙ୍କର ଜଙ୍ଗଲ ଭିତରକୁ,

ଛନ୍ଦାଛନ୍ଦି ତା ଯୁକ୍ତି ମଧ୍ୟରୁ

ସାପଟିଏ ଫଣା ଟେକିଲା ।

ଗଛର ମୁଦ୍ରିକା ମାନଙ୍କରୁ

ସମୟ ଧୀରେ ବାହାରି ଆସିଲା ।

ପ୍ରତିଧ୍ୱନିରେ ବହୁଗୁଣିତ ହେଲା

ଜାଗ୍ରତ ମାନଙ୍କ ବିଳାପ ।

ପ୍ରଥମ ପ୍ରଦର୍ଶନରେ

ଅଛି ପଥରଟିଏ ।

ଦ୍ୱିତୀୟ ପ୍ରଦର୍ଶନରେ

ଖପୁରୀର ଅଂଶ ।

ପଶୁମାନେ ଆମକୁ ହଜାଇଲେ-

ଆମେ କାହାକୁ ହଜାଇବୁ ?

କି ପ୍ରକାର ସାମଞ୍ଜସ୍ୟ ଦ୍ଵାରା,

କାହା ସହ କାହାକୁ ତୁଳନା କରିବୁ ?

Image

 

ଏକ ବଡ଼ ସଂଖ୍ୟା

 

ଚାରି ଶହ କୋଟି ଲୋକ ଏଇ ପୃଥିବୀରେ,

କିନ୍ତୁ ମୋ କଳ୍ପନା ସେମିତି,

ଯେମିତି ସବୁବେଳେ ଥିଲା :

ବଡ଼ ସଂଖ୍ୟା ସହିତ ଅସହଜ ।

ଏହା ତଥାପି ପ୍ରଭାବିତ ହୁଏ

ନିର୍ଦ୍ଦିଷ୍ଟ ବିଷୟକୁ ନେଇ ।

ଫ୍ଲାସ ଲାଇଟ୍‌ର ବିମ୍ବ ପରି

ସେ ଅନ୍ଧାରରେ ବୁଲୁଥାଏ,

ଅନିର୍ଦ୍ଦିଷ୍ଟ ମୁହଁମାନଙ୍କୁ ଆଲୋକିତ କରି ।

ଅନ୍ୟମାନେ ଅନ୍ଧପରି,

ତାଙ୍କୁ କେହି ଦୟା କରେନି,

ତାଙ୍କ କଥା କେହି ଚିନ୍ତା କରେନାହିଁ ।

ଏ କଥାକୁ ଜଣେ ‘ଦାନ୍ତେ’ ମଧ୍ୟ

ବନ୍ଦ କରି ପାରି ନଥାନ୍ତେ ।

ତେଣୁ ତୁମେ କଣ କରିବ

ତମେ ଯଦି ଅସମର୍ଥ ହୁଅ,

ସବୁ କବି ତମ ପକ୍ଷରେ ଥିଲେବି ?

ଏକ ଅପରିପକ୍ୱ ଚିନ୍ତା

ତଥାପି ମୁଁ ସମ୍ପୂର୍ଣ୍ଣ ଜୀବିତ,

ଏବଂ ଏହା କଣ ଯଥେଷ୍ଟ ?

ଏହା କେବେ ହୋଇନାହିଁ ।

ଏବେ ତ ଆହୁରି କମ୍‌ ।

ପ୍ରତ୍ୟାଖ୍ୟାନ କରି ମୁଁ ନିର୍ବାଚନ କରେ,

ଯେହେତୁ ଅନ୍ୟ ପନ୍ଥା ନାହିଁ,

କିନ୍ତୁ ମୁଁ ଯାହା ପ୍ରତ୍ୟାଖ୍ୟାନ କରେ

ତାହା ସଂଖ୍ୟାଧିକ,

ସାନ୍ଦ୍ରତାରେ ବେଶୀ,

ପୂର୍ବଠାରୁ ବେଶୀ ଅନୁପ୍ରବେଶକାରୀ ।

ଅବ୍ୟକ୍ତ କ୍ଷତି ସତ୍ତ୍ୱେ-

ଗୋଟିଏ କବିତା, ଏକ ଦୀର୍ଘଶ୍ଵାସ ।

ବଜ୍ର କଣ୍ଠର ଆହ୍ୱାନକୁ

ଚୁପ୍‌ କରି ମୁଁ ଉତ୍ତର ଦିଏ ।

କେତେ କଣ ପାଇଁ ମୁଁ ନୀରବ

ମୁଁ କହିପାରିବିନି ।

ମୁଁ ପାହାଡ଼ ତଳେ ମୂଷାଟିଏ ।

ବାଲିରେ ଆଙ୍ଗୁଳିରେ ଟଣା ଗାରପରି କ୍ଷଣସ୍ଥାୟୀ ଜୀବନ ।

ମୋ ସ୍ଵପ୍ନ ଯେତେ ସଂଖ୍ୟାଧିକ ହେବା କଥା

ସେତେ ନୁହନ୍ତି,

ଗହଳି ବା ଚିତ୍‌କାର ଠାରୁ

ସେମାନଙ୍କଠାରେ ଅଛି ବେଶୀ ନୀରବତା ।

ବେଳେବେଳେ ସାମାନ୍ୟ କିଛି ପାଇଁ

ବହୁଦିନରୁ ମୃତ କେହି ଆସି ପହଞ୍ଚିବ,

ଗୋଟିଏ ହାତ ହ୍ୟାଣ୍ଡେଲକୁ ମୋଡ଼େ,

ପ୍ରତିଧ୍ୱନିର ଅନୁବଦ୍ଧ ଶୂନ୍ୟ ଘରକୁ ଡେଇଁଯାଏ ।

ଦ୍ୱାରରୁ ନୀରବ ଉପତ୍ୟକା ମଧ୍ୟକୁ ମୁଁ ଦୌଡ଼େ ।

କାହାର ନୁହେଁ ବୋଲି ମନେ ହୁଏ-

ଯାହା ଏବେ ପୁରୁଣା କାଳିଆ ।

ମୋ ଭିତରେ ଆହୁରି ଏତେ ସ୍ଥାନ କେଉଁଠୁ ଆସେ

ମୁଁ ତା ଜାଣେନି ।

Image

 

ଉଦ୍‌ବୃତ୍ତ

 

ଆବିଷ୍କାର ହୋଇଛି

ନୂଆ ତାରାଟିଏ,

ତା ଅର୍ଥନୁହେଁ, ସେ ଉଜ୍ଜ୍ୱଳତର ହୋଇଛି,

ବା ହଜିଥିବା କିଛି ମିଳିଛି ।

ତାରାଟି ବଡ଼ ଓ ଖୁବ୍‌ ଦୂର

ଏତେ ଦୂର ବୋଲି ଛୋଟ,

ଏପରିକି ଅନ୍ୟମାନଙ୍କ ଠାରୁ ବି ସାନ,

ନିଜଠାରୁ ବି ଅନେକ ଛୋଟ ।

ଆଶ୍ଚର୍ଯ୍ୟ କିଛି ଆଶ୍ଚର୍ଯ୍ୟଜନକ ହେବନି

କେବଳ ଆମର ଯଦି ସେଥିପାଇଁ

ସମୟ ଥିବ ।

ତାରାର ବୟସ , ତାରାର ବସ୍ତୁତ୍ୱ, ତାରାର ଅବସ୍ଥିତି,

ଗୋଟିଏ ଗବେଷଣା ସନ୍ଦର୍ଭ ପାଇଁ

ଏସବୁ ଯଥେଷ୍ଟ ହୋଇ ପାରନ୍ତି,

ଆଉ ଆକାଶର ନିକଟ ବୃତ୍ତ ମାନଙ୍କର

ପରିମିତ ଏକ ଗ୍ଲାସ ମଦ୍ୟ :

ଜଣେ ମହାକାଶ ବିଜ୍ଞାନୀ, ତା'ର ପତ୍ନୀ,

ସମ୍ପର୍କୀୟ ଓ ସହକର୍ମୀ ମାନେ,

ପୋଷାକ ନିୟମ ନଥିବା

ଏକ ହାଲ୍‌କା ପରିବେଶ,

ସ୍ଥାନୀୟ ବିଷୟମାନଙ୍କୁ ନେଇ

ପାର୍ଥିବ କଥୋପକଥନ,

ଲୋକମାନେ ପାକଳୁଥାନ୍ତି ଚିପ୍‌ସ୍‌ ପରି କିଛି ।

ଚମତ୍କାର ତାରାଟିଏ,

କିନ୍ତୁ ତାହା ଯଥେଷ୍ଟ କାରଣ ନୁହେଁ,

ଖୁବ୍‌ ପାଖରେ ଥିବା

ମହିଳାମାନଙ୍କ ପାଇଁ ନ ପିଇବା ।

ପରିଣାମ ବିହୀନ ତାରାଟି,

ପାଗ, ଫେସନ, ଖେଳ ସ୍କୋର ଉପରେ,

ଯାହାର କିଛି ପ୍ରଭାବ ନଥାଏ,

ସରକାରରେ ପରିବର୍ତ୍ତନ,

ଆୟ, ଅବା ମୂଲ୍ୟବୋଧରେ ସଙ୍କଟ ।

ପ୍ରଭାବ ନଥାଏ

ପ୍ରଚାର ବା ଭାରୀ ଶିଳ୍ପ ଉପରେ,

ମସୃଣ ବୈଠକ ଟେବୁଲରେ ପ୍ରତିବିମ୍ବ ପଡ଼େ ନାହିଁ ।

ଜୀବନର ସୀମିତ ଦିନଗୁଡ଼ିକ ପାଇଁ

ଏକ ଅତିରିକ୍ତ ସଂଖ୍ୟା ।

ଆମେ କାହିଁକି ପଚାରିବା

କେତେ ତାରାତଳେ କିଏ ଜନ୍ମହେଲା,

କିଛିକ୍ଷଣ ପରେ ମୃତ୍ୟୁ ହେଲା କେଉଁ ତାରାତଳେ ?

ନୂଆ ତାରାଟିଏ ଅନ୍ତତଃ,

‘ସେ କେଉଁଠି ମୋତେ ଦେଖାଅ'

ଦନ୍ତୁରିତ ଧୂସର ବାଦଲର ଧାର

ଓ ବାମପାଖେ ସେଇ ଅକାଶିଆ ଗଛର ଡାଳମଝିରେ-

ଓଃ, ମୁଁ କହେ ।

Image

 

ଘଟଣାମାନଙ୍କର ଏକ ପ୍ରକାର ବର୍ଣ୍ଣନା

 

ଯଦି ପ୍ରକୃତରେ ଆମକୁ ବାଛିବାକୁ

ଅନୁମତି ଦିଆ ଯାଇଥାନ୍ତା,

ଆମେ ଅନେକ ସମୟ ଧରି

ଚିନ୍ତା କରିଥାନ୍ତୁ ।

ଆମକୁ ଦିଆଯାଇଥିବା ଶରୀର

ଆରାମ ଦାୟକ ତ ନଥିଲା,

ବରଂ ଭୟାନକ ଭାବରେ

କ୍ଷୟ ହୋଇଗଲା ।

କ୍ଷୁଧା ମେଣ୍ଟାଇବାଲାଗି ମାଧ୍ୟମ ଗୁଡ଼ିକ

ଆମକୁ ବ୍ୟାଧିଗ୍ରସ୍ତ କଲା ।

ଲକ୍ଷଣ ମାନଙ୍କ ନିଷ୍କ୍ରିୟ ଉତ୍ତରାଧିକାର,

ଓ ଇନ୍ଦ୍ରିୟମାନଙ୍କ ଅତ୍ୟାଚାର

ଆମକୁ ହତୋତ୍ସାହିତ କଲା,

ଆମକୁ ଘେରି ରହିଥାନ୍ତା ଯେଉଁ ପୃଥିବୀ

କ୍ଷୟ ହୋଇ ଚାଲିଥିଲା,

କାରଣମାନଙ୍କ ପ୍ରଭାବ

ତା ଉପରେ ଭାରୀ ଧ୍ୱଂସ ସାଧନ କଲେ ।

ଆମକୁ ନିରୀକ୍ଷଣ ପାଇଁ ଦିଆଯାଇଥିବା

ଅଧିକାଂଶ ଭାଗ୍ୟକୁ ଆମେ ପ୍ରତ୍ୟାଖାନ କଲୁ,

ଦୁଃଖ ଓ ଆତଙ୍କରେ ।

ଯେଉଁ ପ୍ରଶ୍ନ ଉଠିଲା ସେଗୁଡ଼ିକ ଥିଲା ଏହିପରି :

ମୃତ ଶିଶୁଟିର ପ୍ରସବରେ

କଣ ବା ଲାଭ ?

କାହିଁକି ବା ଜଣେ ନାବିକ ହେବ,

ଯଦି କେବେ ବନ୍ଦରରେ ନ ପହଞ୍ଚିବ ?

ଆମେ ମୃତ୍ୟୁ ପାଇଁ ରାଜିଥିଲୁ,

କିନ୍ତୁ ସବୁ ପ୍ରକାର ମୃତ୍ୟୁ ନୁହେଁ,

ପ୍ରେମ ଆମକୁ ଆକର୍ଷଣ କଲା

ନିଶ୍ଚୟ, କିନ୍ତୁ ସେହି ପ୍ରେମ,

ଯେ ନିଜ କଥା ରଖିଥିଲା ।

ବିଚାରଗୁଡ଼ିକର ଅସ୍ଥିରତା,

ଏବଂ ଶ୍ରେଷ୍ଠକୃତିମାନଙ୍କର ଅନିତ୍ୟତା,

ଆମକୁ ଦୂରେଇ ଦେଲା

କଳାର ସେବାରୁ ।

ସମସ୍ତେ ସ୍ଵଦେଶ ଚାହିଁଲେ,

ଯେଉଁଠି ପଡୋଶୀ ନଥିବେ,

ଏବଂ ବଂଚିବାକୁ ଚାହିଁଲେ ସମଗ୍ର ଜୀବନ

ଯୁଦ୍ଧ ମଧ୍ୟବର୍ତ୍ତୀ ବିରତିରେ ।

ଆମେ କେହି ଚାହୁଁନଥିଲୁ

କ୍ଷମତାକୁ ଅକ୍ତିଆର କରିବାକୁ,

କିମ୍ବା କ୍ଷମତାର ବଶ ହେବା ପାଇଁ,

ଆମେ କେହି ପ୍ରସ୍ତୁତ ନଥିଲୁ,

ନିଜର ବା ଅନ୍ୟ କାହାର

ପ୍ରତାରଣାର ଶିକାର ହେବାଲାଗି ।

କସାକସ୍‌ ଭିଡ଼ ବା ପ୍ୟାରେଡ଼ ପାଇଁ

ସ୍ଵେଚ୍ଛାସେବୀ ନଥିଲେ,

ଆହୁରି କମ୍‌ ଥିଲେ

ଅଦୃଶ୍ୟ ହୋଇଯାଉଥିବା ଜନଜାତି

ସଂପ୍ରଦାୟ ପାଇଁ;

କିନ୍ତୁ ସେମାନଙ୍କ ବିନା

ଇତିହାସ କେବେ ଆଗେଇ ପାରିନଥାନ୍ତା,

ଆଗରୁ ଜଣାଥିବା ଶତାବ୍ଦୀ ମଧ୍ୟରେ ।

ଏହା ମଧ୍ୟରେ

ବେଶ୍‌ କିଛି ଆଲୋକିତ ତାରା

ଚାଲିଯାଇଥିଲେ, ଶୀତଳ ହୋଇଥିଲେ;

ନିଷ୍ପତ୍ତିନେବାର ସମୟ ଆସିଯାଇଥିଲା ।

ଅନେକ ସଙ୍କୋଚ ପରେ

ଶେଷରେ କେତେଜଣ ପ୍ରାର୍ଥୀ ଆସିଲେ :

ଆବିଷ୍କାରକ, ଚିକିତ୍ସକ,

ଅପ୍ରଶଂସିତ, ଦାର୍ଶନିକ,

ଆହୁରିବି କେତେକ ଅନାମଧ୍ୟେୟ ମାଳୀ,

ସଂଗୀତଜ୍ଞ ଓ ଯାଦୁକର ମାନଙ୍କ ପାଇଁ

ଯଦିଓ ଅନ୍ୟ ନିବେଦନ ବ୍ୟତିରେକେ

ଏଇ ଜୀବନ ଗୁଡ଼ାକୁ ବି ସଫଳ କରିହେଲା ନାହିଁ ।

ପୂରା ବିଷୟଟିକୁ

ପୁନର୍ବାର ଚିନ୍ତା କରିବାକୁ ପଡ଼ିଲା,

ଆମକୁ ଏକ ଯୋଜନାବଦ୍ଧ

ଭ୍ରମଣର ପ୍ରସ୍ତାବ ଦିଆଗଲା,

ଯେଉଁ ଯାତ୍ରାରୁ ଆମେ ଫେରିବୁ,

ଶୀଘ୍ର ଓ ନିଶ୍ଚିତ ।

ଅନନ୍ତକାଳ ବାହାରେ

ରହିବା ପାଇଁ ଏକ ସୁଯୋଗ,

ଯାହା ଅବଶ୍ୟ ନୀରସ

ଏବଂ ପ୍ରସ୍ଥାନର ଧାରଣା ବିଷୟରେ ଅଜ୍ଞ,

ଯାହା ଆଉ କେବେବି ଆସି ନଥାନ୍ତା ।

ଆମେ ଥିଲୁ ସନ୍ଦେହରେ ଜୁଡ଼ୁବୁଡ଼ୁ,

ପୂର୍ବରୁ ଏ ସବୁକୁ ଜାଣି,

ସତେ କଣ ଆମେ ଜାଣିଥିଲୁ ତାକୁ ?

ଏପରି ଏକ ଅପରିପକ୍ଵ ନିର୍ବାଚନକୁ

କଣ ନିର୍ବାଚନ କୁହାଯାଇ ପାରିବ ?

ଏମିତି ଚାଲିଯିବାକୁ ଦେବା କଣ ବେଶୀ ଭଲ ନୁହେଁ ?

ଏବଂ ଆମେ ଯଦି ବାଛିବା କଥା,

ସେଇଠି ବାଛନ୍ତେ ?

ଆମେ ପୃଥିବୀ ଉପରେ ଦୃଷ୍ଟିପାତ କଲୁ ।

କିଛି ଦୁଃସାହସୀ ସେଇଠି ରହୁଥାନ୍ତି,

ପବନ ଓପାଡ଼ିବ ନାହିଁ, ଏଇ ବିଶ୍ୱାସରେ;

ନହକା ଚାରାଗଛଟିଏ

ପଥରକୁ ଲାଗି ରହିଥାଏ ।

ଛୋଟିଆ ପଶୁଟିଏ

ନିଜ କୋଣରୁ ଗୁରୁଣ୍ଡି ବାହାରୁଥିଲା,

ତାର ଚେଷ୍ଟା ଓ ଆଶା

ଆମକୁ କରୁଥିଲା ଆଶ୍ଚର୍ଯ୍ୟ;

ଆମେ ଦେଖିଲୁ,

ଆମେ ଖୁବ୍‌ ବେଶୀ ସତର୍କ ହୋଇଯାଇଛୁ,

ଆଉ ହୋଇଛୁ କ୍ଷୁଦ୍ରମନା ଓ ହାସ୍ୟାସ୍ପଦ ।

ଯାହାହେଉ, ଆମ ସଂଖ୍ୟା

କମିବା ଆରମ୍ଭ ହେଲା ଖୁବ୍‌ ଶୀଘ୍ର,

ବେଶୀ ଅଧୈର୍ଯ୍ୟମାନେ କେଉଁଆଡ଼େ ଗଲେ ।

ଅଗ୍ନିପରୀକ୍ଷା ଥିଲା ସେମାନଙ୍କ ପାଇଁ,

ଏହା ଥିଲା ସ୍ପଷ୍ଟ ।

ପ୍ରକୃତରେ, ଏକ ସତ ନଦୀର

ଗଡ଼ାଣିଆ ବନ୍ଧରେ

ସେମାନେ ଅଗ୍ନି ସଂଯୋଗ କରୁଥିଲେ ।

ଅନେକ ସେତେବେଳକୁ

ଫେରିବା ଆରମ୍ଭ କରିଥିଲେ,

କିନ୍ତୁ ଆମ ରାସ୍ତାରେ ନୁହେଁ ।

ସତେ ଯେପରି ସେମାନେ ଫେରୁଥିଲେ

ଲୁଣ୍ଠନ ସାମଗ୍ରୀ ଧରି ।

କାହାର ଲୁଣ୍ଠନ ?

Image

 

କୌଣସି ଶୀର୍ଷକ ଆବଶ୍ୟକ ନାହିଁ

 

ଏ ସବୁ ମୋ ପାଖକୁ ଆସିଛି

ସୂର୍ଯ୍ୟସ୍ନାତ ସକାଳେ

ନଦୀକୂଳେ, ଗଛ ମୂଳେ ବସିଥିବା ବେଳେ ।

ମାମୁଲି ଘଟଣାଟିଏ,

ଯାହା ଇତିହାସରେ ଲେଖା ହେବ ନାହିଁ,

ଏହା ଯୁଦ୍ଧ ନୁହେଁ ବା ସନ୍ଧି ନୁହେଁ,

ଯାହାର ଉଦ୍ଦେଶ୍ୟ ପରୀକ୍ଷିତ ହୁଏ,

ଅଥବା ଜଣେ ଅତ୍ୟାଚାରୀର ସ୍ମରଣୀୟ ହତ୍ୟା ।

 

ତଥାପି ମୁଁ ନଦୀ କୂଳରେ ବସିଛି;

ଏହା ଏକ ସତ୍ୟ ।

ଆଉ ଯେହେତୁ ମୁଁ ଏଇଠି ଅଛି

ନିଶ୍ଚେ କେଉଁଠାରୁ ଆସିଥିବି,

ଏବଂ ତା ପୂର୍ବରୁ ଯାଇଥିବି

ଆଉ କେତେ ସ୍ଥାନମାନଙ୍କୁ,

ଠିକ୍‌ ଯେପରି ଦିଗ୍‌ବିଜୟୀ

ଜଳଯାତ୍ରା କରିବା ପୂର୍ବରୁ ।

 

ସେ ଯେତେ ଅସ୍ଥାୟୀ ହେଉନା କାହିଁକି,

ପ୍ରତ୍ୟେକ ମୁହୂର୍ତ୍ତର ସ୍ପର୍ଦ୍ଧିତ (?) ଅତୀତଟିଏ ଥାଏ :

ଶନିବାର ହେବା ପୂର୍ବରୁ ତା’ର ଶୁକ୍ରବାର,

ଜୁନ୍‌ ପୂର୍ବରୁ ତା’ର ମେ' ।

ତା' ଦିଗ୍‌ବଳୟମାନେ ବାସ୍ତବ

ଯେପରି ସେନାପତିର ଦୂରବୀକ୍ଷଣ ଯନ୍ତ୍ର ।

ଏଇ ଗଛଟି ପପ୍‌ଲାର,

ବର୍ଷ ବର୍ଷ ଧରି ଏଇଠି ତା’ର ମୂଳ,

ଏଇ ନଦୀର ନାମ ରାବା

ଯାହାର ଉତ୍ପତ୍ତି କାଲି ହୋଇନାହିଁ ।

ଜଙ୍ଗଲରେ ପାଦ ଚିହ୍ନ

ଦିନେ ପୂର୍ବରୁ ଉଜ୍ଜଳି ଉଠି ନାହିଁ ।

ମେଘ ମାନଙ୍କୁ ଇତଃସ୍ତତଃ କରିବା ପାଇଁ

ବାୟୁ ତାଙ୍କୁ ଆଗ ବୋହି ଆଣିଥିବ ।

 

ଏବଂ ନିକଟରେ ବିଶେଷ କିଛି ଘଟୁ ନଥିଲେବି

ଏହାର ଅର୍ଥ ନୁହେଁ

ପୃଥିବୀରେ ବିଶଦ ବର୍ଣ୍ଣନାର ଅଭାବ ଅଛି ।

ମହାଦେଶ ମାନଙ୍କରେ

ଜନବସତିକୁ ବନ୍ଦୀ କରି ରଖିବା ଠାରୁ

କମ୍‌ ଯୁକ୍ତି ଯୁକ୍ତ ନୁହେଁ,

ବା ଦୁର୍ବଳ ଭାବରେ ବର୍ଣ୍ଣିତ ନୁହେଁ ।

 

କେବଳ ଷଡ଼ଯନ୍ତ୍ର ସହ ନୀରବତା ନଥାଏ,

ଅଭିଷେକ ପାଇଁ କେବଳ ଗୋଛା ଗୋଛା ଯୁକ୍ତି ନଥାଏ,

ବେଳାଭୂମିରେ ପଥର ପରି

ବିପ୍ଳବର ବାର୍ଷିକୀମାନ ଗୋଲାକୃତି ହୋଇଥାନ୍ତି ।

 

ପରିସ୍ଥିତିର ସୂଚୀକାମ ବହଳ ଓ ସୂକ୍ଷ୍ମ,

ଘାସରେ ପିମ୍ପୁଡ଼ିର ସିଲେଇ,

ପୃଥିବୀରେ ସିଆଁ ହୋଇଥିବା ଘାସ,

ଢେଉର ନକ୍‌ସା, ଯାହା ଦେଇ କାଠିଟିଏ ରାସ୍ତା ଖୋଜେ ।

ଏପରି ହୁଏ ଯେ, ମୁଁ ଅଛି ଓ ଦେଖୁଚି,

ମୋ ଉପରେ ପବନରେ ବୁଲୁଥାଏ

ଶ୍ଵେତ ପ୍ରଜାପତିଟିଏ,

ଯାହାର ଡେଣା ତା’ରି କେବଳ,

ଆଉ ମୋ ହାତ ଦେଇ, ଛାଇଟି ଉଡ଼ିଯାଏ;

ଆଉ କାହାର ନୁହେଁ, ତା’ରି ନିଜର ।

ଏପରି ଦୃଶ୍ୟକୁ ସାମ୍ନା କଲେ

ରହିଯାଏ ଅନିଶ୍ଚିତତାରେ-

ସତେ କ’ଣ ଯାହା ଗୁରୁତ୍ଵପୂର୍ଣ୍ଣ,

ଗୁରୁତ୍ଵହୀନ ଠାରୁ ବଡ଼ ସବୁବେଳେ ?

Image

 

ଏକ ଧନ୍ୟବାଦ ଟିପ୍‌ପଣୀ

 

ମୁଁ ସେମାନଙ୍କଠାରେ ଖୁବ୍‌ ଋଣୀ

ଯେଉଁମାନଙ୍କୁ ମୁଁ ଭଲପାଏ ନାହିଁ ।

 

ସେମାନଙ୍କ ପାଇଁ ଅନ୍ୟମାନଙ୍କ ଯତ୍ନକୁ

ଗ୍ରହଣ କରିବାରେ ଆଶ୍ଵସ୍ତି ।

 

ମୁଁ ଖୁସି ଯେ ମୁଁ ଗଧିଆ ବାଘ ନୁହେଁ,

ସେମାନଙ୍କ ମେଣ୍ଢାପଲ ପାଇଁ ।

 

ସେମାନେ ଶାନ୍ତିରେ ରହନ୍ତୁ,

ଯେହେତୁ ସେମାନଙ୍କ ସହ ମୁଁ ସ୍ଵଚ୍ଛନ୍ଦ

-ଭଲ ପାଇବା ଦିଏ ନାହିଁ

ବା ଜାଣେ ନାହିଁ କିପରି ଏ ସବୁକୁ ଗ୍ରହଣ କରିବ ।

 

ମୁଁ ସେମାନଙ୍କୁ ଅପେକ୍ଷା କରେନା

ଝରକାରୁ ଦ୍ଵାର ଯାଏ ।

ସୂର୍ଯ୍ୟଘଡ଼ି ପରି ଧୈର୍ଯ୍ୟଶୀଳ,

ପ୍ରେମ ଯାହା କେବେ ପାରି ନଥିଲା,

ମୁଁ ତାକୁ ବୁଝେ ।

ମୁଁ କ୍ଷମା ଦିଏ

ଯାହା ପ୍ରେମ କେବେ କରିବନି ।

 

ମିଳନ ସ୍ଥାନ ଓ ଚିଠି ମଧ୍ୟରେ

ଅନନ୍ତ କାଳ ବିତେ ନାହିଁ,

କେବଳ ଅଳ୍ପ କେତେଦିନ ଓ ସପ୍ତାହ ।

 

ଆମ ଯାତ୍ରା ସବୁବେଳେ ଭଲରେ କଟେ

ସଙ୍ଗୀତ ଉପଭୋଗ କରାଯାଏ,

ଗୀର୍ଜା ଭ୍ରମଣ ହୁଏ,

ନଜର ଥାଏ ପ୍ରାକୃତିକ ଦୃଶ୍ୟ ଉପରେ ।

 

ଏବଂ ଯେତେବେଳେ ସପ୍ତ ନଦୀ ଓ ପର୍ବତ

ଆମ ମଧ୍ୟରେ ଆସନ୍ତି,

ସେଗୁଡ଼ିକ ସେଇ ନଦୀ ଓ ପର୍ବତ,

ଯାହା ଯେ କୌଣସି ମାନଚିତ୍ରରେ ଥାଏ ।

 

କୃତିତ୍ଵ ସେମାନଙ୍କର,

ଯଦି ମୁଁ ତିନି ପରିସରରେ ବଞ୍ଚେ;

ଅଣକାବ୍ୟିକ ଓ ଅଣବାଚନିକ ସ୍ଥାନରେ,

ଏକ ବାସ୍ତବ, ଅପସୃୟମାନ ଦିଗ୍‌ବଳୟ ସହ ।

 

ଏପରିକି ସେମାନେ ଜାଣନ୍ତିନି,

କେତେ କ’ଣ ଧରିଥାନ୍ତି ତାଙ୍କ ଶୂନ୍ୟ ହାତରେ ।

‘ସେମାନଙ୍କୁ ମୋର କିଛି ଦବାର ନାହିଁ’

ପ୍ରେମ କହିଥାନ୍ତା

ଏଇ ଖୋଲା ବିଷୟରେ ।

Image

 

କୌଣସି ଏକ କ୍ଷୁଦ୍ର ତାରା ତଳେ

 

ଆକସ୍ମିକତାକୁ ଆବଶ୍ୟକତା କହିଥିବାରୁ

ତା ଠାରୁ ମୁଁ କ୍ଷମା ଚାହେଁ

କାଳେ ମୋର ଭୁଲ ହୋଇଥିବ,

ମୁଁ ଆବଶ୍ୟକତା ଠାରୁ ମଧ୍ୟ କ୍ଷମା ଚାହେଁ ।

ସୁଖ, କ୍ରୋଧ କରନା, ମୁଁ ତୋତେ ନିଜର ଭାବେ ବୋଲି;

ମୃତ ମାନେ ମୋତେ କ୍ଷମା କରନ୍ତୁ,

ଯେହେତୁ ସେମାନଙ୍କ ସ୍ମୃତି କ୍ଷଣସ୍ଥାୟୀ,

ସମୟ ଠାରୁ ମୁଁ କ୍ଷମା ଚାହେଁ,

ସେକେଣ୍ଡ ପିଛା ଉପେକ୍ଷିତ

ପୃଥିବୀର ପରିମାଣ ପାଇଁ ।

ପୁରୁଣା ପ୍ରେମ ଠାରୁ ମୁଁ କ୍ଷମା ଚାହେଁ,

ନୂଆକୁ ପ୍ରଥମ ଭାବେ ବ୍ୟବହାର କରିଥିବାରୁ ।

ଦୂରବର୍ତ୍ତୀ ଯୁଦ୍ଧମାନେ, ମୋତେ କ୍ଷମା ଦିଅ,

ମୋ ଫୁଲଗୁଡ଼ିକୁ ଘରକୁ ନେଇ ଆସିଥିବାରୁ,

ଖୋଲା ଘା ମାନେ, ମୋତେ କ୍ଷମା କର,

ମୋ ଆଙ୍ଗୁଳି ଫୋଡ଼ିଥିବା ପାଇଁ ।

ମୁଁ କ୍ଷମା ଚାହେଁ - ସଂଗୀତ ପାଇଁ,

ଗଭୀର ଗର୍ତ୍ତ ଭିତରୁ ଡାକୁଥିବା ଲୋକଙ୍କ ଠାରୁ;

ସଳାଳ ପାଞ୍ଚଟାରେ ରେଳ ଷ୍ଟେସନରେ

ଗାଢ଼ ନିଦରେ ଶୋଇଥିବା ମଣିଷଙ୍କ ଠାରୁ

ମୁଁ କ୍ଷମା ଚାହେଁ ।

କ୍ଷମା କର, ସନ୍ତ୍ରସ୍ତ ଆଶା,

ବେଳେବେଳେ ହସିଥିବା ପାଇଁ ।

କ୍ଷମା କର

ମରୁଭୂମିମାନେ,

ମୁଁ ଦୌଡ଼ିଯାଇ ପାରୁନି ଚାମଚେ ପାଣିନେଇ ।

ଆଉ ତୁ, ହେ ଛଞ୍ଚାଣ,

ସେଇ ପଞ୍ଜୁରୀରେ ବର୍ଷ ବର୍ଷ ଧରି ସେଇ ପକ୍ଷୀ,

ଗତିହୀନ, ଦେଖୁଥାଏ ସବୁବେଳେ ସେଇ ସ୍ଥାନଟିକୁ ।

ଧରନି ମୋ ଦୋଷ,

ତୋତେ ରୁନ୍ଧିହେବାପରି ଲାଗିଲେ ବି ।

ଗଛଠାରୁ ମୁଁ କ୍ଷମା ମାଗେ,

ଯାହା କଟାଯାଇଛି ଟେବୁଲ ଗୋଡ଼ ପାଇଁ ।

ବଡ଼ ପ୍ରଶ୍ନର ଛୋଟ ଉତ୍ତର ଦେବାହେତୁ

ମୁଁ ତା ଠାରୁ କ୍ଷମା ଚାହେଁ ।

ସତ୍ୟ, ମୋ ପ୍ରତି ଏତେ ଦୃଷ୍ଟି ଦିଅ ନାହିଁ ।

ପବିତ୍ର ଗାମ୍ଭୀର୍ଯ୍ୟ, ମୋତେ ଦୟାକର,

ହେ ଅସ୍ତିତ୍ୱର ରହସ୍ୟ, ମୋତେ ସହ୍ୟକର,

ତୁମ ଓଢ଼ଣାର ସୂତା ଟାଣିବାରୁ ।

ଆତ୍ମା, ମୁଁ ତୋତେ ଏତେ କମ୍‌ ପାଇଛି ବୋଲି

ମୋତେ ଦୋଷ ଦେବୁ ନାହିଁ ।

ମୁଁ ସବୁଠାରେ ରହି ପାରିବି ନାହିଁ ।

ମୁଁ ତେଣୁ ଚାହୁଁଛି କ୍ଷମା

ସବୁ ପଦାର୍ଥରୁ ।

ମୁଁ ସମସ୍ତଙ୍କଠାରୁ କ୍ଷମା ଚାହେଁ,

ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ କିପରି ହେବାକୁ ହୁଏ

ଜାଣି ନଥିବାରୁ ।

ମୁଁ ଜାଣେ, ଯେତେଦିନ ବଞ୍ଚିଥିବି

କେହି ମୋତେ କ୍ଷମା କରିବେନି ।

ଯେହେତୁ ମୁଁ ମୋ ନିଜର ପ୍ରତିବନ୍ଧକ,

ହେ ବାକ୍‌ ଶକ୍ତି

କଥାଟିକୁ ଧରିବନି,

ମୁଁ ଓଜନିଆ ଶବ୍ଦ ଧାର ଆଣେ,

ଓ ତାକୁ ହାଲ୍‌କା କରିବା ପାଇଁ ପରିଶ୍ରମ କରେ ବୋଲି ।

Image

 

କେତେ ଅଲୌକିକ ଘଟଣା

 

ଅଲୌକିକ ଘଟଣା ମାମୁଲି କଥା :

ଏତେ ମାମୁଲି ଅଲୌକିକ ଘଟଣା ବି ଘଟେ ।

ଏକ ସାଧାରଣ ଅଲୌକିକ ଘଟଣା :

ଗଭୀର ରାତ୍ରିରେ

ଅଦୃଶ୍ୟ କୁକୁରମାନଙ୍କ ଭୁକିବା-

ଅନେକ ଅଲୌକିକ ଘଟଣା ମଧ୍ୟରୁ ଗୋଟିଏ :

ଏକ ଛୋଟ, ହାଲ୍‌କା ମେଘ,

ତଥାପି ସେ ଏକ ବଡ଼ ଓ ଭାରୀ ଜହ୍ନର

ପ୍ରତିରୋଧ କରିପାରେ ।

 

ଗୋଟିଏରେ ବହୁ ଅଲୌକିକ ଘଟଣା

ଏକ ଆଲ୍‌ଡ଼ର୍‌ ଗଛର ପ୍ରତିବିମ୍ବ ପାଣିରେ,

ପଛହୋଇ ବାମରୁ ଡାହାଣ,

ଏବଂ ତାହା ସେଇଠି ବଢ଼େ,

ଡାଳ ପତ୍ର ତଳକୁ,

ଏବଂ କେବେ ସମ୍ପୂର୍ଣ୍ଣ ତଳେ ପହଞ୍ଚେନି,

ଯଦିଓ ପାଣି ଅଗଭୀର ।

 

ଏକ ନିତିଦିନିଆ ଅଲୌକିକ କାଣ୍ଡ :

ଦୁର୍ବଳରୁ ପରିମିତ ବାୟୁ

ପ୍ରବଳ ହୁଏ ଝଡ଼ରେ ।

କାହାରି ଦ୍ୱିତୀୟ ନୁହେଁ,

କେବଳ ଏଇ ଫଳ ବଗିଚା,

କେବଳ ସେଇ ମଞ୍ଜିରୁ ।

ଗୋଟିଏ ଅଲୌକିକ ଘଟଣା ।

ଆଲ୍‌ଖାଲା, ଟୋପିବିନା ଏକ ଅଲୌକିକ କଥା,

ଧଳା କପୋତମାନଙ୍କୁ ଇତଃସ୍ତତଃ କରି ।

 

ଏକ ଅଲୌକିକ ଘଟଣା

ଆଉ ତାକୁ କଣ ବା କହିବା :

ଆଜି ତିନିଟା ଚଉଦରେ ସୂର୍ଯ୍ୟ ଉଦୟ ହେଲା

ଏବଂ ଆଠଟା ଏକରେ ଅସ୍ତ ହେବ ।

 

ଏକ ଅଲୌକିକ ଘଟଣା,

ଯେତିକି ହେବା କଥା ତା’ଠାରୁ କମ୍‌ ବିସ୍ମୟଜନକ,

ଯଦିଓ ହାତରେ ଛ’ରୁ କମ୍‌ ଆଙ୍ଗୁଳି ଥାଏ,

ତଥାପି ଥାଏ ଚାରିରୁ ବେଶୀ ।

 

ଗୋଟିଏ ଅଲୌକିକ କଥା,

ଚାରି ଆଡ଼କୁ ଖାଲି ଦୃଷ୍ଟି ପକାଅ,

ସବୁଠି ପୃଥିବୀ ଅଛି ।

 

ଏକ ଅତିରିକ୍ତ ଅଲୌକିକ ଘଟଣା,

ଯେହେତୁ ସବୁ କିଛି ଅତିରିକ୍ତ,

ଅଚିନ୍ତନୀୟ ହେଉଛି ଚିନ୍ତନୀୟ ।

Image

 

ଜଣେ ମହାନ୍‌ ଲୋକଙ୍କ ଘର

 

ସ୍ଵର୍ଣ୍ଣିମ ଅକ୍ଷରରେ ମାର୍ବଲରେ ଲେଖା ହୋଇଛି :

ଏଇଠି ଜଣେ ମହାନ୍‌ ଲୋକ ରହୁଥିଲେ ଏବଂ କାମ କରୁଥିଲେ,

ଆଉ ମୃତ୍ୟୁ ବରଣ କଲେ ।

ସେ ଏଇ ରାସ୍ତା ଗୁଡ଼ିକରେ ଗୋଡ଼ି ବିଛେଇଲେ ।

‘ଏଇ ବେଞ୍ଚ ଛୁଅଁ ନାହିଁ’; ସେ ନିଜେ ପଥରରେ ଖୋଦେଇଲେ

ଏବଂ-ସାବଧାନ, ତିନି ପାହାଚ-

ଆମେ ଭିତରକୁ ଯାଉଛୁ ।

 

ଠିକ୍‌ ସମୟରେ ସେ ପୃଥିବୀକୁ ଆସିଲେ ।

ଯାହା କିଛି ହେବାର ଥିଲା, ଏଇ ଘରେ ହେଲା ।

ନଭଶ୍ଟୁମ୍ବୀ ଅଟ୍ଟଳିକାରେ ନୁହେଁ,

ଯାହା ବର୍ଗଫୁଟରେ ମପାଯାଇ ପାରିବନି,

ସଜାହୋଇଥିବ, ମାତ୍ର ଫାଙ୍କା ଲାଗୁଥିବ ।

 

ଅଜ୍ଞାତ ପଡୋଶୀମାନଙ୍କ ମଧ୍ୟରେ,

କେଉଁ ଏକ ପନ୍ଦର ମହଲାରେ,

ଯେଉଁଠି ସ୍କୁଲପିଲାଙ୍କ କ୍ଷେତ୍ର ପରିଦର୍ଶନ

କରାଇବା କଷ୍ଟ ।

 

ଏଇ କୋଠରିରେ ସେ ରୋମନ୍ଥନ କରୁଥିଲେ,

ଏଇ କୋଣରେ ସେ ଶୋଉଥିଲେ,

ଏବଂ ଏଇଠି ସେ ଅତିଥି ଚର୍ଚ୍ଚା କରୁଥିଲେ ।

ଛବି, ଏକ ଇଜି ଚେଆର, ଡେସ୍କ, ପାଇପ୍‌

ଗ୍ଲୋବ୍‌, ଗୋଟିଏ ବଂଶୀ,

ଫିକା ପଡ଼ିଥିବା ଦରି,

ଏକ ସୂର୍ଯ୍ୟାଲୋକିତ କୋଠରି,

ଏଇଠୁ ସେ ଭାବଭଂଗୀ ବିନିମୟ କରୁଥିଲେ

ଦରଜି ଓ ମୋଚି ସହ, ଯେଉଁମାନେ

ତାଙ୍କ ମାପରେ ଜିନିଷ ତିଆରି କରୁଥିଲେ ।

 

ଏହା ବାକ୍‌ସରେ ଥିବା ଫଟୋ ସହ ଏକା କଥା ନୁହେଁ,

ପ୍ଲାଷ୍ଟିକ ଷ୍ଟାଣ୍ଡରେ ଶୁଖିଯାଇଥିବା କଲମ,

ଦୋକାନରୁ କଣା ଆଲମାରୀରେ

ଦୋକାନରୁ କିଣା ପୋଷାକ ରଖିବାସ୍ଥାନ,

ଲୋକଙ୍କଠାରୁ ମେଘ ବେଶୀ ଭଲ

ଝରକାଟିଏ, ଯେଉଁଠାରୁ ମଣିଷଙ୍କ ଅପେକ୍ଷା

ମେଘ ବେଶୀ ଭଲ ଦେଖାଯାଏ ।

 

ସୁଖୀ ? ଅସୁଖୀ ?

ଏହା ଏଠି ପ୍ରାସଙ୍ଗିକ ନୁହେଁ ।

ସେ ତଥାପି ଚିଠିରେ ମନ କଥା କହୁଥିଲେ,

ରାସ୍ତାରେ ସେଗୁଡ଼ିକ କିଏ ଖୋଲିବ

ଏହା ସେ ଭାବୁନଥିଲେ ।

 

ସେ ତଥାପି ବିଶଦ ଓ ସଚ୍ଚୋଟ

ଡାଇରୀଟିଏ ଲେଖୁଥିଲେ ।

ସନ୍ଧାନବେଳେ କାଳେ ହଜିଯିବ,

ଏ ଭୟ ତାଙ୍କର ନଥିଲା ।

ଧୂମକେତୁ ଆସିବା ତାଙ୍କ ପାଇଁ

ସବୁଠାରୁ ବେଶୀ ଚିନ୍ତାର କାରଣ ଥିଲା,

ପୃଥିବୀର ଧ୍ୱଂସ ଥିଲା କେବଳ ଈଶ୍ଵରଙ୍କ ହାତରେ ।

 

ତାଙ୍କର ମୃତ୍ୟୁ ହେଲା,

କିନ୍ତୁ ସୌଭାଗ୍ୟକୁ ଡାକ୍ତରଖାନାରେ ନୁହେଁ,

ବା କୌଣସି ନାମହୀନ ଧଳା କନା ପଛରେ ।

ଗୁଣୁଗୁଣୁ ହୋଇ ସେ କଣ କହୁଥିଲେ,

ତାକୁ ମନେ ରଖିବା ପାଇଁ

ତଥାପି ଜଣେ ଲୋକ ତାଙ୍କ ପାଖରେ ଥିଲା ।

 

ଯେପରିକି ପୁନଃ ବ୍ୟବହାର ହେବାପରି

ଜୀବନଟେ ସେ ପାଇଥିଲେ :

ବନ୍ଧେଇବା ପାଇଁ ସେ ନିଜ ବହି ପଠାଉଥିଲେ,

ମୃତ ଲୋକଙ୍କ ନାଁ ସବୁ

ଠିକଣା ବହିରୁ କାଟୁ ନଥିଲେ,

ଆଉ ଘର ପଛଆଡ଼େ

ଯେଉଁସବୁ ଗଛ ସେ ଲଗାଇଥିଲେ,

ସେମାନେ ତଥାପି ତାଙ୍କ ପାଇଁ ହିଁ ବଢ଼ୁଥିଲେ ।

Image

 

ପୋଲ ଉପରେ ଲୋକ

 

ଅଜବ ଗ୍ରହ ଏବଂ ତା’ ଉପରେ ଅଜବ ଲୋକ,

ସେମାନେ ସମୟ ନିକଟରେ ହାର ମାନନ୍ତି,

କିନ୍ତୁ ସମୟକୁ ଚିହ୍ନିବାକୁ ଚାହାନ୍ତିନି ।

ପ୍ରତିବାଦ ଜଣାଇବା ପାଇଁ ସେମାନଙ୍କ ନିଜ ରାସ୍ତା ଅଛି

ସେମାନେ ଚିତ୍ର କରନ୍ତି ଏଇ ପରି :

ପ୍ରଥମ ଦୃଷ୍ଟିପାତରେ କିଛି ନଥିଲା ଅସାଧାରଣ ।

ପାଣି ଦେଖାଯିବ,

ଏକ ନଦୀ କୂଳ,

ସୁଅ ବିପରୀତରେ କଷ୍ଟକରି ଯାଉଥିବା

ଅଣ ଓସାର ଡଙ୍ଗାଟିଏ,

ପାଣି ଉପରେ ଗୋଟିଏ ପୋଲ

ଏବଂ ପୋଲ ଉପରେ ଲୋକ ।

ଏହା ପରିଷ୍କାରଯେ ସେମାନେ ଚଞ୍ଚଳ ପାଦ ପକାଉଛନ୍ତି,

କଳା ବାଦଲରୁ ବର୍ଷା ପଡ଼ିବା ବେଳକୁ ।

କଥା ହେଉଛି, ଏହା ପରେ ଆଉ କିଛି ହୁଏନି,

ମେଘ ତା’ର ଆକୃତି ବା ରଙ୍ଗ ବଦଳାଏ ନାହିଁ,

ବର୍ଷା ବନ୍ଦ ହୁଏ ନାହିଁ ବା ବଢ଼େ ନାହିଁ,

ଡଙ୍ଗାଟି ଗତି ନ କରି ବି ଗତି କରୁଥାଏ

ପୋଲ ଉପରେ ଥିବା ଲୋକମାନେ ଦୌଡ଼ନ୍ତି,

ପୂର୍ବରୁ ଠିକ୍‌ ଯେଉଁଠାରେ ଦୌଡ଼ିଥିଲେ ।

ଧାରା ବିବରଣୀ ବିନା ଆଗେଇବା ମୁସ୍କିଲ :

ଏହା ମୋଟେ ନିରୀହ ଛବିଟିଏ ନୁହେଁ,

ସମୟକୁ ଏଇଠି ଅଟକାଯାଇଛି,

ଏହାର ଆଇନ୍‌କୁ

ଖାତିର କରାଯାଏ ନାହିଁ ।

ଘଟଣାପ୍ରବାହ ଉପରେ ତାର ପ୍ରଭାବ ନଥାଏ,

ଉପେକ୍ଷିତ ଓ ଅସମ୍ମାନିତ ସେ ।

ଜଣେ ବିପ୍ଲବୀକୁ ଧନ୍ୟବାଦ,

ଜଣେ ହିରୋଶିଗେ ଉଟାଗାଏ

(ଯାହାଙ୍କର ତିରୋଧାନ ହେଲା ବହୁଦିନ ତଳେ)

ସମୟ ଝୁଣ୍ଟିଲା ଓ ତଳେ ପଡ଼ିଗଲା ।

ବୋଧହୁଏ ଏହା ଅର୍ଥହୀନ ତାମସା ମାତ୍ର ଥିଲା,

ଅଛ କେତୋଟି ଛାୟାପଥ ପରି ମର୍ଜି

ଯଦି ଦରକାର ପଡ଼େ,

ଏହାପରେ କ’ଣ ଘଟିବ, ଦେଖାଯାଉ ।

କେତେ ପୁରୁଷ ଧରି ଏହା ଭଲ ରୁଚିର ବୋଲି

ବିଚାର କରାଯାଇଛି,

ଏଇ ଚିତ୍ରଟିକୁ ସମ୍ମାନ ଦେବା,

ତାକୁ ପ୍ରଶଂସା କରିବା, ଏବଂ ତା ଦ୍ଵାରା

ମୁଗ୍‌ଧ ହେବା ।

କେତେକଙ୍କ ପାଇଁ ସେତିକି ଯଥେଷ୍ଟ ନୁହେଁ,

ସେମାନେ ବର୍ଷାର ଶବ୍ଦ ଶୁଣନ୍ତି,

ବେକ ଓ କାନ୍ଧରେ ବର୍ଷା ବିନ୍ଦୁର

ଶୀତଳ ସ୍ପର୍ଶ ଅନୁଭବ କରନ୍ତି,

ସେମାନେ ପୋଲ ଓ ତା’ ଉପରେ ଥିବା

ଲୋକଙ୍କୁ ଦେଖନ୍ତି,

ଯେମିତି ନିଜକୁ ହିଁ ଦେଖନ୍ତି ସେଇଠି,

ସେଇ ଶେଷହୀନ ଦୌଡ଼ରେ,

ଚିରଦିନ ଭ୍ରମଣ କରିବାକୁ ଥିବା

ଅସରନ୍ତି ରାସ୍ତାରେ ।

ଏବଂ ସେମାନଙ୍କ ଧ୍ରୁଷ୍ଟତାଯେ

ଏହା ସତ ବୋଲି ସେମାନେ ବିଶ୍ଵାସ କରନ୍ତି ।

Image

 

Unknown

କିଛିଲୋକ କବିତାକୁ ଭଲ ପାଆନ୍ତି

 

କିଛିଲୋକ-

ତା ଅର୍ଥ, ସମସ୍ତେ ନୁହନ୍ତି ।

ଏପରିକି ସଂଖ୍ୟା ଗରିଷ୍ଠ ବି ନୁହେଁ,

କିନ୍ତୁ ସଂଖ୍ୟା ଲଘୁ ।

ସ୍କୁଲକୁ ହିସାବକୁ ନ ନେଇ

ଯେଉଁଠି ଜଣେ ବାଧ୍ୟ,

ବା କବିମାନେ ନିଜେ,

ହୁଏତ ହଜାରରେ ଦୁଇଜଣ ଏମିତି ଥାଇପାରନ୍ତି ।

ଯେମିତି-

ଜଣକୁ ‘ଚିକେନ୍‌ ନୁଏଲ୍‌’ ସୁପ୍‌ ମଧ୍ୟ ଭଲ ଲାଗେ

ଜଣକୁ ପ୍ରଶଂସା ଭଲ ଲାଗେ, ଏବଂ ନୀଳ ରଙ୍ଗ ଭଲ ଲାଗେ,

ଜଣେ ପୁରୁଣା ସ୍କାର୍ଫକୁ ଭଲପାଏ,

ନିଜ ମତକୁ ଜଣେ ପ୍ରମାଣ କରିବାକୁ ଭଲ ପାଏ,

ଜଣେ ଭଲ ପାଏ କୁକୁରକୁ ଥାପୁଡ଼ାଇବାକୁ ।

 

କବିତା-

କିନ୍ତୁ କିଭଳି ଜିନିଷ କବିତା ?

ଅନେକ ଟଳମଳ ଉତ୍ତର

ଦିଆଯାଇଛି ଏ ପ୍ରଶ୍ନର ।

କିନ୍ତୁ ମୁଁ ଜାଣେ ନାହିଁ ଓ ଜାଣେ ନାହିଁ

ଏବଂ ତାକୁ ଧରି ରହେ,

ଯେମିତି ସିଡ଼ିର ବାଡ଼କୁ ।

Image

 

ମୃତ୍ୟୁ ଉପରେ, ବିନା ଅତିରଞ୍ଜନରେ

 

ସେ ପରିହାସକୁ ଅଲଗା କରିପାରିବନି

ତାରାଠାରୁ, ବା ପୋଲ ଠାରୁ;

ବୁଣିବା, ଖଣି ଖୋଳିବା ବା ଚାଷ କରିବା,

ଜାହାଜ ତିଆରି ବା ପାଉଁରୁଟି ତିଆରି ଠାରୁ ।

 

ଆମେ ଯେତେବେଳେ ଆମ ଭବିଷ୍ୟତ

ଯୋଜନା ଆଲୋଚନା କରୁ,

ଏହା ଶେଷ ଶବ୍ଦରେ ମିଳିବାର ଅଛି,

ବିଷୟ ବାହାରେ ।

ଏପରିକି ସେ ଜାଣେ ନାହିଁ,

ତା’ ବ୍ୟବସାୟ ସହ ସିଧା ସମ୍ପର୍କିତ

ବିଷୟ ମାନଙ୍କୁ :

କବର ଖୋଳିବା,

କଫିନ ତିଆରି କରିବା,

କାମ ପରେ ସଫା ସଫି କରିବା ।

 

ମାରିବାରେ ଏତେ ବ୍ୟସ୍ତ ଯେ

ତା’ କାମଟିକୁ ଠିକ୍‌ ଭାବେ କରେ ନାହିଁ,

ବ୍ୟବସ୍ଥା ବା ଦକ୍ଷତା ବିନା

ଯେମିତି ଆମ ପ୍ରତ୍ୟେକଙ୍କୁ ମାରି ହିଁ

ସେ ଶିଖୁଥାଏ ।

 

ଜୟ ବ୍ୟତିରେକେ

ପରାଜୟ କଥା କିପରି,

ଠିକ୍‌ ଯାଗାରେ ବାଜୁ ନଥିବା ପାହାର

ଏବଂ ଦ୍ୱିତୀୟବାର ଚେଷ୍ଟା ।

ବେଳେ ବେଳେ ତା’ର ଶକ୍ତି ନଥାଏ

ପବନରୁ ମାଛିଟିକୁ ତଡ଼ିଦେବା ପାଇଁ,

ଘୁଷୁରୀ, ଚାଲିବା ଦୌଡ଼ରେ

ସଁବାଳୁଆଠାରୁ ବି ହାରିଯାଇଛି ।

 

ଏଇ କନ୍ଦା, ବାଜ ଆବରଣ ମାନ

ଛୁଇଁ ଜାଣୁଥିବା ଅଂଗ,

ମାଛ ଡେଣା, ଶ୍ଵାସନଳୀ,

ବିବାହ ପୋଷାକ ଓ ଶୀତ ଲୁଗା-

ଏ ସବୁ ପ୍ରମାଣ କରନ୍ତି

ତା’ଅଳସୁଆମିରୁ ରହିଥିବା ବାକି କାମ ।

 

ବିଦ୍ୱେଷ ଯଥେଷ୍ଟ ନୁହେଁ,

ଏପରିକି ଯୁଦ୍ଧ ଓ ସାମରିକ ବିଦ୍ରୋହରେ ଆମ ସାହାଯ୍ୟ

ଖୁବ୍‌ କମ୍‌, ବହୁ ଦୂର ।

 

ଅଣ୍ଡା ଭିତରେ ହୃତ୍‌ପିଣ୍ଡ ଦକ୍‌ ଦକ୍‌ ହେଉଛି,

ଶିଶୁମାନଙ୍କ କଙ୍କାଳ ବଢ଼ୁଛି,

ମଞ୍ଜିମାନେ ସେମାନଙ୍କ ପ୍ରଥମ ଦୁଇଟିପତ୍ର ଖୋଲୁଛନ୍ତି,

ଏବଂ ଏପରିକି ଦିଗ୍‌ବଳୟରେ ଡେଙ୍ଗା ଗଛମାନେ ।

 

ଯେ କେହି ଦାବୀ କରୁଛି ସେ ସର୍ବଶକ୍ତିମାନ,

ନିଜେ ଜୀବନ୍ତ ପ୍ରମାଣ ଯେ

ସେ ସର୍ବଶକ୍ତିମାନ୍‌ ନୁହେଁ ।

ଏମିତି କିଛି ଜୀବନ ନାହିଁ

ଯାହା ଅମର ହୋଇ ପାରିବନି,

ଏକ ସେକେଣ୍ଡର ଭଗ୍ନାଂଶ ପାଇଁ ହେଲେବି ।

ମୃତ୍ୟୁ ସବୁବେଳେ ପହଞ୍ଚେ

ସେଇ ମୁହୂର୍ତ୍ତ ପରେ ।

ଅଯଥାରେ ସେ ଠକ୍‌ ଠକ୍‌ କରେ

ଅଦୃଶ୍ୟ ଦରଜା ଉପରେ ।

 

ଯେତେ ବେଶୀ ଜଣେ କରିଥାଉ,

ସେତିକି ସେ କଦାପି ନେଇ ପାରେନା ।

Image

 

ପିଏଟା

 

ସେଇ ସହରରେ, ଯେଉଁଠି ନାୟକ ଜନ୍ମ ହୋଇଥିଲା ।

ତୁମେ ଏହା କରିପାର :

ସ୍ମାରକୀକୁ ଚାହିଁବ, ତାର ଆକାରକୁ ପ୍ରଶଂସା କରିବ,

ଶୂନ୍ୟ ସଂଗ୍ରହାଳୟର ପାହାଚରୁ

ଦୁଇଟି କୁକୁଡ଼ାକୁ ଘଉଡ଼ାଇ ଦେବ,

ତା’ର ମା’ଙ୍କ ଠିକଣା ପଚାରିବ ।

ବାଡ଼େଇବ, କଡ଼ କଡ଼ ଶବ୍ଦ କରୁଥିବା

ଦରଜାକୁ ଠେଲି ଖୋଲିବ ।

ସେ ସଳଖ ମଣିଷ, ତା’ର କେଶ ସିଧା,

ତା ଦୃଷ୍ଟି ପରିଷ୍କାର ।

ତୁମେ ଏଇ ମାତ୍ର ପୋଲାଣ୍ଡରୁ ପହଁଚିଛ

ବୋଲି ତାକୁ କହିପାର ।

ତୁମେ ସମ୍ଭାଷଣ ଶୁଣିପାର ।

ତୁମେ ଜୋରରେ ପ୍ରଶ୍ନ କରିବ,

ସ୍ପଷ୍ଟ ଭାବରେ ।

ହଁ, ସେ ତାକୁ ଖୁବ୍‌ ଭଲ ପାଉଥିଲା ।

ହଁ, ସେମିତି ଜନ୍ମ ହୋଇଥିଲା ।

ହଁ, ସେ ଦିନ ସକାଳେ ସେ ଜେଲ୍‌ କାନ୍ଥ

ପାଖରେ ଛିଡ଼ା ହୋଇଥିଲା,

ହଁ, ସେ ଗୁଳିଶବ୍ଦ ଶୁଣିଲା ।

ତୁମେ ଅନୁତାପ କରିବ କ୍ୟାମେରା ଆଣି ନଥିବାରୁ,

ଆଉ ଏକ ଟେପ ରେକର୍ଡର ।

ହଁ, ସେ ଏପରି ଜିନିଷ ଦେଖିଛି

ସେ ତା’ର ଶେଷ ଚିଠି ରେଡ଼ିଓରେ ପଢ଼ିଥିଲା ।

ଥରେ ଗାଇଥିଲା ଟେଲିଭିଜନରେ

ତାର ପ୍ରିୟ ନାନାବାୟା ଗୀତ ।

ଏବଂ ଏପରିକି ଥରେ ସେ ସିନେମାରେ

ଅଭିନୟ କରିଥିଲା

ଉଜ୍ଜଳ ଆଲୋକରେ କାନ୍ଦି କାନ୍ଦି ।

ହଁ, ସ୍ମୃତି ତାକୁ ତଥାପି ଆନ୍ଦୋଳିତ କରେ ।

ହଁ, ଏବେ ସାମାନ୍ୟ କ୍ଲାନ୍ତ,

ତାକୁ ଧନ୍ୟବାଦ ଦିଅ, କୁହ ‘ବିଦାୟ’ ।

ପ୍ରସ୍ଥାନ କର,

ଦେଖିବ, ହଲ୍‌ରେ ଏକ ନୂଆ ସିନେମା ଆସିଛି ।

Image

 

ପାରିଥାନ୍ତା

 

ଏହା ହୋଇ ପାରିଥାନ୍ତା,

ଏହା ହେବାର ହିଁ ଥିଲା ।

ପୂର୍ବେ ତାହା ହୋଇଥିଲା । ପରେ ।

ପାଖରେ । ଦୂରରେ ।

ଏହା ହେଲା, କିନ୍ତୁ ତୁମପାଇଁ ନୁହେଁ ।

ତୁମେ ବଞ୍ଚିଗଲ ଯେହେତୁ ତୁମେ ପ୍ରଥମ ଥିଲ ।

ତୁମେ ବଞ୍ଚିଗଲ ଯେହେତୁ ତୁମେ ଶେଷ ଥିଲ ।

ଏକୁଟିଆ । ଅନ୍ୟ ମାନଙ୍କ ସହ ।

ଡାହାଣ ପାଖରେ । ବାମ ପାଖ ।

ଯେହେତୁ ବର୍ଷା ହେଉଥିଲା । ଛାଇ ଯୋଗୁଁ ।

ଯେହେତୁ ଦିନଟି ଖରାଟିଆ ଥିଲା ।

ତୁମର ଭାଗ୍ୟ ଭଲ ଥିଲା-

ସେଇଠି ଥିଲା ଜଙ୍ଗଲ ।

ତୁମର ଭଲ ଭାଗ୍ୟ ଥିଲା-

ସେଠି ଗଛ ନଥିଲା ।

ତୁମର ଭାଗ୍ୟ ଭଲ-

ଗୋଟିଏ ରେକ୍‌, ଅଙ୍କୁଶ, ବର୍ଗା ଓ ବ୍ରେକ୍‌ ଥିଲା ।

ତୁମର ଭାଗ୍ୟ ଭଲ ଥିଲା-

ଠିକ୍ ସେତିକି ବେଳେ କୁଟାଖିଅଟିଏ ଭାସିଗଲା ।

ସେଇ କାରଣରୁ, ଯେହେତୁ, ଯଦ୍ୟପି, ସତ୍ତ୍ୱେ,

କଣ ହୋଇଥାନ୍ତା ଯଦି ହାତ ବା ପାଦଟିଏ,

ଏକ ଇଞ୍ଚ ଭିତରେ, ଏକ ଦୁର୍ଭାଗ୍ୟଜନକ

ମେଳକରୁ କେଶ ପ୍ରମାଣ ଦୂରତାରେ ଥାଆନ୍ତା ।

ତେଣୁ ତୁମେ ତାହେଲେ ଏଇଠି,

ତଥାପି ବିଭ୍ରାନ୍ତ ଆଉ ଏକ ଫାଙ୍କିବାରୁ,

ମରୁ ମରୁ ବଞ୍ଚିବା, ଦଣ୍ଡ ସ୍ଥଗିତ ରହିବା ?

ଗୋଟିଏ ମାତ୍ର ଫାଙ୍କ ଜାଲରେ,

ଏବଂ ତୁମେ ଖସିଗଲ ?

ମୁଁ ଆଉ ବେଶୀ ଆଶ୍ଚର୍ଯ୍ୟ କିମ୍ବା ବାକ୍‌ଶକ୍ତିହୀନ

ହୋଇ ପାରିନଥାନ୍ତି ।

ଶୁଣ,

ମୋ ଭିତରେ ତୁମ ହୃଦୟ କିପରି ଧକ୍‌ ଧକ୍‌ କରେ ।

Image

 

ମୃତମାନଙ୍କ ଚିଠି

 

ଆମେ ମୃତମାନଙ୍କ ଚିଠି ପଢ଼ୁ

ଅସହାୟ ଦେବତା ମାନଙ୍କ ପରି,

କିନ୍ତୁ ତଥାପି ଦେବତା,

ଯେହେତୁ ଆସୁଥିବା ତାରିଖ ମାନଙ୍କୁ

ଆମେ ଜାଣୁ ।

ଆମେ ଜାଣୁ କେଉଁ ୠଣ କଦାପି ପରିଶୋଧ ହେବ ନାହିଁ ।

କେଉଁ ବିଧବାମାନେ ପୁଣି ବିବାହ କରିବେ,

ଶବ ତଥାପି ଉଷ୍ମ ଥିବା ବେଳେ ।

ବିଚରା ମଲା ଲୋକ,

ଆଖିରେ ଅନ୍ଧ ପୁଟଳି,

ସହଜେ ବିଶ୍ୱାସ କରେ, ଭୁଲ୍‌ କରି ବସେ,

ଦୟନୀୟ ଭାବେ ସାବଧାନ,

ପଛରେ ଲୋକେ କିପରି ମୁହଁ କରନ୍ତି

ଆମେ ଦେଖୁ ।

ଉଇଲ୍‌ ଛିଣ୍ଡା ହେବାର ଶବ୍ଦ ଆମେ ଶୁଣୁ ।

ମଲାଲୋକେ ଆମ ସାମ୍ନାରେ ବସନ୍ତି

ହାସ୍ୟୋଦ୍ଦୀପକ ଭାବରେ,

ଯେପରି ଲହୁଣୀ ଲଗା ପାଉଁରୁଟି ଉପରେ,

ବା ମୁଣ୍ଡରୁ ଉଡ଼ିଯାଉଥିବା ଟୋପିର

ବେଦମ୍‌ ପିଚ୍ଛା କରନ୍ତି

ସେମାନଙ୍କ ମନ୍ଦ ରୁଚି,

ନେପୋଲିଅନ୍, ବାଷ୍ପ, ବିଜୁଳି,

ଭଲ ହୋଇପାରୁଥିବା ରୋଗପାଇଁ

ସେମାନଙ୍କ ସାଙ୍ଘାତିକ ପ୍ରତିକାର,

ସେଣ୍ଟଜନ୍‌ଙ୍କ ମତ ଅନୁସାରେ

ସେମାନଙ୍କ ମୂର୍ଖ ପ୍ରଳୟ,

ପୃଥିବୀରେ ସେମାନଙ୍କ ଅଚଳ ସ୍ଵର୍ଗ,

ଜାଁ ଜାକ୍‌

ଯେମିତି କହିଥିଲେ ।

ସେମାନଙ୍କ ଚେସ୍‌ ପଟା ଉପରେ

ସୈନ୍ୟମାନଙ୍କୁ ଆମେ ନୀରବରେ ଦେଖୁଁ,

ଯଦିଓ ଆମେ ସେମାନଙ୍କୁ ଦେଖୁ

ତିନି ବର୍ଷ ପରେ ।

ମୃତମାନେ ଯାହା ଭବିଷ୍ୟତ ବାଣୀ କରିଥିଲେ

ତା’ଠାରୁ ସଂପୂର୍ଣ୍ଣ ଅଲଗା ହୋଇଛି ଘଟଣା-

ବା ସାମାନ୍ୟ ଅଲଗା-

ମାନେ ସଂପୂର୍ଣ୍ଣ ଅଲଗା ।

ସେମାନଙ୍କ ଶବ୍ଦରୁ ସବୁଠାରୁ ଉତ୍ସୁକ,

ବିଶ୍ଵାସର ସହ ଆମ ଆଖିକୁ ଚାହାନ୍ତି,

ସେଇଠି ସେମାନେ ପରିପୂର୍ଣ୍ଣତା ପାଇବେ,

ତାଙ୍କ ହିସାବ କହେ ।

Image

 

ବିଜ୍ଞାପନ

 

ମୁଁ ଏକ ନିଶ୍ଚେତକ

ମୁଁ ଘରେ ଖୁବ୍‌ ପାରିବାର ।

ମୁଁ ଦପ୍ତରରେ କାମ କରେ

ମୁଁ ପରୀକ୍ଷା ଦେଇପାରେ

ସାକ୍ଷୀ ହୋଇପାରେ ।

ଭଙ୍ଗା କପ୍‌ ମାନଙ୍କୁ

ମୁଁ ଯତ୍ନରେ ମରାମତି କରେ ।

ତମକୁ କେବଳ ଏତିକି କରିବାକୁ ପଡ଼ିବ;

ମୋତେ ନେବ,

ଜିଭତଳେ ମିଳେଇ ଯିବାକୁ ଦେବ,

ଆଉ ପାଣି ଗ୍ଲାସେ ସହ

କେବଳ ଗିଳି ଦେବ ।

ଦୁର୍ଭାଗ୍ୟର କିପରି ସାମ୍ନା କରାଯାଏ

ମୋତେ ଜଣା ।

ମୁଁ ଜାଣେ ଦୁଃସମ୍ବାଦ ଗ୍ରହଣ କରିବା ।

ମୁଁ ଅନ୍ୟାୟକୁ ଛୋଟ କରିପାରେ,

ଈଶ୍ଵରଙ୍କ ଅନୁପସ୍ଥିତିକୁ ଆଲୋକିତ କରିପାରେ,

ତମ ମୁହଁକୁ ମାନିବା ପରି

ବିଧବାର ଓଢ଼ଣା ଟେକିପାରେ ।

ତୁମେ କଣ ପାଇଁ ଅପେକ୍ଷା କରୁଛ-

ମୋ ରାସାୟନିକ କରୁଣା ଉପରେ ବିଶ୍ଵାସ ରଖ ।

ତୁମେ ଏବେ ବି ତରୁଣ ତରୁଣୀ,

ହାଲ୍‌କା ହେବାକୁ ଶିଖିବା ଲାଗି

ଏବେ ବି ଡେରି ହୋଇନି ।

କିଏ କହେ

ଦେଖାଇବା ପାଇଁ

ତୁମ ଚିବୁକରେ ?

ତୁମ ଅତଳ ଗହ୍ଵରରେ

ମୁଁ ନିଦ୍ରାର ଗଦି ପାରିଦେବି,

ତୁମେ ମୋତେ ଧନ୍ୟବାଦ ଦେବ,

ପଡ଼ିବା ପାଇଁ ଚାରୋଟି

ପଂଝା ଦେଇଥିବା ଯୋଗୁ ।

ତୁମର ଆତ୍ମା ବିକିଦିଅ ମୋତେ,

ତାକୁ ନେବା ପାଇଁ ଆଉ କେହି ନାହାନ୍ତି ।

ଆଉ କେହି ଶୈତାନ ନାହାନ୍ତି ଏବେ ।

Image

 

ସତ ଭଲ ପାଇବା

 

ସତ ଭଲ ପାଇବା । ଏହା କଣ ସ୍ଵାଭାବିକ,

ଗମ୍ଭୀର ଓ ବ୍ୟାବହାରିକ ?

ପୃଥିବୀ କଣ ପାଏ ଦୁଇଜଣଙ୍କଠାରୁ,

ଯେଉଁମାନେ ଥା’ନ୍ତି ନିଜ ପୃଥିବୀରେ ।

ବିନା କିଛି ଭଲ କାରଣରୁ,

ଏକାଠି ସ୍ତମ୍ଭ ବେଦୀ ଉପରେ,

ନିୟୁତ ଲୋକଙ୍କ ମଧ୍ୟରୁ ଯେ କେହି ଦୁଇ ଜଣ,

କିନ୍ତୁ ଅଟଳ ବିଶ୍ଵାସ ଯେ

ଏହାହିଁ ହେବାର ଥିଲା-

କାହା ପାଇଁ ପୁରସ୍କାର ?

କିଛି ବି କାରଣ ନାହିଁ ।

କେଉଁଠୁ ଅବା ଆଲୋକ ଆସେ, ।

କାହିଁକି ଏ ଦୁଇଜଣଙ୍କ ଉପରେ ପଡ଼େ

ଏବଂ ଅନ୍ୟମାନଙ୍କ ଉପରେ ନୁହେଁ ?

ଏହା କ’ଣ ନ୍ୟାୟକୁ ଅପମାନ କରେ ନାହିଁ ?

ହଁ କରେ ।

ଏହା କଣ ଆମେ କଷ୍ଟ କରି

ଗଢ଼ିଥିବା ନୀତିକୁ ଭାଙ୍ଗିଦିଏ ନାହିଁ,

ନୈତିକତାକୁ ଶିଖରରୁ ଠେଲିଦିଏ ନାହିଁ ?

ହଁ, ଏ ଦୁଇ କଥା ଯାକ ହୁଏ ।

ସୁଖୀ ଦଂପତିଟିକୁ ଦେଖ ।

ସେମାନେ କଣ ଅନ୍ତତଃ ଲୁଚାଇବାକୁ

ଚେଷ୍ଟା କରି ନଥାନ୍ତେ,

ସାମାନ୍ୟ ଉଦାସ ଦିଶିବା,

ସତୀର୍ଥମାନଙ୍କ ପାଇଁ !

ଦେଖ, ସେମାନେ ହସୁଛନ୍ତି-

ଏହା ଏକ ଅପମାନ ।

ସେମାନେ ଭାଷା ବ୍ୟବହାର କରନ୍ତି-

ଯାହା ପ୍ରବଂଚନା ପରି ପରିଷ୍କାର

ଏବଂ ସେମାନଙ୍କ ଛୋଟ ଉତ୍ସବ,

ରୀତିନୀତି ସବୁ,

ଲମ୍ବା ଚୌଡ଼ା ପାରସ୍ପରିକ ନିର୍ଘଣ୍ଟ,

ଏହା ମାନବ ଜାତି ପଛରେ

ଏକ ଷଡ଼ଯନ୍ତ୍ର ନିଶ୍ଚୟ ।

ଘଟଣା କେତେ ଦୂର ଯାଇପାରେ

କଳ୍‌ପନା କରିବା କଷ୍ଟକର,

ଯଦି ଲୋକ ଅନୁସରଣ କରନ୍ତି

ସେମାନଙ୍କ ଉଦାହାରଣକୁ ।

ଧର୍ମ ଓ କବିତା କାହା ଉପରେ ନିର୍ଭର କରିବେ ?

କଣ ମନେ ରହିବ ?

କାହାକୁ ପରିତ୍ୟାଗ କରାଯିବ,

କିଏ ବା ସୀମା ଭିତରେ

ରହିବାକୁ ଚାହିଁବ ?

ସତ ପ୍ରେମ । ଏହା କଣ ପ୍ରକୃତରେ ଦରକାର ?

ସାଧାରଣ ବୁଦ୍ଧି କହେ

ନୀରବରେ ତାକୁ ଅତିକ୍ରମ କରିଯାଅ ।

ଜୀବନର ଉଚ୍ଚତମ ବୃତ୍ତ ମାନଙ୍କରେ

ଏକ ଅପବାଦ ପରି ।

ତାର ସାହାଯ୍ୟ ବିନା ମଧ୍ୟ

ଉତ୍ତମ ସନ୍ତାନମାନେ ଜନ୍ମ ନିଅନ୍ତି,

ନିୟୁତ ବର୍ଷରେ ବି

ପୃଥିବୀ ଭରିଯାଏନି ଲୋକ ସଂଖ୍ୟାରେ,

ଏହା କ୍ୱଚିତ୍‌ କେବେ ଆସେ ।

ଯେଉଁମାନେ କେବେ ସତ ପ୍ରେମ ପାଆନ୍ତିନି-

କହୁଥାନ୍ତୁ, ଏହା ସମ୍ଭବ ନୁହେଁ ।

ଏମାନଙ୍କ ବିଶ୍ଵାସ ହିଁ ସହଜ କରିଦେବ

ସେମାନଙ୍କ ବଂଚିବା ଓ ମରିବା ।

Image

 

ଲେଖିବାର ଖୁସି

 

ଲେଖାର ହରିଣୀ କୁଆଡ଼େ ଯାଏ,

ଏଇ ଲେଖା ଜଙ୍ଗଲ ଭିତରେ ?

ଲେଖା ଯାଇଥିବା ଝରଣାରୁ

ପାଣି ପିଇବାକୁ,

କାର୍ବନ ପେପର ପରି ନକଲ ହୋଇଯାଏ

ତା ମୁହଁ ?

 

ସେ କାହିଁକି ମୁଣ୍ଡ ଟେକୁଛି,

ସେ କଣ କିଛି ଶୁଣୁଛି ?

ସତ୍ୟ ଠାରୁ ଧାର ଆଣିଥିବା

ଚାରି ଗୋଡ଼ରେ ଠିଆ ହୋଇ

ମୋ ଆଙ୍ଗୁଳିଟିପ ତଳୁ

ସେ କାନ ଛିଡ଼ା କରିଦିଏ ।

ନୀରବତା-ଏପରିକି ଏ ଶବ୍ଦଟି ମଧ୍ୟ

ପୃଷ୍ଠା ଉପରେ ସରସର ହୋଇଯାଏ

ଏବଂ ଶାଖାମାନଙ୍କୁ ଦି’ ଭାଗ କରିଦିଏ,

‘ଜଙ୍ଗଲ’ ଶବ୍ଦରୁ ବାହାରି ।

ଖାଲି ପୃଷ୍ଠା ଉପରେ,

ଡେଇଁବାକୁ ପ୍ରସ୍ତୁତ,

ଅକ୍ଷର ଗୁଡ଼ାକ ଲୁଚି ବୁଲୁଥାନ୍ତି

ଯେମିତି କିଛି ଗଣ୍ଡଗୋଳ ହୋଇଯାଇପାରେ,

ବାକ୍ୟ ଲେଖୁଥାଏ

ଯେଉଁଥିରୁ ରକ୍ଷା ନଥିବ ।

ସେଇଠି ଅଛି, କାଳି ବୁନ୍ଦାକରେ,

ଖୁବ୍‌ ବଡ଼ ଶିକାରୀ ଦଳ,

ଆଖି ପତା ପଡ଼ିଲେ,

ଏଇ ତୀକ୍ଷ୍ଣ କଲମରୁ ଆକ୍ରମଣ ପାଇଁ ଉଦ୍ୟତ,

ହରିଣୀକୁ ଘେରିଯାଇ,

ସେମାନଙ୍କ ବନ୍ଧୁକ ଦେଖାନ୍ତି ।

 

ସେମାନେ ଭୁଲିଯାଆନ୍ତି

ଏଠି ଜୀବନ ନାହିଁ ।

ଭିନେ ଆଇନ୍‌, କଳା ଓ ଧଳା

ଏଇଠି ରାଜତ୍ୱ କରନ୍ତି ।

ଆଖି ପିଛୁଳା ସେତିକି ସମୟ ରହିବ

ଯେତିକି ମୁଁ ଚାହିଁବି,

ଯାହାଦ୍ଵାରା ଭାଗ ହୋଇ ପାରିବ

କ୍ଷୁଦ୍ର ଅନନ୍ତ କାଳ ସବୁ,

ଲଢ଼େଇ ମଝିରେ ଅଟକିଥିବା

ଗୁଳିରେ ଭର୍ତ୍ତି ।

ମୁଁ ଯଦି କହିବି,

କେବେହେଲେ ଏଠି କିଛି ହେବ ନାହିଁ ।

ପତ୍ରଟିଏ ବି ପଡ଼ିବନି

ମୋ ଠାରୁ ଆଦେଶ ନପାଇ,

କିମ୍ବା ଘାସଟିଏ ବି ନଇଁବନି

ଖୁରାର ପୂର୍ଣ୍ଣଚ୍ଛେଦ ତଳେ ।

ତାହାଲେ କଣ ଏମିତି ପୃଥିବୀ ଅଛି

ଯେଉଁଠି ଅବାଧରେ ମୁଁ ଭାଗ୍ୟ ନିର୍ଦ୍ଧାରଣ କରେ ?

ଏମିତି ସମୟ, ମୁଁ ଯାହାକୁ

ଚିହ୍ନର ସୂତାରେ ବାନ୍ଧେ ?

ଅସରନ୍ତି ସ୍ଥିତି ମୋରି ଆଦେଶରେ ?

 

ଲେଖିବାର ଖୁସି

ସାଇତି ରଖିବାର ସମ୍ଭାବନା

ଏକ ମରଣଶୀଳ ହାତର ପ୍ରତିଶୋଧ ।

Image

 

ଅନୁସରଣ

 

ମୁଁ ଜାଣେ, ନୀରବତା ମୋତେ ସ୍ଵାଗତ କରିବ,

କିନ୍ତୁ ତଥାପି,

କାହାଳୀ ନଥିବ, ନଥିବ ପ୍ରଶଂସା

କିନ୍ତୁ ତଥାପି ।

ନା ବିପଦ ସଂକେତ ଘଣ୍ଟି, ନା ଖାଲି ବିପଦ ସଂକେତ,

କିଛି ନଥିବ ।

ସାମାନ୍ୟତମ ଚିହ୍ନ ଉପରେ ବି

ମୁଁ ନିର୍ଭର କରି ପାରିବିନି,

ରୂପା ରାଜପ୍ରାସାଦ ଓ ବଗିଚା କଥା ଛାଡ଼,

ପୂଜନୀୟ ବୟସ୍କମାନେ ଓ ସମତାର ଆଇନ୍‌ ଗୁଡ଼ାକ,

ସ୍ପଟିକ ପେଣ୍ଡୁରେ ବିଜ୍ଞତା,

କିନ୍ତୁ ତଥାପି ।

 

ଜହ୍ନ ଉପରେ ଚାଲୁନାହିଁ,

ଏହା ମୁଁ ଜାଣେ,

ମୁଦି ବା ହଜି ଯାଇଥିବା ଫିତା ଖୋଜିବା ଲାଗି

ସେମାନେ ଠିକ୍‌ ସମୟରେ

ସବୁବେଳେ ସବୁ କିଛି ମାଡ଼ି ବସନ୍ତି ।

ଏମିତି କିଛି ନାହିଁ, ଯାହା ସୂଚନା ଦେବ

ଆବର୍ଜନା, ଚୋପା, କଣ୍ଟା, ଟୁକୁଡ଼ା

ଅତି ବେଶୀରେ ମୁଁ ନଇଁପଡ଼ି ଗୋଡ଼ିଟିଏ ଉଠାଇ ପାରିବି,

ଏଥିରୁ ଜଣା ପଡ଼ିବନି

ସେମାନେ କୁଆଡ଼େ ଗଲେ ।

 

କୌଣସି ସୂତ୍ର ଛାଡ଼ିଯିବାକୁ ଚାହାନ୍ତିନି ସେମାନେ ।

ପ୍ରମାଣ ଲିଭେଇବା କଳାରେ

ସେମାନେ ଧୂରଂଧର ।

 

ସମୟ ଭିତରେ ଉଭେଇଯିବା ତାଙ୍କ ପ୍ରତିଭା

ମୁଁ ବହୁଦିନରୁ ଜାଣେ,

ଶିଙ୍ଗ, ଲାଞ୍ଜ ବା ଗାଉନ୍‌ର ଧଡ଼ି

ଦ୍ଵାରା ତାଙ୍କୁ କିଏ ଧରିନେବ,

ଏକଥା ନ କରେଇ ଦେବା ପାଇଁ

ତାଙ୍କର ଐଶ୍ଵରିକ ଶକ୍ତି ଅଛି ।

ସେମାନଙ୍କ ମୁଣ୍ଡରେ କେଶଟିଏ ବି

ମୁଁ କେବେ ଛୁଇଁବିନି ।

ସବୁଠି ମୋ ଠାରୁ ବେଶୀ ଧୂର୍ତ୍ତ,

ସବୁବେଳେ ମୋ ଠାରୁ ପାଦେ ଆଗୁଆ,

ପ୍ରଥମ ହେବାର କଷ୍ଟ ସବୁ

ସେମାନଙ୍କୁ ଭଲଭାବେ ଜଣା ।

 

ସେମାନେ ନାହାନ୍ତି, କେବେ ବି ନଥିଲେ ।

କିନ୍ତୁ ତଥାପି ମୋତେ ତାହା ବାରମ୍ବାର

ନିଜକୁ କହିବା ପାଇଁ ପଡ଼ିବ,

ଶାନ୍ତ କରିବା ପାଇଁ ପଡ଼ିବ

ମୋ ପିଲାଳିଆ କଳ୍ପନା ମାନଙ୍କୁ ।

ତଥାପି ଯାହା ହଠାତ୍‌ ପାଦତଳୁ ଡେଇଁ ପଡ଼ିଲା,

ବେଶୀ ବାଟ ଡେଇଁଲାନି,

ପାଦ ପଡ଼ିବାରୁ ତଳେ ପଡ଼ିଗଲା,

ଯଦିଓ ତଥାପି ଛଟପଟ ହୁଏ,

ଏବଂ ନିର୍ଗତ ହୁଏ ଏକ ଦୀର୍ଘ ନୀରବତା ।

 

ଏହା ଛାୟାଟିଏ ମାତ୍ର,

ମୋର ଏତେ ନିଜର ଯେ

ମୁଁ ଲକ୍ଷ୍ୟ ସ୍ଥଳରେ ପହଁଚିଛି,

ଏକଥା ବିଶ୍ଵାସ ହୁଏନି ।

Image

 

କବିତାଟିଏ କାହା ସମ୍ମାନରେ

 

ଏକଦା ସେ ଶୂନ୍ୟ ଆବିଷ୍କାର କଲା

ଏକ ଅନିଶ୍ଚିତ ଦେଶରେ ।

ଗୋଟିଏ ତାରା ତଳେ

ଯାହା ଏବେ ହୁଏତ ଅନ୍ଧାର ହୋଇଯାଇଥିବ ।

ତାରିଖରେ ସୀମାବଦ୍ଧ,

କିନ୍ତୁ କେହି ନିର୍ଦ୍ଦିଷ୍ଟ ଭାବେ କହିପାରିବେନି ।

ତାର ନାଁ ନାହିଁ,

ଏପରିକି ବିବାଦୀୟ ନାଁଟେ ମଧ୍ୟ ନାହିଁ ।

 

ତା ଶୂନ୍ୟ ତଳେ

ଜୀବନ କିପରି ହୋଇଥିବ,

ସେ ସଂପର୍କରେ କିଛି ସୁବର୍ଣ୍ଣ ଶବ୍ଦ

ଛାଡ଼ି ଯାଇନି, ଅଥବା କିଛି କିମ୍ବଦନ୍ତୀ,

ସେ ଯେ ଦିନେ ଶୂନ୍ୟକୁ ସଂଲଗ୍ନ କଲା

ତୋଳା ହୋଇଥିବା ଗୋଲାପ ଫୁଲକୁ

ବାନ୍ଧି ତୋଡ଼ାଟିଏ କଲା;

ଯେପରି-ସେ ଯେତେବେଳେ ମୃତ୍ୟୁପାଖେ ଉପନୀତ,

ଶହେ କୁଜ ଥିବା ଓଟରେ ଚଢ଼ି

ମରୁଭୂମିକୁ ବାହାରିଗଲା;

ସେ ଶୋଇପଡ଼ିଲା

ପ୍ରାଧାନ୍ୟର ଖଜୁରୀ ଛାଇରେ;

ଆଉ ସେ ଉଠିବ, ଯେତେବେଳେ

ସବୁ କିଛି ଗଣା ହୋଇଯାଇଥିବ,

ଶେଷ ବାଲି କଣା ପର୍ଯ୍ୟନ୍ତ ।

କି ପୌରୁଷ !

ସତ୍ୟ ଓ କଳ୍‌ପନା ଭିତର ଫାଙ୍କରେ ଗଳିପଡ଼ି

ସେ ଆମ ଲକ୍ଷ୍ୟରେ ନଥାଏ,

ସବୁ ଭାଗ୍ୟର ପ୍ରତିରୋଧକ ।

ମୁଁ ଦେଉଥିବା ସବୁ ଆକୃତିକୁ

ତ୍ୟାଗକରେ ।

 

ନୀରବତା ତାକୁ ଗ୍ରାସ କରିଛି,

ତା ସ୍ଵର କିଛି ଦାଗ ଛାଡ଼ି ଯାଇନାହିଁ ।

ଅନୁପସ୍ଥିତି ଦିଗ୍‌ବଳୟ ପରି ଦେଖାଯାଏ,

ଶୂନ୍ୟ ନିଜକୁ ନିଜେ ଲେଖି ଚାଲିଥାଏ ।

Image

 

ଗୋଟିଏ ପିଲା ସହିତ ସାକ୍ଷାତକାର

 

ଶିକ୍ଷକ ଆମ ଗହଣରେ ବେଶୀକାଳ ନାହାନ୍ତି,

ତେଣୁ ସେ ସବୁଠାରେ ଥିବା ପରି ଲାଗନ୍ତି,

ମୁହଁକୁ ଦୁଇ ହାତରେ ଲୁଚାଇ

ସେ ଫାଙ୍କ ଦେଇ ଚାହାନ୍ତି ।

କପାଳ କାନ୍ଥକୁ ଲାଗି, ଠିଆ ହୋଇ

ସେ ହଠାତ୍‌ ବୁଲି ପଡ଼ନ୍ତି ।

ଏଇ ଉତ୍କଟ ଚିନ୍ତାକୁ ଶିକ୍ଷକ

ପ୍ରତ୍ୟାଖାନ କରନ୍ତି,

ଦୃଷ୍ଟି ଆଢ଼ୁଆଳକୁ ଯାଇଥିବା ଟେବୁଲ,

ଟେବୁଲ ହୋଇ ରହିବ ।

ପଛରେ ଥିବା ଚେୟାର,

ଚେୟାରର ସୀମା ଭିତରେ ରହିବ,

ଏପରିକି ପରିସ୍ଥିତିରେ ଫାଇଦା ନେବାକୁ ଚେଷ୍ଟା ନକରି ।

ଏକଥା ସତ, ଧରିବା କଷ୍ଟ

ପୃଥିବୀକୁ ତାର ଭିନ୍ନତାରେ,

ତୁମ ଆଖିପତା ବନ୍ଦ ନହେଉଣୁ

ଆପେଲ୍‌ ଗଛ ଝରକା ନିକଟକୁ ଫେରିଆସେ,

ଇନ୍ଦ୍ରଧନୁ ରଂଗର ଘରଚଟିଆମାନେ

ଠିକ୍‌ ସମୟରେ ଫେରନ୍ତି, ସବୁବେଳେ ।

ମାଠିଆର କାନକୁ ଫୁସ୍‌ଫୁସ୍‌ କଥାବି ଶୁଣାଯାଏ,

ରାତିର ନିଭୃତ କୋଠରି ଅଭିନୟ କରେ,

ଦିନବେଳାର ନୀରବତା,

ତ୍ରୟରଟି ମାଲିକକୁ ବୁଝାଏ ।

ଯାହାସବୁ ସେଇଠି ଅଛି, ଆଗରୁ ହିଁ ଥିଲା,

ଏପରିକି ପରୀ କାହାଣୀର ବହିଟିକୁ

ହଠାତ୍‌ ଖୋଲିଦେଲେ

ରାଜକୁମାରୀ ସବୁବେଳେ ବସିଥାଏ

ନିଜ ଆସନରେ ।

ଜଣେ ନୂଆ ଆଗନ୍ତୁକକୁ ଅନୁଭବ କରନ୍ତି

ସେମାନେ, ମୋ ଭିତରେ-

ଶିକ୍ଷକ ଦୁଃଖ କରନ୍ତି-

ଜଣେ ଅଜଣା ଲୋକ ସେମାନଙ୍କ ସହ ଖେଳିବ,

ଏହା ସେମାନେ ଚାହାନ୍ତିନି ।

କିନ୍ତୁ ଏହା କିପରି ହୁଏ ଯେ

ଯାହା କିଛି ରହିଛି,

ଗୋଟିଏ ରାସ୍ତାରେ ରହିବାକୁ ବାଧ୍ୟ,

ଏକ ଦୟନୀୟ ଅବସ୍ଥାରେ ।

ନିଜଠାରୁ ନିଷ୍କୃତି ନଥାଏ,

କୌଣସି ବିରତି ବିନା, ବା ବେଗରେ ବଦଳ,

କେବଳ ଏଠାରୁ ସେଠାକୁ ଯିବା,

ମାଛଟିଏ ମାଛ ଭିତରେ ବନ୍ଦୀ ?

ମୂଷା ଭିତରେ ବନ୍ଦୀ ମୂଷାଟି ?

ତାର ଅଦୃଶ୍ୟ ଶୃଙ୍ଖଳରୁ

କେବେ ମୁକ୍ତ ହୋଇନଥିବା କୁକୁରଟି ।

ନିଆଁଟିଏ, ଯାହାର ଆଉ କିଛି କରିବା ପାଇଁ ଆଗ୍ରହ ନଥାଏ,

ପ୍ରଚୁର ବିଶ୍ଵାସ କରୁଥିବା

ଅଙ୍ଗୁଳିକୁ, ଦ୍ୱିତୀୟଥର ପୋଡ଼ିବା ବ୍ୟତୀତ ।

ଏହା କଣ ସତ ଓ ଅନ୍ତିମ ପୃଥିବୀ :

ବିଚ୍ଛୁରିତ ଧନ ଗୋଟାଇବା ଅସମ୍ଭବ,

ଅର୍ଥହୀନ ଚାକଚକ୍ୟ, ନିଷିଦ୍ଧ ସମ୍ଭାବନା ?

ନାଁ-ଶିକ୍ଷକ ଚିତ୍କାର କରେ

ଯେତେ ପାରେ ସବୁ ଗୋଡ଼ କଚାଡ଼େ-

ଏପରି ଘୋର ହତାଶାରେ ଯେ,

ଝିଣ୍ଟିକାର ଛଅଟି ଗୋଡ଼ ମଧ୍ୟ ଯଥେଷ୍ଟ ହେବନି ।

Image

 

ପରିସଂଖ୍ୟାନ-ଦୁଇପଦ

 

ପ୍ରତି ଶହେ ଲୋକରେ

ଯେଉଁମାନେ ସର୍ବଦା ବେଶୀ ଜାଣିଥାନ୍ତି,

ବାବନ ।

ପ୍ରତ୍ୟେକ ପଦକ୍ଷେପ ସଂପର୍କରେ ଅନିଶ୍ଚିତ,

ପ୍ରାୟ ବାକୀ ସବୁ ।

ସାହାଯ୍ୟ କରିବାକୁ ଆଗଭର,

ଯେ ଯାଏ ବେଶୀ ସମୟ ଲାଗେନା,

ଅଣଚାଶ ।

ସବୁବେଳେ ଭଲ,

ଯେହେତୁ ସେମାନେ ଆଉ କିଛି ହୋଇପାରିବେନି,

ଚାରି -ଧର ପାଂଚ ବି ହୋଇପାରେ ।

ଇର୍ଷା ରହିତ ପ୍ରଶଂସା କରିବା ପାଇଁ ସକ୍ଷମ, ଅଠର ।

ଯୌବନରେ ଭୁଲ କରନ୍ତି

(ଯାହା ବେଶୀ ଦିନ ରହେନା)

ଷାଠିଏ, ସାମାନ୍ୟ ବେଶୀ ବା କମ୍‌ ।

ଯେଉଁମାନଙ୍କ ସହିତ ଝମେଲା କରି ହେବନି

ଚାଳିଶି ଓ ଚାରି ।

ସତତ ଆଶଂକାରେ ବଂଚିବା ଲୋକ,

କାହାପ୍ରତି ବା କୌଣସି ଜିନିଷ ପ୍ରତି-

ସତସ୍ତରୀ ।

ଖୁସି ହୋଇପାରନ୍ତି

କୋଡ଼ିଏ - ବା ଅତି ବେଶୀରେ ଆଉ କିଛି ଅଧିକ ।

ଏକୁଟିଆ କ୍ଷତିକାରୀ ନୁହେଁ

କିନ୍ତୁ ଗହଳିରେ ହିଂସ୍ର,

ଅଧାରୁ ବେଶୀ ନିଶ୍ଚୟ ।

ନିଷ୍ଠୁର

ପରିସ୍ଥିତି ଯେତେବେଳେ ବାଧ୍ୟକରେ,

ବରଂ ଭଲ ନଜାଣିବା,

ଏପରିକି ଅନୁମାନ ନ କରିବା ।

ପଶ୍ଚାତ ଦୃଷ୍ଟିରେ ବିଜ୍ଞ,

ଅଗ୍ରଦୃଷ୍ଟିରେ ବିଜ୍ଞଙ୍କଠାରୁ

ବହୁତ ବେଶୀ ନୁହନ୍ତି ।

ଜୀବନରୁ ବସ୍ତୁଛଡ଼ା ଆଉ କିଛି ନପାଇବା,

ତିରିଶ,

(ଯଦିଓ ଏହା ଭୁଲ୍‌ ହେଲେ ମୁଁ ଖୁସି ହେବି)

ଯନ୍ତ୍ରଣାରେ ଦୁଇଗୁଣ କଷ୍ଟ,

ଅଂଧାରରେ ଟର୍ଚ୍ଚଲାଇଟ ବିନା -

ତେୟାଅଶୀ,

ଶୀଘ୍ର ବା ବିଳମ୍ବରେ ।

ଯେଉଁମାନେ ନିରପେକ୍ଷ :

ପଇଁତିରିଶ ବର୍ଷରେ ବେଶ୍‌ କେତେଜଣ,

କିନ୍ତୁ ବୁଝିବା ପାଇଁ ଯଦି ଆୟାସ ଆବଶ୍ୟକ ହୁଏ,

ମାତ୍ର ତିନି ।

ସହାନୁଭୂତି ପାଇଁ ଯୋଗ୍ୟ -

ଅନେଶତ ।

ମରଣଶୀଳ,

ଶହେ ରୁ ଶହେ-

ସଂଖ୍ୟାଟିଏ, ଯାହା ରହିଛି ଆଜିଯାଏ ଅପରିବର୍ତ୍ତିତ ।

Image

 

ହଜାଇବା ଓ ପାଇବା ସ୍ଥାନରେ ଭାଷଣଟିଏ

 

ଦକ୍ଷିଣରୁ ଉତ୍ତରକୁ ମୋ ଯିବା ରାସ୍ତାରେ

ମୁଁ କେତେ ଦେବୀଙ୍କୁ ହରାଇଲି,

ଆଉ ଅନେକ ଦେବତାଙ୍କୁ

ପୂର୍ବରୁ ପଶ୍ଚିମକୁ ଯିବାବେଳେ ।

କେତେତାରା ସବୁଦିନ ପାଇଁ

ମୋଠାରୁ ବିଦାୟ ନେଲେ ।

ହେ ଆକାଶ, ମୋ ପାଇଁ ଦିଭାଗ ହୋଇ ଯା !

ଦ୍ଵୀପ ପରେ ଦ୍ଵୀପ, ସମୁଦ୍ର ଭିତରକୁ

ଭୁସୁଡ଼ି ପଡ଼ିଲେ, ମୋରି ଉପରେ,

କେଉଁଠି ମୁଁ ମୋ ପଂଝା ଛାଡ଼ିଲି,

ମୁଁ ଠିକ୍‌ ଭାବରେ ଜାଣି ନାହିଁ,

ମୋ ଲୋମ କିଏ ପିନ୍ଧିଛି,

କିଏ ବାସ କରେ ମୋ ଖୋଳପାରେ ।

 

ମୋ ଆତ୍ମଜମାନେ ମରିଗଲେ,

ମୁଁ ଯେତେବେଳେ ଭୂଇଁ ଭପରକୁ ଗୁରୁଣ୍ଡି ଆସିଲି,

ଏବଂ ବାର୍ଷିକୀର ସ୍ମାରକ

ମୋ ଭିତରେ ଛୋଟ ହାଡ଼ ଖଣ୍ଡେ ।

ମୁଁ ମୋ ଚର୍ମ ଭିତରୁ ଡେଇଁ ଆସିଲି,

ମେରୁଦଣ୍ଡ ଓ ଗୋଡ଼ କ୍ଷୟ କଲି

ଏବଂ ବାରମ୍ବାର ମୋ ଚେତନା ଛାଡ଼ିଲି ।

ବହୁଦିନତଳେ ମୁଁ ଏ ସବୁକୁ

ବନ୍ଦ କଲି ତୃତୀୟ ନୟନ ମୋର,

ମୋ ଡ଼େଣାରେ ତଡ଼ି ଦେଲି ।

ମୁଁ ମୋ ଡାଳମାନ ହଲାଇଲି

ଚାରି ପବନରେ ବିକ୍ଷିପ୍ତ ହୋଇ

ଏମିତି ଏକ ସ୍ଥାନକୁ, ଯାହାକୁ ସମୟ ଭୁଲିଗଲା,

ମୋର କେତେ ଅଳ୍ପ ସେଇଠି ଅଛି

ମୋତେ ଖୁବ୍‌ ଆଶ୍ଚର୍ଯ୍ୟ କରେ,

ବର୍ତ୍ତମାନ ପାଇଁ ମାନବ ସମାଜର ଏକକ ପ୍ରାଣୀଟି,

ଯେ ଟ୍ରାମରେ ତା’ର ଛତା ହଜାଇ ଦେଲା,

ଯେମିତି ହେଉ ।

Image

 

ପଥର ସହିତ କଥାବାର୍ତ୍ତା

 

ମୁଁ ପଥରର ଦରଜାରେ କରାଘାତ କରେ,

‘ମୁଁ ଆସିଛି, ମୋତେ ଭିତରକୁ ଯିବାକୁ ଦେ,

ମୁଁ ତୋ ଅଭ୍ୟନ୍ତରକୁ ପ୍ରବେଶ କରିବାକୁ ଚାହେଁ,

ଚାରିପାଖ ଚାହିଁ,

ପ୍ରଶ୍ଵାସ ପରି ମୋ ଭିତରକୁ ନେବାକୁ ଚାହେଁ ।’

‘ତୁ ଏଠାରୁ ଚାଲିଯା’, ପଥର କହେ

‘ମୋତେ ନିବୁଜ କରି ବନ୍ଦ କରିଦିଆଯାଇଛି,

ଖଣ୍ଡ ବିଖଣ୍ଡ କରିଦେଲେବି

ଆମେ ସେମିତି ନିବୁଜ ହୋଇ ବନ୍ଦ ଥିବୁ,

ଘଷି ଘଷି ବାଲି ହୋଇ ଗଲେ ବି,

ଆମେ କାହାକୁ ଆମ ଭିତରକୁ ଛାଡ଼ିବୁନି ।’

ମୁଁ ପଥରର ଦରଜାରେ କରାଘାତ କରେ:

‘ମୁଁ ଆସିଛି ପରା, ମୋତେ ଭିତରକୁ ଯିବାକୁ ଦେ,

ନିରୁତା କୌତୁହଳରୁ ମୁଁ ଆସିଛି,

ଜୀବନ ମୋର ଏକ ମାତ୍ର ସୁଯୋଗ,

ତୋ ମହଲରେ ମୁଁ ବୁଲିବାକୁ ଚାହେଁ,

ତା ପରେ ପତ୍ର ଓ ପାଣି ଟୋପା ।

ଏ ସବୁ ପାଇଁ ମୋ ପାଖରେ ଏତେ ସମୟ ନାହିଁ,

ମୋ ନଶ୍ଵରତା ତୋ ହୃଦୟକୁ ଛୁଇଁବା କଥା’ ।

‘ମୁଁ ପଥରଟିଏ’, ପଥର କହେ,

ଗମ୍ଭୀର ରହିବା ଛଡ଼ା ମୁଁ ଆଉ କ’ଣ କରିପାରେ ?

‘ତୁ ଏଠାରୁ ଚାଲି ଯା

ହସିବା ପାଇଁ ମାଂସପେଶୀ ମୋର ନାହିଁ’ ।

ମୁଁ ପଥରର ଦରଜାରେ କରାଘାତ କରେ-

‘ମୁଁ ଆସିଛି, ମୋତେ ଯିବାକୁ ଦେ’

ମୁଁ ଶୁଣିଛି ତୋ ଭିତରେ ଅଛି

ବିଶାଳ ଓ ଶୂନ୍ୟ କୋଠରୀ ସବୁ,

ଅଦୃଶ୍ୟ, ନିଷ୍ପଳ ସୌନ୍ଦର୍ଯ୍ୟ,

ନୀରବ, ନଥାଏ ପାଦ ଶବ୍ଦର ପ୍ରତିଧ୍ଵନି ।

ବରଂ ସ୍ଵୀକାର କର,

ତୁ ଏ ସବୁ ବିଷୟରେ ବେଶୀ କିଛି ଜାଣୁନା’ ।

‘ବିଶାଳ, ଶୂନ୍ୟ କୋଠରୀ,’ ପଥର କହେ,

‘କିନ୍ତୁ ସେମାନଙ୍କ ଭିତରେ ସ୍ଥାନ ନଥାଏ,

ହୋଇପାରେ ସୁନ୍ଦର, କିନ୍ତୁ

ତୋର ମାମୁଲି ବୋଧଶକ୍ତିର

ରୁଚି ଉପଯୋଗୀ ନୁହେଁ,

ତୁ ମୋତେ ଜାଣିପାରୁ,

କିନ୍ତୁ ତୁ କେବେ ବି ମୋତେ ବୁଝି ପାରିବୁନି ।

ମୁଁ ମୋର ସମଗ୍ର ପୃଷ୍ଠତଳ

ତୋ ଆଡ଼କୁ ରଖିଛି,

ଏବଂ ସମସ୍ତ ଅଭ୍ୟନ୍ତରକୁ ଅନ୍ୟ ଦିଗରେ’ ।

ମୁଁ ପଥରର ଦରଜାରେ କରାଘାତ କରେ,

‘ମୁଁ ଆସିଛି, ମୋତେ ଭିତରକୁ ଯିବାକୁ ଦେ

ମୁଁ ଅନନ୍ତ କାଳ ପାଇଁ ଆଶ୍ରୟ ଚାହୁଁ ନାହିଁ,

ମୁଁ ନା ଅସୁଖୀ ନା ବାସହୀନ

ପ୍ରତ୍ୟାବର୍ତ୍ତନ ପାଇଁ ଯୋଗ୍ୟ ମୋ ପୃଥିବୀ,

ପ୍ରବେଶ, ପ୍ରସ୍ଥାନ କରିବି,

ଖାଲି ହାତରେ ।

ଆଉ ମୁଁ ଯେ ପ୍ରକୃତରେ ଉପସ୍ଥିତ ଥିଲି,

ତାରି ପ୍ରମାଣ ଦେବାଲାଗି,

ଶବ୍ଦ ଛଡ଼ା ଆଉ କିଛି ଉପହାର ମୁଁ ଦେବିନାହିଁ;

ଯାହାକୁ କେହି ବି ବିଶ୍ଵାସ କରିବେନି’ ।

Image

 

ସ୍ପଷ୍ଟ ଦିବାଲୋକରେ

 

ସେ ପାହାଡ଼ ଉପର ବିଶ୍ରାମାଗାରରେ ଛୁଟି କଟାଇବ,

ମଧ୍ୟାହ୍ନ ଭୋଜନ ପାଇଁ ତଳକୁ ଓହ୍ଲେଇବ,

ଝରକା ପାଖରେ ତା ଟେବୁଲରୁ,

ସେ ଦେଖିନେବ ଚାରୋଟି ପାଇନ ଗଛ,

ଶାଖାରୁ ଶାଖା,

ସଦ୍ୟ ପଡ଼ିଥିବା ବରଫକୁ ଝାଡ଼ିନଦେଇ ।

ଚିବୁକରେ ଦାଢ଼ି,

କ୍ରମଶଃ ଚନ୍ଦା ଓ ଧଳା ହୋଇ ଆସୁଥିବା ମୁଣ୍ଡ

ଆଖିରେ ଚଷମା,

ରୁକ୍ଷ, କ୍ଲାନ୍ତ ଚେହେରା,

ଗାଲରେ ଭାତୁଡ଼ି ଓ କୁଞ୍ଚିତ କପାଳ

ଯେମିତି କାଦୁଅ ମଖା ମାର୍ବଲ-

ସେ ନିଜେ ଜାଣିବନି

କେତେବେଳେ ଏ ସବୁ ଘଟିଲା ।

ଏ ପର୍ଯ୍ୟନ୍ତ ନ ମରିବାର ମୂଲ୍ୟ,

ହଠାତ୍‌ ନବଢ଼ି ପାଦେ ପାଦେ ବଢ଼େ,

ଏବଂ ସେହି ମୂଲ୍ୟବି ସେ ଦେବ ।

ଶେଷ ମୁହୂର୍ତ୍ତରେ ନଇଁପଡ଼ି

ଗୁଳିରୁ ରକ୍ଷା କରିଥିବା କାନ ବିଷୟରେ

ସେ କହିବ :

‘ମୁଁ କେତେ ଭାଗ୍ୟବାନ’ ।

ସୁପ୍‌ ପାଇଁ ଅପେକ୍ଷା କଲାବେଳେ

ସେ ଆଜି ତାରିଖର ଖବର କାଗଜ ପଢ଼ିବ,

ବଡ଼ ଅକ୍ଷରର ଶିରୋନାମା,

ବିଜ୍ଞାପନର ଛୋଟ ଅକ୍ଷର,

ଅଥବା ଧଳା ଟେବୁଲ କ୍ଲଥ୍‌ ଉପରେ ଆଙ୍ଗୁଳିରେ

ବାଜା ବଜେଇବ,

ବହୁଦିନରୁ ବ୍ୟବହାର ହେତୁ

ଚମଡ଼ା ଫାଟି ଯାଇଥିବ, ଶିରା ଫୁଲିଥିବ ।

କେତେବେଳେ କେହି ଜଣେ

ଦରଜାରୁ ପାଟିକରି ଡାକିବ

‘ମିଷ୍ଟର ବାଜିନ୍‌ସ୍କି - ଆପଣଙ୍କ ଫୋନ୍‌’-

ଆଉ ଏହା କିଛି ବିସ୍ମୟଜନକ ନଥିବ;

ଠିଆ ହୋଇ, ସୁଏଟରଟାକୁ ସଜାଡ଼ି ନେଇ

ଦ୍ଵାର ଆଡ଼କୁ ଧୀରେ ଆଗେଇବ ।

ଏହାକୁ ଦେଖି କେହି କଥା ବନ୍ଦ କରିବେନି,

ଅଂଗଭଂଗୀ କଲାବେଳେ କେହି ହେମାଳ ହେବେନି

ନିଶ୍ଵାସ ପ୍ରଶ୍ଵାସ ମଝିରେ,

ଯେହେତୁ ଏଇ ସାଧାରଣ ଘଟଣାଟିକୁ

ବିଚାର କରାଯିବ - କେତେ ଦୁଃଖର କଥା ସତେ !

ଏକ ସାଧାରଣ ଘଟଣା ଭାବରେ ।

 

(ବାଜିନ୍‌ସ୍କି ଯୁଦ୍ଧ ସମୟର ଜଣେ ପ୍ରଚଣ୍ଡ ପ୍ରତିଭାବାନ କବି ଏବଂ ୧୯୪୪ରେ ଓ୍ୱାର୍ସା ବିଦ୍ରୋହ ସମୟରେ ମାତ୍ର ୨୩ ବର୍ଷ ବୟସରେ ନିହତ ହୋଇଥିଲେ ।)

Image

 

ଆମ ପୂର୍ବଜମାନଙ୍କ ଛୋଟ ଜୀବନ

 

ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ

ତିରିଶ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲେ ।

ବାର୍ଦ୍ଧକ୍ୟ ଥିଲା ପଥର ଓ ଗଛମାନଙ୍କ ସୌଭାଗ୍ୟ,

ଗଧିଆ ପିଲାଟି ଜଲ୍‌ଦି ବଢ଼ିବା ପରି

ଶୈଶବର ଶୀଘ୍ର ଅନ୍ତ ହେଉଥିଲା ।

 

ଏଥିପାଇଁ ଜୀବନକୁ ବଞ୍ଚିବା ପାଇଁ ତରବର ହେବାକୁ ପଡ଼ୁଥିଲା

ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ,

ପ୍ରଥମ ତୁଷାରପାତ ପୂର୍ବରୁ ।

 

ତେରବର୍ଷ ବେଳକୁ ଗର୍ଭରେ ସନ୍ତାନ,

ଚାରିବର୍ଷ ପିଲାଙ୍କ ବୁଦାରେ ଚଢ଼େଇ ବସା ଖୋଜା,

କୋଡ଼ିଏ ବର୍ଷରେ ଶିକାର ଅଭିଯାନ-

ସେମାନେ ବଂଚିବା ପୂର୍ବରୁ ଚାଲିଯାଇଥାନ୍ତି ।

ଅନନ୍ତ ସମୟର ଦୁଇ ପାଖ ମିଳେଇଯାନ୍ତି ତୁରନ୍ତ,

ଡାହାଣୀମାନେ ଡେଉଁରିଆକୁ ଚୋବାନ୍ତି,

ଯୌବନର ସବୁଯାକ ଦାନ୍ତ ଅକ୍ଷତ ଥାଇ ।

 

ବାପା ଆଖିଆଗେ ପୁଅ ମଣିଷ ହୋଇଯାଉଥିଲା,

ଜେଜେ ବାପାର ଶୂନ୍ୟ କୋରଡ଼ ତଳେ

ନାତି ହେଉଥିଲା ଜନ୍ମ ।

ଯାହାବି ହେଉ ସେମାନେ ବର୍ଷ ଗଣୁନଥିଲେ,

ସେମାନେ ହିସାବ ରଖୁଥିଲେ ଜାଲ, ମଂଜି ଓ କୁରାଢ଼ିର ।

ସମୟ, ଆକାଶର ଛୋଟ ତାରାପ୍ରତି ଏତେ ଦୟାଶୀଳ,

ସେମାନଙ୍କୁ ପ୍ରାୟ ଏକ ଶୂନ୍ୟ ହାତ ଦେଉଥିଲା,

ଏବଂ ଖୁବ୍‌ ଶୀଘ୍ର ଫେରାଇ ନେଉଥିଲା

ଯେମିତି ଏଥିପାଇଁ ପରିଶ୍ରମ ଥଲା ଖୁବ୍‌ ବେଶୀ ।

 

ଆଉ ପାଦେ ବା ଦୁଇ ପାଦ ବେଶୀ,

ଚକ୍‌ ଚକ୍‌ କରୁଥିବା ନଦୀ ପାଖରେ,

ଯାହା ଅଂଧାରରୁ ବାହାରି ଅଂଧାରରେ

ଉଭେଇ ଯାଉଥିଲା ।

ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରିବାର ନଥିଲା,

ନା ସ୍ଥଗିତ ପ୍ରଶ୍ନ ସବୁ,

ନା ବିଳମ୍ୱିତ ପରିପ୍ରକାଶ,

ଯାହା କେବଳ ସମୟରେ ଅନୁଭବ କରାଯାଏ;

ବାଳ ପାଉଁଶିଆ ହେବାଯାଏ

ବିଜ୍ଞତା ଅପେକ୍ଷା କରୁନଥିଲା ।

ଆଲୋକ ଦେଖିବା ପୂର୍ବରୁ

ତାକୁ ପରିଷ୍କାର ଭାବେ ଦେଖିବାକୁ ପଡ଼ୁଥିଲା ।

ଶବ୍ଦ ଶୁଣାଯିବା ପୂର୍ବରୁ

ତାକୁ ପ୍ରତ୍ୟେକ ସ୍ଵର ଶୁଣିବାକୁ ପଡ଼ୁଥିଲା ।

 

ଭଲ ଓ ମନ୍ଦ-ସେମାନଙ୍କୁ ଜଣା ନଥିଲା,

କିନ୍ତୁ ସେମାନେ ସବୁ କିଛି ଜାଣିଥିଲେ,

କେତେବେଳେ

ପାପ ଜିତେ, ଧର୍ମ ଲୁଚେ:

ଯେତେବେଳେ ‘ଭଲ’ ଦୃଶ୍ୟମାନ ହୁଏ

‘ମନ୍ଦ’ ଚୁପ୍‌ ଚାପ୍‌ ଥାଏ,

କାହାକୁ ଜୟ କରିବା ସମ୍ଭବ ନୁହେଁ

ବା ଫୋପାଡ଼ି ଦେବା, ପୁଣି ନଆସିବା ପାଇଁ;

ତେଣୁ, ଯଦି ଖୁସି, ତେବେ ସେଥିରେ ଥାଏ ଭୟର ସ୍ପର୍ଶ;

ଯଦି ହତାଶା, ସେଥିରେ ଥାଏ କିଛି ନୀରବ ଆଶା ।

 

ଯେତେ ଦୀର୍ଘ ହେଲେ ବି

ଜୀବନ ସବୁବେଳେ ସଂକ୍ଷିପ୍ତ ଏତେ ସଂକ୍ଷିପ୍ତ ଯେ

ସେଥିରେ କିଛି ଯୋଡ଼ାଯାଇ ପାରିବନି ।

Image

 

ପ୍ରତ୍ନତତ୍ତ୍ୱ

 

ବାସ୍‌, ବିଚରା ମୋ ମଣିଷ

ମନେ ହୁଏ, ମୋ କ୍ଷେତ୍ରରେ ଆମେ କିଛି ପ୍ରଗତି କରିଛୁ;

ସହସ୍ରାବ୍ଦ ଗଲାଣି

ତୁ ମୋତେ ପ୍ରଥମ ପ୍ରତ୍ନତତ୍ତ୍ୱ କହିବାଠାରୁ ।

ମୋର ଆଉ ଦରକାର ନାହିଁ

ତୋର ପଥର ଦେବତା,

ପଢ଼ି ହେଉଥିବା ଶିଳାଲେଖ ସହ

ତୋର ଭଗ୍ନାବଶେଷ ।

ତୋର ଯାହା ହେଉ ମୋତେ ଦେଖା

ଏବଂ ମୁଁ କହିବି ତୁ କିଏ ଥିଲୁ ।

କାହାର ତଳ,

କାହାର ଉପର ।

ଇଂଜିନର ଖଣ୍ଡେ । ଏକ ଚିତ୍ରନାଳୀର ବେକ ।

ଏକ ଇଞ୍ଚ ତାର, ଧୂଳି ହୋଇଯାଇଥିବା ଆଙ୍ଗୁଳି,

ବା ତା’ଠାରୁ କମ୍‌, ଆହୁରି କମ୍‌ ।

 

ଏକ ପ୍ରଣାଳୀ ବ୍ୟବହାର କରି

ସେତେବେଳେ ତୁ ତାକୁ ଜାଣି ପାରି ନଥାନ୍ତୁ,

ମୁଁ ସ୍ମୃତିକୁ ଉଖାରି ପାରେ

ଅସଂଖ୍ୟ ଉପାଦାନରେ,

ସବୁକାଳ ପାଇଁ ରକ୍ତ ଛିଟା ।

ମିଛ ସବୁ ଉଜ୍ଜ୍ୱଳ ଦିଶନ୍ତି,

ଗୋପନ ସଂକେତ ମାନ ପ୍ରତିଧ୍ୱନିତ ହୁଅନ୍ତି

ସନ୍ଦେହ ଓ ଉଦ୍ଦେଶ୍ୟ ଜଣା ପଡ଼ନ୍ତି ।

 

ମୁଁ ଯଦି ଚାହେଁ

(ଏବଂ ତୁ ନିଶ୍ଚିତ ହୋଇ ପାରିବୁନି ଯେ ମୁଁ ଚାହିଁବି)

ମୁଁ ତୋ ନୀରବତାର କଣ୍ଠ ମଧ୍ୟକୁ ଚାହିଁବି,

ମୁଁ ତୋର ମତାମତ ପଢ଼ିବି

ତୋ ଆଖିର କୋରଡ଼ରୁ,

ଖୁବ୍‌ ବିସ୍ତାରିତ ଭାବେ

ମୁଁ ତୋତେ ମନେ ପକାଇଦେବି-

ମୃତ୍ୟୁ ଛଡ଼ା ଜୀବନଠାରୁ

ତୁ ଆଉ କ’ଣ ଆଶା କରୁଥିଲୁ ।

 

ତୁ ଯଦି ପଛରେ କିଛି ଛାଡ଼ିଆସିଛୁ

ମୋତେ ଦେଖା,

ମୁଁ ସେଥିରୁ ଗଢ଼ିବି

ଗୋଟିଏ ଜଙ୍ଗଲ, ଆଉ ଏକ ରାଜପଥ,

ବିମାନ ବନ୍ଦର, କୋମଳତା, ହୀନମନ୍ୟତା

ହଜି ଯାଇଥିବା ଘରଟିଏ ।

 

ତୋର ଛୋଟ କବିତାଟି ଦେଖା,

ଆଉ ମୁଁ ତୋତେ କହିବି

କାହିଁକି ସେଇଟି ଲେଖା ହୋଇନଥିଲା

ପୂର୍ବରୁ ବା ପରେ ।

 

ନା, ତୁ ମୋତେ ଭୁଲ୍‌ ବୁଝିଛୁ ।

ଆବୁରୁ ଜାବୁରୁ ଲେଖାଥିବା

ତୋର କୌତୁକିଆ କାଗଜ ଖଣ୍ଡଟି ତୁ ରଖିଥା,

 

ମୋ କାମ ପାଇଁ ମୁଁ ଚାହେଁ

ତୋ ମଇଳାର ସ୍ଵର

ଏବଂ ଅନେକ ସମୟରୁ ଅନ୍ତର୍ହିତ ହୋଇଥିବା

ପୋଡ଼ା ଗନ୍ଧ ।

Image

 

ଏକ ବାଲିକଣା ସହ ଦୃଶ୍ୟ

 

ଆମେ ତାକୁ ଏକ ବାଲିକଣା ବୋଲି କହୁ,

କିନ୍ତୁ ସେ ନିଜକୁ କହେ - ନା ବାଲି ନା କଣା,

ବିନା ନାଁରେ ତା’ର କିଛି କ୍ଷତି ହୁଏ ନାହିଁ,

ସାଧାରଣ ହେଉ ବା ନିର୍ଦ୍ଦିଷ୍ଟ,

ସ୍ଥାୟୀ ବା ଅସ୍ଥାୟୀ,

ଭୁଲ୍‌ ବା ଠିକ୍‌ ।

 

ଆମ ଦୃଷ୍ଟିପାତ, ଆମ ସ୍ପର୍ଶ

ତା ପାଇଁ ଅର୍ଥହୀନ,

ତାକୁ କେହି ଦେଖୁଛି ଓ ଛୁଉଁଛି,

ସେ ଅନୁଭବ କରିପାରେ ନାହିଁ ।

ସେ ଝରକା କାଠରେ ପଡ଼ିଛି,

ଏହା ଆମର ଅନୁଭୂତି କେବଳ, ତା’ର ନୁହେଁ;

ତା’ପାଇଁ ଯେଉଁଠି ପଡ଼ିଲେବି ଏକା କଥା,

ପଡ଼ିବା ଯେ ବନ୍ଦ ହୋଇଛି

ବା ଆହୁରି ପଡ଼ିବାକୁ ଅଛି,

କିଛି ପ୍ରତିଶ୍ରୁତି ନଥାଏ ।

 

ଝରକାରୁ ଦେଖାଯାଏ ହ୍ରଦର ଏକ ଚମତ୍କାର ଦୃଶ୍ୟ,

କିନ୍ତୁ ଦୃଶ୍ୟ ନିଜକୁ ଦେଖେ ନାହିଁ ।

ସେ ପୃଥିବୀରେ ଥାଏ,

ଆକାର ଓ ରଂଗ ବିନା

ଶବ୍ଦହୀନ, ଗନ୍ଧହୀନ ଓ ଯନ୍ତ୍ରଣାହୀନ ।

 

ହ୍ରଦର ଚଟାଣ ଥାଏ, ତଳ ନଥିବା ପରି

ଏବଂ ତାର କୂଳବି ଥାଏ, କୂଳହୀନ ଭାବେ

ତାର ପାଣି ଓଦା ନୁହେଁ କି ଶୁଖିଲା ନୁହେଁ,

ଏବଂ ତାର ଢ଼େଉମାନେ

ଏକ ନୁହନ୍ତି ବା ଏକାଧିକ ନୁହନ୍ତି ।

ନିଜ ଶବ୍ଦକୁ ସେମାନେ ଶୁଣି ପାରନ୍ତିନି,

ପଥର ଦେହରେ କଚାଡ଼ି ହେବାବେଳେ

ଯାହାର ଆକାର ବଢ଼େ ନାହିଁ ବା କମେ ନାହିଁ ।

 

ଏବଂ ଏସବୁ ଚାଲିଥାଏ ଏକ ଆକାଶ ତଳେ

ଯାହା ସ୍ୱଭାବତଃ ଆକାଶ ରହିତ,

ଯେଉଁଠି କଦାପି ଅସ୍ତ ନ ହୋଇ ସୂର୍ଯ୍ୟ ଅସ୍ତ ହୁଏ,

ଏବଂ ଏକ ନିର୍ବିକାର ମେଘପଛରେ

ନଲୁଚି ମଧ୍ୟ ଲୁଚିଥାଏ ।

ପବନ ତାକୁ ଥରାଇ ଦିଏ,

ତାର ଏକମାତ୍ର କାରଣ, ସେ ସଦା ଚଳମାନ ।

 

ଗୋଟିଏ ସେକେଣ୍ଡ ଅତିକ୍ରାନ୍ତ ହୁଏ,

ଦ୍ୱିତୀୟ ସେକେଣ୍ଡ,

ପୁଣି ତୃତୀୟ,

କିନ୍ତୁ ସେମାନେ ଆମ ପାଇଁ

ମାତ୍ର ତିନି ସେକେଣ୍ଡ ।

ଏକ ଜରୁରୀ ବାର୍ତ୍ତା ନେଇ ଆସିଥିବା ବାର୍ତ୍ତାବହ ପରି-

ସମୟ ବିତି ଯାଇଛି,

କିନ୍ତୁ ଏହା କେବଳ ଆମର ଉପମା

ଚରିତ୍ରଟି ମନଗଢ଼ା, ତା’ କ୍ଷିପ୍ରତା କାଳ୍ପନିକ,

ତା’ ସମ୍ବାଦ ଅମାନୁଷିକ ।

Image

 

ମୋ ଅପାର ପ୍ରଶଂସାରେ

 

ମୋ ଅପା କବିତା ଲେଖେନି,

ଏବଂ ଏହାର ସମ୍ଭାବନା କ୍ୱଚିତ ଯେ

ସେ ହଠାତ୍‌ କବିତା ଲେଖି ବସିବ ।

 

ସେ ତା’ ମା ପରି ହୋଇଛି

ଯେ କେବେ ବି କବିତା ଲେଖୁ ନଥିଲେ,

ବାପାଙ୍କ ପରି ମଧ୍ୟ,

ସେ ବି କବିତା ଲେଖୁ ନଥିଲେ ।

 

ମୋ ଅପା ଘରେ ମୋତେ ନିରାପଦ ଲାଗେ;

ମୋ ଅପାର ସ୍ଵାମୀ ମରିଯିବେ ପଛେ

କେବେ କବିତା ଲେଖିବେ ନି ।

ଏବଂ ଯଦିଓ ଏହା

ପୁନରାବୃତ୍ତି କରିବା ପରି ଲାଗୁଚି,

ପିଟର ପାଇପର ପରି,

ଏକଥା ସତ ଯେ ମୋର କୌଣସି ସଂପର୍କୀୟ

କବିତା ଲେଖନ୍ତିନି ।

 

ମୋ ଅପାର ଡ୍ରୟରରେ ପୁରୁଣା କବିତା ନଥାଏ,

ବା ତା’ ହାତ ବ୍ୟାଗରେ ନଥାଏ ନୂଆ କବିତା ।

ମୋ ଅପା ଯେତେବେଳେ ମୋତେ ଖାଇବାକୁ ଡାକେ,

ମୁଁ ଜାଣେ ସେ ମୋତେ ତା’ କବିତା

ପଢ଼ି ଶୁଣେଇବନି ।

 

ତା’ ତରକାରୀ ସୁସ୍ଵାଦୁ, କିଛି ଗୁପ୍ତ ଉଦ୍ଦେଶ୍ୟ ନଥାଇ ମଧ୍ୟ

ତା’କଫି ଚହଲିଯାଇ ପାଣ୍ଡୁଲିପି ଉପରେ

ପଡ଼େ ନାହିଁ ।

 

ଅନେକ ପରିବାର ଅଛନ୍ତି

ଯେଉଁଠି କେହି କବିତା ଲେଖନ୍ତିନି ।

କିନ୍ତୁ ଥରେ ଆରମ୍ଭ ହେଲେ

ଅଟକେଇ ହୁଏ ନାହିଁ ।

 

ବେଳେବେଳେ କବିତା ପୁରୁଷ ପୁରୁଷ ଧରି

ଝରଣାର ପାଣି ପରି ବହି ଆସେ,

ଜଳର ଭଉଁରୀ ସୃଷ୍ଟି ହୁଏ,

ଯେଉଁଠି ପରିବାରର ସ୍ନେହ

ଝୁଣ୍ଟି ପଡ଼ିବାର ସମ୍ଭାବନା ଥାଏ ।

 

ମୋ ଅପା କଥିତ ଗଦ୍ୟରେ

କିଛି ସଫଳତା ହାସଲ କରିଛି ।

କିନ୍ତୁ ତାର ସମସ୍ତ ଲିଖିତ ସୃଷ୍ଟି,

ଛୁଟିରୁ ଲେଖିଥିବା ପୋଷ୍ଟ କାର୍ଡରେହିଁ ସୀମିତ,

ଯାହାର କଥାବସ୍ତୁ ଅପରିବର୍ତ୍ତିତ ଥାଏ ବର୍ଷ ପରେ ବର୍ଷ ।

 

ସେଇ ଏକା ପ୍ରତିଶ୍ରୁତି -

ସେ ଫେରିଲେ ତା’ର କହିବାକୁ ଅଛି

କେତେ କଥା,

କେତେ କେତେ କଥା ।

Image

 

ପରୀକ୍ଷା

 

ମୁଖ୍ୟ ପ୍ରସଙ୍ଗ ପୂର୍ବରୁ ଗୋଟିଏ ଛୋଟ ବିଷୟ,

ଯେଉଁଥିରେ ଅଭିନେତାମାନେ ତାଙ୍କ ପାରୁପର୍ଯ୍ୟନ୍ତ ଚେଷ୍ଟାକଲେ,

ମୋତେ କନ୍ଦାଇବା, ଏପରିକି ହସାଇବା ପାଇଁ-

ଆମକୁ ଏକ ଚିତ୍ତାକର୍ଷକ ପରୀକ୍ଷା ଦେଖାଗଲା,

ଏକ ମୁଣ୍ଡକୁ ନେଇ ।

 

ମୁଣ୍ଡଟି ଗୋଟିଏ ମିନିଟ୍‌ ଆଗରୁ ସଂଯୁକ୍ତ ଥିଲା-

କିନ୍ତୁ ଏବେ ତାକୁ କାଟି ଦିଆଗଲା ।

ସମସ୍ତେ ଦେଖିଲେ ତା’ର ଦେହ ନାହିଁ ।

ବେକରୁ ଝୁଲୁଥିବା ନଳୀ ଗୁଡ଼ିକରେ

ତାକୁ ଏକ ଯନ୍ତ୍ରରେ ଖଞ୍ଜି ଦିଆଗଲା,

ଯାହା ରକ୍ତ ସଂଚାଳନ ଚାଲୁ ରଖିଲା,

ମୁଣ୍ଡଟି ତା କାମ ଠିକ୍‌ କରି ଚାଲିଲା ।

 

କିଛି ଯନ୍ତ୍ରଣା ବା ବିସ୍ମୟ ପ୍ରକାଶ ନକରି

ତା’ ଆଖି ଏକ ଚଳନ୍ତା ଆଲୁଅକୁ ଅନୁସରଣ କଲା;

ଘଣ୍ଟି ବାଜିବାରୁ କାନକୁ ଠିଆ କଲା,

ତା’ ଓଦା ନାକ ବାରି ପାରିଲା

ମାଂସର ବାସ୍ନାଠାରୁ ଗନ୍ଧହୀନ ବିସ୍ମୃତିକୁ,

ଏବଂ ଓଠରେ ଚାଟୁ ଚାଟୁ

ଶରୀର ବିଜ୍ଞାନକୁ ନମସ୍କାର କଲା ପାଚକ ରସରେ ।

 

ଏକ କୁକୁରର ବିଶ୍ଵସ୍ତ ମୁଣ୍ଡ,

ବନ୍ଧୁତ୍ୱପୂର୍ଣ୍ଣ ବି,

ଥାପୁଡ଼ାଇବାରୁ ଟେରେଇ ଚାହିଁଲା,

ବୁଝିଯାଇ ଯେ ଏହା ତଥାପି ଥିଲା ସମଗ୍ରର ଏକ ଅଂଶ ।

ଥାପୁଡ଼ାଇଲେ ପଛ ଭାଗ ବଙ୍କା କରିଦିଏ,

ଲାଞ୍ଜ ହଲାଏ ।

 

ମୁଁ ସୁଖ କଥା ଭାବିଲି ଓ ତ୍ରସ୍ତ ହେଲି

ଯେହେତୁ ପ୍ରକୃତରେ ଏହା ହିଁ ଜୀବନ;

ମୁଣ୍ଡ ଏବେ ଖୁବ୍‌ ଖୁସି ।

Image

 

ଘରକୁ ଫେରି

 

ସେ ଘରକୁ ଆସିଲା । କିଛି କହିଲାନି ।

ଯଦିଓ ପରିଷ୍କାର ଜଣାପଡ଼ୁଥିଲା

କିଛି ଗୋଟାଏ ବିଭ୍ରାଟ ହୋଇଛି ।

 

ପୋଷାକପତ୍ର ନଖୋଲି ସେ ଶୋଇ ପଡ଼ିଲା

କମ୍ବଳରେ ଦେହକୁ ଢ଼ାଙ୍କି ଦେଲା ।

ଆଣ୍ଠୁ ବଙ୍କାକରି ନିଜ ଆଡ଼କୁ ଟାଣି ଆଣିଲା ।

 

ତାକୁ ପ୍ରାୟ ଚାଳିଶ ବର୍ଷ,

କିନ୍ତୁ ଏଇ ମୁହୂର୍ତ୍ତରେ ନୁହେଁ ।

ସେ ଏବେବି ବଂଚିଛି,

ଯେମିତି ବଂଚିଥିଲା ମା’ ଗର୍ଭରେ ।

ସାତ ପ୍ରସ୍ଥର ଚମଡ଼ାରେ ଆବୃତ ହୋଇ,

ଅନ୍ଧାର ଆଶ୍ରୟରେ ।

 

କାଲି ସେ ଏକ ବକ୍ତୃତା ଦେବ,

‘ମହା ଅନ୍ତରୀକ୍ଷ ମହାକାଶ ଯାତ୍ରା ସମ୍ବନ୍ଧୀୟ

ସନ୍ତୁଳିତ ଅଣୁଜୀବ’ ଉପରେ;

 

ଯଦିଓ ବର୍ତ୍ତମାନ ପାଇଁ

ସେ ଜାକିଜୁକି ହୋଇ ଶୋଇ ପଡ଼ିଛି ।

Image

 

ମେ ୧୬, ୧୯୭୩

 

ସେଇ ଅନେକ ତାରିଖରୁ ଗୋଟିଏ

ଯାହା ଥାଇ ମନେ ପକାଇ ଦିଏନି ଅନ୍ୟ କିଛି,

ସେ ଦିନ ମୁଁ କୁଆଡ଼େ ଯାଉଥିଲି,

କଣ ଭାବୁଥିଲି - ମୁଁ ଜାଣେ ନାହିଁ ।

 

ମୁଁ କାହାକୁ ଦେଖା କଲି,

ଆମେ କାହା ବିଷୟରେ କଥା ହେଲୁ,

ମୋର ମନେ ନାହିଁ ।

ଯଦି ପାଖରେ କିଛି ଅପରାଧ ଘଟିଥାନ୍ତା,

ସଫେଇ ଦେବା ପାଇଁ ବି ମୋର କିଛି ନଥାନ୍ତା ।

 

ସୂର୍ଯ୍ୟ ଜଳିଉଠି ଅସ୍ତ ହେଲା

ମୋ ଦିଗ୍‌ବଳୟ ସେପାରିରେ,

ପୃଥିବୀ ବୁଲିଲା

ମୋ ନୋଟ୍‌ ଖାତାରେ ଟିପ୍‌ପଣୀ ବିନା ।

 

ମୁଁ ବରଂ ଭାବିବି-

କିଛି ସମୟ ପାଇଁ ମୋର ମୃତ୍ୟୁ ହୋଇଥିଲା,

କିନ୍ତୁ କେମିତି କହିବି, ବଂଚି ଚାଲିଥିଲି

ଅଥଚ କିଛି ମନେ ରଖିନାହିଁ ?

 

ମୁଁ ତ ଆଉ ଭୂତଟିଏ ନଥିଲି-

ମୁଁ ନିଶ୍ଵାସ ପ୍ରଶ୍ଵାସ ନେଉଥିଲି, ଖାଉଥିଲି,

ଚଲାବୁଲା କରୁଥିଲି ।

 

ମୋ ପାଦ ଶବ୍ଦ ଶୁଭୁଥିଲା,

କବାଟରେ ରହୁଥିଲା ମୋ ଆଙ୍ଗୁଳି ଛାପ ।

ଅଇନାରେ ରହୁଥିଲା ମୋ ପ୍ରତିବିମ୍ବ ।

 

ମୁଁ କିଛିନା କିଛି ପିନ୍ଧୁଥିଲି,

ଅମୁକ ଅମୁକ ରଂଗର;

ମୋତେ କେହି ନିଶ୍ଚୟ ଦେଖିଥିବେ ।

ହୋଇପାରେ ସେଦିନ ମୁଁ କିଛି ପାଇଲି

ଯାହା ହଜିଯାଇଥିଲା,

ହୋଇପାରେ ମୁଁ କିଛି ହଜାଇଦେଲି

ଯାହା ପରେ ମିଳିଲା ।

 

ଭାବନା ଓ ଇନ୍ଦ୍ରିୟାନୁଭୂତିରେ

ମୋ ହୃଦୟ ପୂରିଗଲା,

ଏବେ ସେ ସବୁ ବିନ୍ଦୁମାନଙ୍କ ରେଖା ପରି

ବନ୍ଧନୀ ମଧ୍ୟରେ ।

 

ମୁଁ କେଉଁଠି ଲୁଚିଥିଲି ।

କେଉଁଠି ମୁଁ ନିଜକୁ କବର ଦେଲି ?

ମନ୍ଦ ଫିକର ନୁହେଁ

ନିଜ ଆଖି ଆଗରେ ଉଭେଇଯିବା ।

 

ମୁଁ ମୋ ସ୍ମୃତିକୁ ହଲାଇ ଦିଏ,

ହୁଏତ ତା ଡାଳରେ ଅନେକ ବର୍ଷ ହେଲା

ଶୋଇଥିବା କିଛି ଗୋଟାଏ

ଫଡ଼୍‌ଫଡ଼୍‌ କରି ଉଠିବ ।

ନାଁ

ମୁଁ ନିଶ୍ଚୟ ବହୁତ କିଛି ଚାହୁଁଛି;

ଏକ ସଂପୂର୍ଣ୍ଣ ସେକେଣ୍ଡଠାରୁ କିଛି କମ୍‌ ନୁହେଁ ।

Image

 

ଆମେ ଖୁବ୍‌ ଭାଗ୍ୟବାନ୍‌

 

ଆମେ ଖୁବ୍‌ ଭାଗ୍ୟବାନ୍‌

କିପରି ପୃଥିବୀରେ ଆମେ ବଂଚିଛୁ

ତାହା ସଠିକ୍‌ ଭାବେ ଜାଣି ନଥିବାରୁ ।

 

ଏଥିପାଇଁ ଜଣକୁ ବଂଚିବାକୁ ପଡ଼ିବ

ଲମ୍ବା, ଖୁବ୍‌ ଲମ୍ବା ସମୟ,

ନିର୍ବିବାଦରେ ପୃଥିବୀଠାରୁ ମଧ୍ୟ ଲମ୍ବା ।

 

ଅନ୍ୟ ପୃଥିବୀମାନଙ୍କୁ ମଧ୍ୟ ଜାଣିବାକୁ ପଡ଼ିବ

କେବଳ ତୁଳନା ପାଇଁ ହେଲେବି ।

 

ଦେହଠାରୁ ଉର୍ଦ୍ଧ୍ୱକୁ ଉଠିବାକୁ ପଡ଼ିବ,

ଯେ କେବଳ ଜାଣିଛି

କିପରି ବାଧା ଦିଆଯାଏ,

ସମସ୍ୟା ସୃଷ୍ଟି କରାଯାଏ,

ଗବେଷଣା ପାଇଁ,

ବଡ଼ ଚିତ୍ର ଓ

ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ମାନଙ୍କ ପାଇଁ

ସମୟକୁ ଅତିକ୍ରମ କରିବାକୁ ପଡ଼ିବ

ଯେଉଁଠି ସବୁ ଥାଏ ବେଗରେ, ଆବର୍ତ୍ତରେ ।

 

ସେ ଦୃଷ୍ଟିରୁ

ବରଂ ବିଦାୟ ଜଣାଇବା ଭଲ,

ଘଟଣା ମାନଙ୍କୁ, ସବିଶେଷ ତଥ୍ୟ ଗୁଡ଼ିକୁ ।

ଶେଷରେ ମନେ ହେବ

ସପ୍ତାହର ଦିନମାନଙ୍କୁ ଗଣିବା

ଏକ ଅର୍ଥହୀନ କାର୍ଯ୍ୟ;

ଚିଠି ବାକ୍‌ସରେ ଚିଠି ପକାଇବା

ନିର୍ବୋଧ ଯୌବନର ଏକ ଖିଆଲ୍‌,

ଓ ‘ଘାସ ଉପରେ ଚାଲିବା ମନା’ ବିଜ୍ଞାପନ

ପାଗଳାମିର ଏକ ଲକ୍ଷଣ ।

Image

 

ଚେତାବନୀ

 

ବିଦୂଷକ ମାନଙ୍କୁ ମହାକାଶକୁ ନେବ ନାହିଁ,

ଏହା ମୋର ପରାମର୍ଶ ।

ଚଉଦଟି ନିର୍ଜୀବ ଗ୍ରହ,

କେତୋଟି ଧୂମକେତୁ, ଦୁଇଟି ତାରକା,

ତୁମେ ତୃତୀୟ ତାରା ଆଡ଼କୁ ଯିବା ଆରମ୍ଭ

କଲା ବେଳକୁ,

ତୁମ ବିଦୂଷକ ମାନଙ୍କର ରସିକତା ନଥିବ ।

ବିଶ୍ଵ ବ୍ରହ୍ମାଣ୍ଡ ଯାହା, ସେଇଆ ହିଁ ଅଛି-

ଅର୍ଥାତ-ପରିପୂର୍ଣ୍ଣ ।

ତୁମ ବିଦୂଷକ ତାକୁ କେବେ କ୍ଷମା ଦେବେନି ।

କିଛି ବି ସେମାନଙ୍କୁ ଖୁସି କରିବନି,

ସମୟ ତ ନୁହେଁ (ଖୁବ୍‌ ସ୍ମରଣାତୀତ),

ସୌନ୍ଦର୍ଯ୍ୟ ବି ନୁହେଁ (ଖୁଣ ନାହିଁ),

ନୁହେଁ ବି ମାଧ୍ୟାକର୍ଷଣ ଶକ୍ତି (ଲଘୁତାର କିଛି କାମ ନାହିଁ) ।

ଯେତେବେଳେ ଅନ୍ୟମାନେ

ଭୟରେ ଜୁଡ଼ୁବୁଡ଼ୁ ହୋଇଯାନ୍ତି,

ବିଦୂଷକମାନେ କେବଳ ହାଇ ମାରନ୍ତି ।

ଚତୁର୍ଥ ତାରକା ଆଡ଼କୁ ଯିବା ରାସ୍ତାରେ

ପରିସ୍ଥିତି ବେଶୀ ଖରାପ ହିଁ ହେବ ।

ଆମ୍ବିଳା ହୋଇଥିବା ହସ,

ବ୍ୟାହତ ନିଦ୍ରା ଓ ଅସନ୍ତୁଳନ

ବେକାର ଗପ :

ସେଇ କାଉଟିକୁ ମନେ ପକାଅ

ଯାହା ଥଣ୍ଟରେ ଥିଲା ଛେନା,

ମହାରାଜାଙ୍କ ଫଟୋଚିତ୍ରରେ ମକ୍ଷିକାର ମଳ,

ବାମ୍ଫ ଗାଧୁଆରେ ମାଙ୍କଡ଼-

ସେ ଏବେ ବଂଚିଥିଲା ।

ସଂକୀର୍ଣ୍ଣମନା ।

ସେମାନେ ଯେତେବେଳେ ହେଲେ ବି

ଅସୀମ ସମୟଠାରୁ ଗୁରୁବାରକୁ ଶ୍ରେୟଦେବେ,

ଆଦିମ ।

ବର୍ତ୍ତୁଳମାନଙ୍କ ସଂଗୀତ ଅପେକ୍ଷା

ବେସୁରା ଗୀତ ସେମାନଙ୍କର ପସନ୍ଦ,

ଫାଟମାନଙ୍କରେ ସେମାନେ ଖୁସି,

ତତ୍ତ୍ଵ ଓ ବାସ୍ତବତା,

କାରଣ ଓ ଫଳ ।

କିନ୍ତୁ ଏହା ତ ମହାକାଶ,

ପୃଥିବୀ ନୁହେଁ,

ଏଠି ସବୁ ମିଶିଯାଏ ତ୍ରୁଟିହୀନ ଭାବେ ।

ତିରିଶତମ ଗ୍ରହର

(ତା’ର ଚରମ ଜନ ଶୂନ୍ୟତାକୁ ଦୃଷ୍ଟିରେ ରଖି)

ସେମାନେ ସେମାନଙ୍କ ପ୍ରକୋଷ୍ଠରୁ

ବାହାରିବାକୁ ମନା କରିବେ :

‘ମୋ ମୁଣ୍ଡ ବିନ୍ଧୁଛି, ମୋ ଆଙ୍ଗୁଳି ଖଣ୍ଡିଆ

ହୋଇଛି’ - ସେମାନେ ଅଭିଯୋଗ କରିବେ ।

କି ଅପଚୟ ! କି ଲଜ୍ଜା !

ମହାକାଶରେ ଅକାରଣରେ ଖର୍ଚ୍ଚ ହୋଇଗଲା

ଏତେ ଗୁଡ଼ାଏ ଅର୍ଥ !

Image

 

ଆତ୍ମା ସମ୍ପର୍କରେ କେତୋଟି ଶବ୍ଦ

 

ବେଳେ ବେଳେ ଆମର ଆତ୍ମା ଥାଏ,

ଏମିତି କେହି ନାହିଁ ଯାହାର ଆତ୍ମାଟି ଥାଏ

ସବୁବେଳେ, ସାଇତା ହୋଇ ରହିବା ଲାଗି ।

ଆତ୍ମା ବିନା ଦିନ ପରେ ଦିନ,

ବର୍ଷପରେ ବର୍ଷ ବିତିଯାଇ ପାରେ ।

ବେଳେ ବେଳେ ସେ କିଛି ସମୟ ପାଇଁ ରହିଯାଏ,

କେବଳ ଶୈଶବର ଭୟ ଓ ଆନନ୍ଦରେ,

ଆଉ ବେଳେ ବେଳେ ଆମେ ବୁଢ଼ା ହେଇଯାଇଛୁ,

ଏଇ ବିସ୍ମୟରେ ।

 

କଠିନ କାମ ପାଇଁ ସେ କ୍ୱଚିତ୍‌ ସାହାଯ୍ୟର

ହାତ ବଢ଼ାଏ-

ଯେମିତି ଆସବାବ ପତ୍ର ଙ୍ଘୁଚାଇବା,

କିମ୍ବା ବାକ୍ସ ଉଠାଇବା,

ଅଥବା ପାଦ କାଟୁଥିବା ଯୋତା ପିନ୍ଧି ବେଶୀରାସ୍ତା ଚାଲିବା ।

 

ସେ ସାଧାରଣତଃ ବାହାରିଯାଏ,

ଯେତେବେଳେ ମାଂସ କାଟିବାକୁ ପଡ଼େ

ବା ଫର୍ମ ପୂରଣ କରିବାକୁ ହୁଏ ।

ହଜାରେ କଥାବାର୍ତ୍ତା ଭିତରୁ

ସେ ଗୋଟିଏରେ ଭାଗ ନିଏ

ଯେହେତୁ ତାକୁ ନୀରବତା ଭଲ ଲାଗେ ।

ଆମ ଶରୀର

ଯେତେବେଳେ ବ୍ୟଥାରୁ ଯନ୍ତ୍ରଣା ଆଡ଼କୁ ଯାଏ,

ସେ ଦାୟିତ୍ଵ ଛାଡ଼ି ପଳାଏ ।

 

ତାକୁ ସନ୍ତୁଷ୍ଟ କରିବା ସହଜ ନୁହେଁ,

ଆମକୁ ଗହଳିରେ ଦେଖିବାକୁ ସେ ପସନ୍ଦ କରେନି,

ସନ୍ଦେହଜନକ ସୁବିଧା ପାଇଁ ଏଣେ ତେଣେ ଦୌଡ଼ିବା

ଏବଂ ନିଷ୍ଠୁର ଚକ୍ରାନ୍ତକୁ ସେ ଘୃଣା କରେ ।

 

ତା'ପାଇଁ ସୁଖ ଓ ଦୁଃଖ

ଦୁଇଟି ଅଲଗା ଅନୁଭୂତି ନୁହନ୍ତି,

ସେ ଆମକୁ ସହଯୋଗ କରେ

ଯେତେବେଳେ ଏ ଦୁଇଟି ମିଶନ୍ତି ।

ଆମେ ଯେତେବେଳେ କୌଣସି ବିଷୟରେ ନିଶ୍ଚିତ ନୁହେଁ

କିନ୍ତୁ ସବୁ ବିଷୟରେ କୌତୁହଳୀ,

ଆମେ ତା ଉପରେ ନିର୍ଭର କରି ପାରିବା ।

 

ସବୁ ଭୌତିକ ବସ୍ତୁମାନଙ୍କ ମଧ୍ୟରୁ

ପେଣ୍ଡୁଲମ୍‌ ଥିବା ଘଣ୍ଟାକୁ ସେ ପସନ୍ଦ କରେ,

ଏବଂ ଦର୍ପଣକୁ, ଯେ କାମ କରି ଚାଲୁଥାଏ

କେହି ଦେଖୁନଥିବା ବେଳେ ବି ।

 

ସେ କହିବ ନାହିଁ

କେଉଁଠୁ ଆସିଛି

ବା ପୁଣି କେଉଁଠାକୁ ଯିବ,

ଯଦିଓ ସେ ନିଶ୍ଚୟ ଏପରି ପ୍ରଶ୍ନ ଆଶା କରେ ।

 

ଆମ ପାଇଁ ସେ ନିଶ୍ଚୟ ଦରକାରୀ,

କିନ୍ତୁ ଏହା ଅନୁମାନ କରାଯାଇ ପାରେ,

କୌଣସି ବିଶେଷ କାରଣରୁ

ସେ ମଧ୍ୟ ଆମକୁ ଲୋଡ଼େ ।

Image

 

ଖୋଲାପଣ

 

ଏଇଠି ଆମେ, ଉଲଗ୍ନ ପ୍ରେମିକ,

ପରସ୍ପର ପାଇଁ ସୁନ୍ଦର - ଓ ତାହାହିଁ ଯଥେଷ୍ଟ -

ଆଖିପତାର ପତ୍ର ଆମର ଏକମାତ୍ର ଆବରଣ,

ଆମେ ଶୋଇଛୁ, ଆମ ଚାରିପାଖେ ବହଳ ରାତ୍ରି ।

କିନ୍ତୁ ସେମାନେ ଆମ ବିଷୟରେ ଜାଣନ୍ତି,

ସେମାନେ ଜାଣନ୍ତି ଘରର ଚାରୋଟି କୋଣ

ଏବଂ ଆମ ପାଖରେ ଥିବା ଚୂଲୀଟିକୁ,

ଚତୁର ଛାଇମାନେ ମଧ୍ୟ ଜାଣନ୍ତି,

ଟେବୁଲ ଜାଣେ, କିନ୍ତୁ ଚୁପ୍‌ ରହେ ।

ଆମ ଚା କପ୍‌ ଗୁଡ଼ିକ ଭଲଭାବେ ଜାଣନ୍ତି

କାହିଁକି ଚା ଥଣ୍ଡା ହୋଇଯାଉଛି,

ଏବଂ ସ୍ଵିଫ୍‌ଟ ନିଶ୍ଚୟ କହିପାରିବେ ।

କାହିଁକି ତାଙ୍କ ବହି ଆଉ ଖୋଲା ହୋଇନାହିଁ ।

ଏପରିକି ଚଢ଼େଇମାନେ ବି ଜାଣନ୍ତି :

ସେମାନେ ଆକାଶରେ ଲେଖିବା ମୁଁ ଦେଖିଛି,

ଖୋଲା ଓ ନିର୍ଲଜ ଭାବରେ

ମୁଁ ତୁମକୁ ଯେଉଁ ନାଁ ରେ ଡାକେ ।

ଆଉ ଗଛମାନେ ? ତୁମେ ମୋତେ ବୁଝାଇ ପାରିବ

ସେମାନଙ୍କ ଅସରନ୍ତି ଚୁପ୍‌ଚୁପ୍‌ କଥା ?

ତୁମେ କୁହ ପବନ ହୁଏତ ଜାଣେ,

କିନ୍ତୁ କିପରି - ତାହା ରହସ୍ୟାବୃତ୍ତ ।

ଆମକୁ ଆଶ୍ଚର୍ଯ୍ୟକରେ ପ୍ରଜାପତି ପର୍ଦ୍ଦା ଆଢ଼ୁଆଳୁ

ଡେଣାରେ ତା ଅସ୍ପଷ୍ଟ ସ୍ପନ୍ଦନ

ତା’ର ନୀରବ ରାସ୍ତା - ଦେଖ କେତେ ଅଙ୍କା ବଙ୍କା

ଏକ ଅବୋଧ୍ୟ ଢାଞ୍ଚାରେ ।

ହୁଏତ ସେ ଦେଖିପାରେ,

ଯାହା ଦେଖିପାରେ ନାହିଁ ଆମ ଆଖି

ପତଙ୍ଗର ଜନ୍ମଗତ ତୀକ୍ଷ୍ଣତାରେ,

ଯାହା ତୁମେ କେବେ ଅନୁମାନ କରିନାହଁ

ବା କହିପାରିନାହଁ,

ଜଳୁଥିଲା ହୃଦୟ ଆମର

ଗଭୀର ଅନ୍ଧାରେ ।

Image

 

ଜୀବନବୃତ୍ତାନ୍ତର ସଂକ୍ଷିପ୍ତ ବିବରଣୀ ଲେଖା

 

କ’ଣ କରିବାକୁ ପଡ଼ିବ ?

ଦରଖାସ୍ତ ପୂରଣ କର

ଓ ଜୀବନ ବୃତ୍ତାନ୍ତର ସଂକ୍ଷିପ୍ତ ବିବରଣୀକୁ

ଯୋଡ଼ିଦିଅ ।

 

ଜୀବନର ଦୈର୍ଘ୍ୟ ଯେତେ ହେଉନା କାହିଁକି

ବିବରଣୀଟି ଛୋଟ ହେଲେ ଭଲ ।

 

ସଂକ୍ଷିପ୍ତ ଓ ସୁନିର୍ବାଚିତ ତଥ୍ୟ ବାଧ୍ୟତାମୂଳକ,

ଠିକଣା ଗୁଡ଼ିକ ଭୂଭାଗ ଦୃଶ୍ୟର ସ୍ଥାନ ନିଅନ୍ତି,

ଅସ୍ଥିର ସ୍ମୃତିର ସ୍ଥାନ ନିଅନ୍ତି ସ୍ଥିର ତାରିଖମାନ ।

 

ସବୁ ପ୍ରେମ ମଧ୍ୟରୁ କେବଳ ବିବାହକୁ ଉଲ୍ଲେଖ କର;

ତୁମର ସମସ୍ତ ସନ୍ତାନ ମାନଙ୍କ ମଧ୍ୟରୁ

କେବଳ ସେମାନଙ୍କ କଥା ଲେଖ

ଯେଉଁମାନେ ଜନ୍ମ ହୋଇଛନ୍ତି ।

ତୁମେ କେଉଁମାନଙ୍କୁ ଜାଣିଛ -

ଏହାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ

ତୁମକୁ କିଏ ଜାଣିଛି;

ଯାତ୍ରା କଥା ଲେଖ, ଯଦି ତାହା ବିଦେଶକୁ ହୋଇଥାଏ ।

 

କାହାର ସଦସ୍ୟ ସେ କଥା କୁହ, କାରଣ ଦର୍ଶାଅ ନାହିଁ ।

ସମ୍ମାନ କଥା ଲେଖ, କିନ୍ତୁ ସେଗୁଡ଼ିକ କିପରି ମିଳିଲା

କହିବା ଜରୁରୀ ନୁହେଁ ।

ଲେଖ, ଯେମିତି ତୁମେ ନିଜ ସହ

କେବେ କଥା ହୋଇ ନାହଁ,

ଏବଂ ନିଜକୁ ସବୁବେଳେ ନିଜଠାରୁ

ଦୂରେଇ ରଖିଛ ।

ଏମାନଙ୍କ ବିଷୟରେ ନୀରବ ରୁହ

ତୁମ କୁକୁର, ବିରାଡ଼ି, ଚଢ଼େଇ,

ଧୂଳି ଜମିଥିବା ସାଇତା ଜିନିଷ,

ବନ୍ଧୁମାନେ ଓ ସ୍ଵପ୍ନସବୁ ।

 

ଦାମ୍‌ ବିଷୟରେ ଲେଖ,

ମୂଲ୍ୟ କଥା କୁହ ନାହିଁ,

ଏବଂ ଉପାଧି କଥା ଲେଖ,

ଭିତରେ କଣ ଅଛି ସେକଥା ନୁହେଁ ।

ଟିପିରଖ ତାର ଜୋତାର ମାପ -

ସେ କେଉଁଠାକୁ ଗଲା ତା ନୁହେଁ,

ନିଜକୁ ସେଇ ସ୍ଥାନରେ ରଖ ।

 

ଏହାଛଡ଼ା, ଗୋଟିଏ କାନ ଦେଖାଯାଉଥିବା

ଫଟୋଟିଏ ଯୋଡ଼ ।

ତା’ର ଆକାରଟିହିଁ ଦରକାର,

ସେ କ'ଣ ଶୁଣେ ଜାଣିବା ଦରକାର ନାହିଁ ।

ଶୁଣିବା ପାଇଁ କ’ଣ ବା ଥାଏ-

କାଗଜ କାଟିବା ଯନ୍ତ୍ର ମାନଙ୍କ ଖଡ଼ଖଡ଼ ଶବ୍ଦ ବ୍ୟତୀତ ?

Image

 

ଆବିଷ୍କାର

 

ମୁଁ ବୃହତ୍‌ ଆବିଷ୍କାରରେ ବିଶ୍ଵାସ କରେ ।

ଆବିଷ୍କାର କରିବାକୁ ଥିବା ମଣିଷକୁ ମୁଁ ବିଶ୍ୱାସ କରେ;

ସେଇ ମଣିଷର ଭୟକୁ ବି ମୁଁ ବିଶ୍ୱାସ କରେ,

ଯିଏ ଆବିଷ୍କାର କରିବ ।

ତା’ ମୁଁହ ଧଳା ହୋଇଯିବାରେ

ମୋର ପ୍ରତ୍ୟୟ ଥାଏ,

ତାକୁ ଅସହଜ ଲାଗିବାରେ,

ତା ଉପର ଓଠ ଶୀତଳ ସ୍ଵେଦରେ ଓଦା ହେବାରେ ।

 

ତା’ ଟିପାଖାତାକୁ ପୋଡ଼ିବାରେ ମୁଁ ବିଶ୍ୱାସ କରେ,

ପୋଡ଼ି ପାଉଁଶ ହେବା ଯାଏ,

ଶେଷ ଶବ୍ଦ ପୋଡ଼ିଯିବା ଯାଏ ।

 

ସଂଖ୍ୟାକୁ ବିକ୍ଷିପ୍ତ କରିବାରେ ମୁଁ ବିଶ୍ଵାସ କରେ,

କିଛି ଅନୁଶୋଚନା ନଥାଇ ଇତଃସ୍ତତଃ ଫିଙ୍ଗିବାରେ ।

ମଣିଷ ତରତର ହେବାରେ ମୁଁ ବିଶ୍ଵାସ କରେ,

ତା'ର ସଞ୍ଚାଳନର ସଂକ୍ଷିପ୍ତ ପଣିଆରେ,

ତା’ର ମୁକ୍ତ ବିଚାରରେ ।

 

ମୁଁ ବଟିକାକୁ ଭାଙ୍ଗିବାରେ ବିଶ୍ଵାସ କରେ,

ତରଳ ଜିନିଷ ଢାଳିବାରେ,

ରଶ୍ଜି ଲିଭିଯିବାରେ ।

 

ମୁଁ ନିଃସନ୍ଦେହ, ଏହା ଭଲରେ ସରିବ,

ବେଶୀ ଡେରି ମଧ୍ୟ ହେବ ନାହିଁ ,

କେହି ସାକ୍ଷୀ ନଥାଇ ଏହା ଘଟିବ ।

 

ମୁଁ ନିଶ୍ଚିତ, କ’ଣ ହେଲା କେହି ଜାଣିବେନି,

ନାଁ ପତ୍ନୀ, ନତୁବା କାନ୍ଥ,

ଏପରିକି ପକ୍ଷୀ ବି ନୁହେଁ,

ଗୀତ ଗାଇବା ବେଳେ ଯିଏ ସ୍ଵର ହୁଡ଼ିପାରେ ।

 

ଅଂଶ ଗ୍ରହଣ କରିବାକୁ ମନା କରିବାରେ

ମୁଁ ବିଶ୍ଵାସ କରେ ।

ମୁଁ ବିଶ୍ଵାସ କରେ ଭଙ୍ଗା ବୃତ୍ତିରେ ।

 

ମୁଁ ବିଶ୍ଵାସ କରେ କାମ କରିବାର ନିଷ୍ଫଳ ବର୍ଷମାନଙ୍କରେ ।

ସମାଧିକୁ ଯିବାକୁ ଥିବା ଗୋପନୀୟ କଥାରେ

ମୁଁ ବିଶ୍ଵାସ କରେ ।

ଏଇ ଶବ୍ଦ ଗୁଡ଼ିକ ମୋ ପାଇଁ ଖୁବ୍‌ ଉପରକୁ ଯାଆନ୍ତି

ସବୁ ନିୟମକୁ ଭାଙ୍ଗି,

ପ୍ରକୃତ ଉଦାହରଣଠାରୁ ସମର୍ଥନ ନଚାହିଁ ।

ମୋର ପ୍ରତ୍ୟୟ ଅନ୍ଧ ଭିତ୍ତିହୀନ, କିନ୍ତୁ ଦୃଢ଼ ।

Image

 

ଏକ ଭୂଭାଗର ଦୃଶ୍ୟ

 

ବୃଦ୍ଧ ଚିତ୍ରକର ଆଙ୍କିଥିବା ଭୂ-ଚିତ୍ରରେ,

ତୈଳ ଚିତ୍ର ତଳେ ଗଛମାନଙ୍କର ଚେର ଥାଏ,

ରାସ୍ତା ନିଶ୍ଚେ ଲକ୍ଷ୍ୟ ସ୍ଥଳରେ ପହଂଚେ,

ଦସ୍ତଖତର ସ୍ଥାନ ନିଏ ଏକ ସମ୍ଭ୍ରାନ୍ତ ଘାସର ଧାରୁଆ ପତ୍ର ।

ଅପରାହ୍ନ ପାଂଚଟା ସମୟ, ବୁଝି ହୁଏ ସହଜରେ,

ମେ ମାସ, ଭଦ୍ର ଓ ନିଶ୍ଚଳ,

ମୁଁ ବି ସେଇଥି ପାଇଁ ରହିଯାଇଛି, ହେ ମୋର ପ୍ରିୟ,

ପାଉଁଶିଆ ଗଛ ତଳେ ମୁଁ ବି ନାରୀଟିଏ ।

 

ଦେଖ, ମୁଁ ତମକୁ କେତେ ପଛରେ ଛାଡ଼ି ଆସିଛି

ଦେଖ, ମୁଁ ପିନ୍ଧିଥିବା ଧଳା ପୋଷାକ, ହଳଦିଆ ସ୍କର୍ଟ,

ମୁଁ କେମିତି ଝୁଡ଼ିକୁ ଧରିଛି ଦେଖ, ଚିତ୍ରରୁ ଖସି ନଯିବା ଲାଗି

ଅନ୍ୟ କାହା ଭାଗ୍ୟ ଭିତରେ ମୁଁ ଘୁରୁଛି,

ଜିଅନ୍ତା ରହସ୍ୟମାନଙ୍କଠାରୁ ଟିକିଏ ବିଶ୍ରାମ ନେଉଛି ।

 

ତୁମେ ମୋତେ ଡାକିଲେ ବି ମୁଁ ଶୁଣିବିନି,

ଶୁଣିଲେ ବି ପଛକୁ ଫେରି ଚାହିଁବିନି,

ଯଦିଓ ମୁଁ ସେଇ ଅସମ୍ଭବ ଇଙ୍ଗିତ ଦେଉଥାଏ,

ତଥାପି ତମ ମୁହଁ ମୋ ପାଇଁ ଅଚିହ୍ନା ରହିବ ।

ଛ' ମାଇଲ ପରିଧିର ପୃଥିବୀକୁ ମୁଁ ଜାଣେ,

ସବୁ ବ୍ୟାଧି ପାଇଁ ଚେର ମୂଳ, ଗୁଣି-

ମୋ ମଥାକୁ ଈଶ୍ଵର ଏବେ ବି ଚାହିଁଛନ୍ତି

ମୁଁ ତଥାପି ପ୍ରାର୍ଥନା କରୁଛି, ହଠାତ୍‌ ନ ମରିବା ପାଇଁ ।

 

ଯୁଦ୍ଧ ଏକ ଦଣ୍ତ, ଶାନ୍ତି ଏକ ପୁରସ୍କାର

ଶୟତାନଠାରୁ ଆସେ ସବୁ ଲଜ୍ଜାଜନକ ସ୍ଵପ୍ନ,

ମୋ ଆତ୍ମା କୋଳି ମଞ୍ଜି ପରି ସରଳ ।

 

ହୃଦୟର ଖେଳ ମୋତେ ଜଣା ନାହିଁ,

ମୋ ପିଲାଙ୍କ ବାପାଙ୍କୁ ମୁଁ କେବେ ଉଲଗ୍ନ ଦେଖିନି;

ଗୀତର ସାରାଂଶ ପଛରେ ଲୁଚିଥିବା,

କଟାକଟି ହୋଇଥିବା ଓ କାଳି ଚରିଯାଇଥିବା

ଲେଖା ମୁଁ କେବେ ଦେଖେ ନାହିଁ ।

ମୁଁ ଯାହା କହିବାକୁ ଚାହେଁ,

ତାହା ସଜା ହୋଇଥିବା ଶବ୍ଦରେ ଆସେ ।

ମୋ କାମରେ ଲାଗେନି ହତାଶା,

ଯେହେତୁ ତାହା ମୋର ନୁହେଁ,

କେବଳ ନିରାପଦରେ ରଖିବା ପାଇଁ ମୋତେ ଦିଆଯାଇଛି ।

 

ତୁମେ ମୋ ରାସ୍ତା ବନ୍ଦ କଲେବି,

ମୋ ମୁହଁକୁ ଗାଡ଼େଇ ଚାହିଁଲେବି,

ମୁଁ ତୁମକୁ ଅତିକ୍ରମ କରିଯିବି

ଗହ୍ୱର ଧାରରେ,

ଯାହା କେଶଠାରୁବି ସୂକ୍ଷ୍ମ ।

 

ଡାହାଣ ପାଖରେ ମୋ ଘର,

ସବୁଦିଗରୁ ମୁଁ ତାକୁ ଜାଣେ-

ତାର ପାହାଚ, ପ୍ରବେଶ ଦ୍ୱାର,

ଯାହା ପଛରେ ବିନା ରଙ୍ଗରେ ଜୀବନ ଚାଲିଥାଏ,

ବେଂଚ ଉପରକୁ ବିରାଡ଼ି ଚଢ଼େ,

ସୀସାର ଜଳପାତ୍ର ଉପରେ ସୂର୍ଯ୍ୟକିରଣ ଝଲମଲ କରେ,

ଟେଟୁଲ ପାଖରେ ବସି ଜଣେ ହାଡ଼ୁଆ ମଣିଷ

ଘଣ୍ଟା ସଜାଡ଼ୁଥାଏ ।

Image

 

କେବେ ହୋଇନଥିବା ହିମାଳୟ ଅଭିଯାନ ଉପରେ ଏକ ଟିପ୍‌ପଣୀ

 

ତାହେଲେ ଏହା ହେଉଛି ହିମାଳୟ

ଜହ୍ନ ଆଡ଼କୁ ଦୌଡ଼ୁଥିବା ପାହାଡ଼ମାନେ,

ଆକାଶର ବିସ୍ମିତ, ଛିଣ୍ଡା କାନ୍‌ଭାସ୍‌ରେ

ଯାହାର ଆରମ୍ଭ ପଞ୍ଜିକୃତ,

ମେଘର ମରୁଭୂମିରେ କଣା ହୋଇଛି ଯେମିତି

ଶୂନ୍ୟତା ଭିତରେ ହଠାତ୍‌ ପଶିଯାଇଛି

ପ୍ରତିଧ୍ୱନି - ଏକ ଶ୍ଵେତ ବାକ୍‌ ହୀନତା,

ନୀରବତା;

‘ୟେତି' ସେଠାରେ ଆମେ ପାଇଛୁ ବୁଧବାର,

ରୁଟି ଓ ଅକ୍ଷର,

ଦୁଇ ଗୁଣେ ଦୁଇ ଚାର୍‌

ସେଠାରେ ଗୋଲାପର ରଂଗ ଲାଲ

ଏବଂ ବାଇଗଣୀ, ନୀଳ ।

ୟେତି, ଅପରାଧ ସବୁକିଛି ନୁହେଁ

ଆମେ ଉପରକୁ ଯାଇ ସେଇଠି ପହଞ୍ଚୁ,

ୟେତି, ସେଠାରେ ସବୁ ବାକ୍ୟର ଅର୍ଥ

ମୃତ୍ୟୁ ନୁହେଁ ।

ଆମେ ଆଶା ଉତ୍ତରାଧିକାର ସୂତ୍ରେ ପାଇଛୁ,

ଭୁଲିଯିବାର ପ୍ରତିଭା ।

ତୁ ଦେଖିବୁ, ଆମେ କିପରି ଜନ୍ମ ନେଉ

ଭଗ୍ନାବଶେଷ ମଧ୍ୟରେ ।

ୟେତି, ଆମେ ସେକ୍‌ସପିଅରଙ୍କୁ ସେଠାକୁ ନେଇଛୁ,

ୟେତି, ଆମେ ଖେଳୁ ସଲିଟେୟର,

ବଜାଉ ବେହେଲା, ରାତି ହେଲେ

ଆଲୁଅ ଜାଳୁ, ୟେତି ।

ଉପରେ ଏଇଠି, ନା ଜହ୍ନ ନା ପୃଥିବୀ,

ଲୁହ ଜମାଟ ବାନ୍ଧନ୍ତି ।

ହେ ୟେତି ଅଧା ଜହ୍ନ ମାନବ,

ପଛକୁ ଫେରି ଅନା, ଆଉ ଥରେ ଚିନ୍ତା କର ।

ମୁଁ ୟେତିକୁ ଏହା କହିଲି,

ବରଫ ସ୍ରୋତରେ, ଚାରି କାନ୍ଥ ଭିତରେ,

ଉଷ୍ମତା ପାଇଁ ପାଦ ବାଡ଼େଇ,

କେବେ ସରୁନଥିବା ବରଫ ଉପରେ ।

Image

 

ପରିଶିଷ୍ଟ

(ସିମ୍ବୋର୍ସ୍କାଙ୍କ ନୋବେଲ ବକ୍ତୃତାର ଓଡ଼ିଆ ଅନୁବାଦ)

 

ଯେକୌଣସି ଭାଷାରେ ପ୍ରଥମ ବାକ୍ୟଟି ସବୁଠାରୁ କଠିନ ବୋଲି କୁହାଯାଇଥାଏ । ଯାହାହେଉ, ମୁଁ ତ ପ୍ରଥମ ବାକ୍ୟଟିକୁ କହିସାରିଲିଣି । କିନ୍ତୁ ମୋର ମନେ ହୁଏ, ଯେଉଁ ବାକ୍ୟଗୁଡ଼ିକ ଆଗକୁ ଅଛନ୍ତି, ଯେମିତି ତୃତୀୟ, ଷଷ୍ଠ, ଦଶମ ଇତ୍ୟାଦି–ସେଗୁଡ଼ିକ ମଧ୍ୟ କିଛି କମ୍ କଠିନ ହେବେ ନାହିଁ, ଯେହେତୁ କବିତା ସମ୍ପର୍କରେ ମୁଁ ଭାଷଣ ଦେବା କଥା । ପ୍ରକୃତରେ ଏ ବିଷୟ ଉପରେ ମୁଁ ଖୁବ୍ କମ୍ କହିଛି; କିଛି କହିନାହିଁ କହିଲେ ଚଳିବ । ଆଉ ଯେତେବେଳେ ବି କିଛି କହିବାକୁ ଯାଇଛି, ମୁଁ ଯେ ସେତେ ପାରଙ୍ଗମ ନୁହେଁ, ଏପରି ଏକ ସନ୍ଦେହ ମୋ ମନରେ ସବୁବେଳେ ରହିଯାଇଛି । ଏହି କାରଣରୁ ମୋ ବକ୍ତବ୍ୟଟି ସଂକ୍ଷିପ୍ତ ହେବ । ଅଳ୍ପ ପରିମାଣରେ ପରିବେଷଣ କଲେ ତୃଟିପୂର୍ଣ୍ଣ ବକ୍ତବ୍ୟ ମଧ୍ୟ ସହନୀୟ ହୋଇଥାଏ ।

 

ସାଂପ୍ରତିକ ସମୟର କବିମାନେ ବିଶେଷ କରି ନିଜ ସମ୍ପର୍କରେ ସଂଶୟବାଦୀ ଓ ସନ୍ଦେହୀ ହେବା ଲକ୍ଷ୍ୟ କରାଯାଏ । ସର୍ବସାଧାରଣରେ କବି ବୋଲି ପରିଚୟ ଦେବା ପାଇଁ ସେମାନେ ଇଚ୍ଛା କରିନଥାନ୍ତି ଏପରିକି ଲଜ୍ଜ୍ୟା ବୋଧ କରିଥାନ୍ତି । କିନ୍ତୁ ଆମର କୋଳାହଳମୟ ସମୟରେ ନିଜ ଭୁଲ ସ୍ୱୀକାର କରିବା ଖୁବ୍ ସହଜ, ଅନ୍ତତଃ ଯଦି ତାହାକୁ ଆକର୍ଷଣୀୟ ଉପାୟରେ ପରିବେଷଣ କରାଯାଇପାରେ । ନିଜ ଉତ୍କର୍ଷକୁ ଚିହ୍ନିବାଠାରୁ ଏହା ସହଜ ଯେହେତୁ ଉତ୍କର୍ଷ କେଉଁ ଏକ ଗଭୀର ଇଲାକାରେ ଲୁଚି ରହିଥାଏ ଏବଂ କବିର ନିଜର ମଧ୍ୟ ସେଥିରେ ବିଶ୍ୱାସ ନଥାଏ । ପ୍ରଶ୍ନାବଳୀର ଉତ୍ତର ଦେବାବେଳେ ବା ଅଚିହ୍ନା ଲୋକ ସହିତ କଥା ହେବାବେଳେ, ଯେତେବେଳେ, ନିଜ ବୃତ୍ତିକୁ ଲୁଚାଇ ରଖି ହେବ ନାହିଁ, କବିମାନେ ଲେଖକ ଭାବରେ ନିଜର ପରିଚୟ ଦେଇଥାନ୍ତି ବା ଲେଖିବା ଛଡ଼ା ଆଉ କିଛି ବୃତ୍ତି ଥିଲେ ତାରି ମାଧ୍ୟମରେ ନିଜର ପରିଚୟ ଦେଇଥାନ୍ତି । ସରକାରୀ କର୍ମଚାରୀ ଓ ବସ୍‍ଯାତ୍ରୀମାନେ ଜଣେ କବି ସହିତ କଥା ହେଉଛନ୍ତି ବୋଲି ଜାଣିଲେ ସତର୍କ ହୋଇଯାଆନ୍ତି । ମୋର ମନେହୁଏ, ଦାର୍ଶନିକମାନଙ୍କ କ୍ଷେତ୍ରରେ ମଧ୍ୟ ସେହିପରି ପ୍ରତିକ୍ରିୟା ହୁଅନ୍ତା । ଅବଶ୍ୟ ସେମାନଙ୍କ ପରିସ୍ଥିତି ଅପେକ୍ଷାକୃତ ଭଲ, ଯେହେତୁ ସେମାନେ ନିଜ ବୃତ୍ତିକୁ ଏକ ପ୍ରକାର ବୌଦ୍ଧିକ ଆବରଣ ଦେଇପାରନ୍ତି–ଯେମିତି ମନେ କରନ୍ତୁ ଖୁବ୍ ବେଶୀ ସମ୍ମାନଜନକ ମନେହେଉଥିବା ପଦବୀ-ଦର୍ଶନଶାସ୍ତ୍ରର ପ୍ରଫେସର ।

 

କିନ୍ତୁ କବିତାର ପ୍ରଫେସର କେହି ନଥାନ୍ତି । ଯଦି ଥାଆନ୍ତେ, କବିତା ଲେଖିବା ପାଇଁ ସ୍ୱତନ୍ତ୍ର ଭାବେ ଅଧ୍ୟୟନ, ନିୟମିତ ପରୀକ୍ଷା, ଗ୍ରନ୍ଥସୂଚୀ ଓ ପାଦଟୀକା ସନ୍ନିହିତ ତତ୍ତ୍ୱମୂଳକ ପ୍ରବନ୍ଧ ଏବଂ ସର୍ବୋପରି ଉତ୍ସବରେ ପ୍ରଦତ୍ତ ଉପାଧିର ଆବଶ୍ୟକତା ମଧ୍ୟ ଥାଆନ୍ତା । ଅନ୍ୟ ଅର୍ଥରେ ପୃଷ୍ଠା ସୁନ୍ଦର କବିତା ଲେଖି ମଧ୍ୟ ଜଣେ କବି ହୋଇ ପାରନ୍ତା ନାହିଁ । ଆବଶ୍ୟକ ହୁଅନ୍ତା ସରକାରୀ ମୋହର ଲଗା କାଗଜ ଖଣ୍ଡେ । ଏଇଠି ଆମର ମନେପଡ଼ନ୍ତି ନୋବେଲ୍ ପୁରସ୍କାର ପାଇବାକୁ ଥିବା ରୁଷୀୟ କବିତାର ଗର୍ବ, ଜୋସେଫ ବ୍ରଡ୍‍ସ୍କି, ଯିଏ ଏହି କାରଣରୁ ନିର୍ବାସନ ଦଣ୍ଡ ପାଇଥିଲେ । କବି ହେବା ପାଇଁ ସରକାରୀ ପ୍ରମାଣପତ୍ର ନଥିବାରୁ ତାଙ୍କୁ ପରାଙ୍ଗପୁଷ୍ଟ ଆଖ୍ୟା ଦିଆଯାଇଥିଲା, ତାଙ୍କ ନିଜ ଦେଶରେ ।

 

ଅନେକ ବର୍ଷ ପୂର୍ବେ ବ୍ୟକ୍ତିଗତ ଭାବରେ ବ୍ରଡ୍‍ସ୍କିଙ୍କୁ ସାକ୍ଷାତ କରିବାର ଗୌରବ ଓ ଆନନ୍ଦ ମୋତେ ମିଳିଥିଲା । ସେତେବେଳେ ମୁଁ ଲକ୍ଷ୍ୟ କରିଥିଲି–ମୁଁ ଜାଣିଥିବା ସବୁ କବିମାନଙ୍କ ମଧ୍ୟରେ ସେ ହିଁ ଥିଲେ ଏକମାତ୍ର କବି ଯେ ଆନନ୍ଦରେ ନିଜକୁ କବି ବୋଲି ପରିଚୟ ଦେଉଥିଲେ । କବି ଶବ୍ଦଟିକୁ ସେ କୌଣସି କୁଣ୍ଠା ନରଖି କେବଳ ଉଚ୍ଚାରଣ କରୁଥିଲେ ତାହା ନୁହେଁ, ଏକ ସ୍ପର୍ଦ୍ଧିତ ସ୍ୱାଧୀନଚେତନା ସେଥିରେ ଫୁଟି ଉଠୁଥିଲା । ଯୁବକ ଅବସ୍ଥାରେ ଯେଉଁ ନିଷ୍ଠୁର ଅପମାନ ସବୁ ସେ ସହିଥିଲେ, ତାହା ହିଁ ବୋଧହୁଏ ତାଙ୍କୁ ଏପରି କରିଥିଲା ବୋଲି ମୋର ମନେହୁଏ ।

 

ମନୁଷ୍ୟର ଆତ୍ମ ମର୍ଯ୍ୟାଦା ଉପରେ ଏତେ ବେଶୀ ଆକ୍ରମଣ ହେଉନଥିବା ଅପେକ୍ଷାକୃତ ଭାଗ୍ୟବାନ ଦେଶମାନଙ୍କର କବିମାନେ ଅବଶ୍ୟ ଚାହାନ୍ତି ତାଙ୍କ କବିତା ଛପା ହେବ, ପାଠକମାନେ ତାକୁ ପଢ଼ିବେ ଓ ବୁଝିବେ । କିନ୍ତୁ ଏଥିପାଇଁ ସାଧାରଣ ଗୋଠ ଓ ନିତ୍ୟନୈମିତ୍ତକତାରେ ଊର୍ଦ୍ଧ୍ୱକୁ ଯିବାପାଇଁ ସେମାନଙ୍କର ଚେଷ୍ଟା ନଥାଏ । ତଥାପି ଖୁବ୍ ବେଶୀ ଦିନ ପୂର୍ବେ ନୁହେଁ, ଏଇ ଶତାବ୍ଦୀର ପ୍ରଥମ କେତୋଟି ଦଶକରେ କବିମାନେ ସେମାନଙ୍କ ଉଚ୍ଛୃଙ୍ଖଳ ବ୍ୟବହାର ଓ ଅଦ୍ଭୁତ ପୋଷାକ ଦ୍ୱାରା ଆମକୁ ଚମକାଇ ଦେଇଥିଲେ । କିନ୍ତୁ ଏ ସବୁ ଥିଲା ଲୋକ ଦେଖାଣିଆ । ସେଇ ମୁହୂର୍ତ୍ତଟି ସବୁବେଳେ ଆସୁଥିଲା, ସେତେବେଳେ କବିମାନେ ଦରଜା ବନ୍ଦ କରି ପୋଷାକ ଓ ଅନ୍ୟ ଆବରଣ ବାହାର କରିଦେଲେ, ନୀରବରେ ଓ ଧୈର୍ଯ୍ୟର ସହିତ ନିଜ ସହିତ ମୁକାବିଲା କରୁଥିଲେ–ନିଥର ଧଳା କାଗଜଟି କେବଳ ତାଙ୍କ ସାମ୍ନାରେ । ଏବଂ ପରିଶେଷରେ ଏହା ହିଁ ଅସଲ କଥା ।

 

ମହାନ୍ ବୈଜ୍ଞାନିକ ଓ କଳାକାରମାନଙ୍କ ଜୀବନୀକୁ ଆଧାର କରି ଅନେକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଯେଉଁ ସୃଜନଶୀଳ ପ୍ରକ୍ରିୟା ମାଧ୍ୟମରେ ବୈଜ୍ଞାନିକ ଆବିଷ୍କାର କିମ୍ବା ସର୍ବଶ୍ରେଷ୍ଠ କଳାକୃତି ସମ୍ଭବ ହୋଇପାରିଛି, ଉଚ୍ଚାଭିଳାସୀ ନିର୍ଦ୍ଦେଶକମାନେ ତାହାକୁ ହୃଦୟଗ୍ରାହୀ ହେବାପରି ଚିତ୍ରରୂପ ଦେବାଲାଗି ଚେଷ୍ଟା କରିଥାନ୍ତି । ପରୀକ୍ଷାଗାର, ଯନ୍ତ୍ରପାତି, ସାଧନ ସାମଗ୍ରୀ–ଏସବୁ ଚଳଚ୍ଚିତ୍ରରେ ଜୀବନ୍ତ ହୋଇଉଠନ୍ତି । ଏପରି ଦୃଶ୍ୟ ଦର୍ଶନ ମନରେ କିଛି ସମୟ ପାଇଁ ଆଗ୍ରହ ସୃଷ୍ଟି କରିପାରେ ।

 

ସତରେ କଣ ପରୀକ୍ଷାରୁ କିଛି କଳ୍ପିତ ଫଳ ମିଳିବ । ସେହିପରି ଚିତ୍ରକରଙ୍କ ବିଷୟରେ ଚଳଚ୍ଚିତ୍ର ଗୁଡ଼ିକ ଖବ୍ ଆକର୍ଷଣୀୟ ହୋଇଥାନ୍ତି, ଯେଉଁଥିରେ ଖ୍ୟାତନାମା ଚିତ୍ରକରଙ୍କ ଉତ୍ତରଣର ସମସ୍ତ ସୋପାନ ପ୍ରଥମ ପେନସିଲ୍ ରେଖାଠାରୁ ସର୍ବଶେଷ ତୂଳୀ ସ୍ପର୍ଶଯାଏ–ନିଚ୍ଛକ ଭାବରେ ଉପସ୍ଥାପିତ ହୋଇଥାଏ । ସଂଗୀତକାରଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ମଧ୍ୟ ସେମିତି : ସଂଗୀତ ମୂର୍ଚ୍ଛନାର ଆଦ୍ୟ ଉନ୍ମୀଳନଠାରୁ ସିମ୍ଫୋନୀର ସମଗ୍ରତା ପର୍ଯ୍ୟନ୍ତ ।

 

ଅବଶ୍ୟ ଏ ସବୁଥିରେ ସାଧାରଣ ଭାବରେ ବୁଝାଯାଉଥିବା ପ୍ରେରଣାକୁ ଖୋଜି ପାଇବା କଷ୍ଟ; କିନ୍ତୁ ସେଥିରେ ଅନ୍ତତଃ ଦେଖିବା ଓ ଶୁଣିବା ପାଇଁ କିଛି ଥାଏ ନିଶ୍ଚୟ । କିନ୍ତୁ କବିମାନଙ୍କ ସ୍ଥିତି ସବୁଠାରୁ ଖରାପ । ସେମାନଙ୍କ କାମରେ ଫଟୋ ଉତ୍ତୋଳନ କରିବା ଭଳି କିଛି ନଥାଏ । କେହି ଜଣେ ଟେବୁଲ ପାଖରେ ବସିଥାଏ ବା ସୋଫାରେ ଶୋଇଥାଏ–ନିଶ୍ଚଳଭାବରେ କାନ୍ଥ ବା ଛାତ ଉପରେ ଦୃଷ୍ଟି ନିବଦ୍ଧ କରି- କେତେବେଳେ କେମିତି ସାତଟି ଧାଡ଼ି ଲେଖି ଦେଉଥାଏ, ଆଉ ପନ୍ଦର ମିନିଟ୍ ପରେ ସେଥିରୁ ଗୋଟିଏ ଧାଡ଼ି କାଟି ଦେଉଥାଏ । ତା ପରେ ଆଉ ଘଣ୍ଟାଏ ବିତିଯାଏ–ଯେଉଁ ସମୟରେ କିଛି ହେଲେ ହୁଏ ନାହିଁ । କିଏ ବା କାହିଁକି ଏପରି ଘଟଣାକୁ ଆଗ୍ରହର ସହିତ ଲକ୍ଷ୍ୟ କରିବ ?

 

ମୋତେ ମଧ୍ୟ ବେଳେବେଳେ ଏଇ ପ୍ରଶ୍ନ କରାଯାଇଛି ଏବଂ ମୁ୍ଁ ପ୍ରଶ୍ନଟିକୁ ଏଡ଼ାଇ ଦେବାକୁ ଚେଷ୍ଟାକରିଛି । କିନ୍ତୁ ମୋର ଉତ୍ତର ହେଉଛି : ପ୍ରେରଣା କବି ନା କଳାକାରମାନଙ୍କର ଏକଚାଟିଆ ଅଧିକାର ନୁହେଁ । ସବୁବେଳେ କୌଣସି ନା କୌଣସି ଗୋଷ୍ଠୀର ଲୋକମାନଙ୍କ ନିକଟକୁ ପ୍ରେରଣା ଆସିବ । ଗୋଷ୍ଠୀଟି ଏପରି ଲୋକଙ୍କୁ ନେଇ ଗଢ଼ାହୋଇଥିବ ଯେଉଁମାନେ ସଚେତନ ଭାବରେ ନିଜ ବୃତ୍ତିକୁ ବାଛିଥିବେ ଏବଂ ନିଜ କାମଟିକୁ ଶ୍ରଦ୍ଧା ଓ ସୃଜନଶୀଳ ଢଙ୍ଗରେ କରୁଥିବେ । ଏଥିରୁ ଥିବେ ଡାକ୍ତର, ଶିକ୍ଷକ, ମାଳୀ ଇତ୍ୟାଦି–ଏହିପରି ଆହୁରି ଶହେ ବୃତ୍ତିର ତାଲିକା ମୁଁ ତିଆରି କରିପାରିବି । ନୂଆ ନୂଆ ଆହ୍ୱାନ ଆବିଷ୍କାର କରି ପାରିଲେ ସେମାନଙ୍କ କାମଟି ହୋଇଯାଏ ଏକ ଅବିଚ୍ଛିନ୍ନ ଦୁଃସାହସିକ ଯାତ୍ରା । ଅସୁବିଧା ବା ପ୍ରତିବନ୍ଧକ ସେମାନଙ୍କ କୌତୁହଳକୁ କେବେହେଲେ ବି କମାଇ ଦିଏ ନାହିଁ । ସେମାନେ ଗୋଟିଏ ସମସ୍ୟାର ସମାଧାନ କଲାବେଳକୁ ସେଥିରୁ ଆହୁରି ସହସ୍ର ପ୍ରଶ୍ନ ସୃଷ୍ଟି ହୁଅନ୍ତି । ଅନୁପ୍ରେରଣା ଯାହାହେଉନା କାହିଁକି, ଏହା ଏକ ଅବିଚ୍ଛିନ୍ନ ‘ମୁଁ ଜାଣେ ନାହିଁ’ ରୁ ହିଁ ଜନ୍ମ ନେଇଥାଏ ।

 

ଦେଖିବାକୁ ଗଲେ ଏମିତି ଲୋକ ଖୁବ୍ କମ୍ ଥାଆନ୍ତି । ପୃଥିବୀର ଅଧିକାଂଶ ଅଧିବାସୀ ଜୀବିକା ପାଇଁ କାମ କରନ୍ତି, ଏହା ଛଡ଼ା ତାଙ୍କର ଆଉ କିଛି ପନ୍ଥା ନଥାଏ । ଏଥିରେ ଶ୍ରଦ୍ଧା ନଥାଏ । କାମକୁ ମୂଲ୍ୟ ଦିଆଯାଏ, ଯେହେତୁ ଅନେକଙ୍କ ଭାଗ୍ୟରେ ସେତିକିବି ନଥାଏ । ଏହା ହେଉଛି ସବୁଠାରୁ ନିଷ୍ଠୁର ମାନବୀୟ ଦୁର୍ଭାଗ୍ୟ । ଆଗାମୀ ଶତାବ୍ଦୀ ମାନଙ୍କରେ ଏହି ପରିସ୍ଥିତିରେ ଯେ କିଛି ପରିବର୍ତ୍ତନ ହେବ ତାହାର ସୂଚନା ମିଳୁନାହିଁ ।

 

ଏହି କାରଣରୁ ଯଦିଓ ମୁଁ ଅନୁପ୍ରେରଣାକୁ କବି ମାନଙ୍କ ଏକଚାଟିଆ ସମ୍ପତ୍ତି ବୋଲି ସ୍ୱୀକାର କରେ ନାହିଁ, ତଥାପି ମୁଁ ଭାବେ ସେମାନେ ଭାଗ୍ୟର ପ୍ରିୟତମ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯିବେ ।

 

ଏଇଠି ମୋ ଶ୍ରୋତାମାନଙ୍କ ମନରେ କିଛି ସନ୍ଦେହ ଉପୁଜି ପାରେ । ଏକଛତ୍ର ଉତ୍ପୀଡ଼କ ଶାସକ, ମତାନ୍ଧ ବ୍ୟକ୍ତି, ଭାଷଣ ବାଜି କରି ଜନମତକୁ ପ୍ରଭାବିତ କରୁଥିବା ନେତା ଏମାନେ ମଧ୍ୟ ତାଙ୍କ ବୃତ୍ତିକୁ ଭଲ ପାଆନ୍ତି ଏବଂ ନିଜ କର୍ତ୍ତବ୍ୟକୁ ଭାରି ନିଷ୍ଠା ଓ ଉତ୍ସାହର ସହିତ ପାଳନ କରନ୍ତି । ହଁ, ଏକଥା ସତ । କିନ୍ତୁ ସେମାନେ ସମସ୍ତେ ଭାବନ୍ତି, ଯେମିତି ସବୁ କଥା ତାଙ୍କୁ ଜଣା । ସେମାନେ ଜାଣନ୍ତି ଏବଂ ଏକାଥରକେ ଯାହା ଜାଣଥାନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ବୋଲି ଭାବିନିଅନ୍ତି । କାଳେ ଆଉ କିଛି ଜାଣିଲେ ସେମାନଙ୍କ ଯୁକ୍ତିର ବଳିଷ୍ଠତା କମିଯିବ, ଏହି କାରଣରୁ ଅନ୍ୟ କୌଣସି ବିଷୟରେ ଜାଣିବା ପାଇଁ ସେମାନଙ୍କ ଇଚ୍ଛା ବା ଆଗ୍ରହ ନଥାଏ ।

 

ଯେଉଁ ଜ୍ଞାନ ନୂଆ ପ୍ରଶ୍ନ ସୃଷ୍ଟି କରେ ନାହିଁ, ତାହା ଶୀଘ୍ର ସରିଯାଏ ଓ ଜୀବନକୁ ସମ୍ଭାଳି ରଖିବା ପାଇଁ ଆବଶ୍ୟକ ଉତ୍ତାପ ଯୋଗାଇ ପାରେ ନାହିଁ । ଚରମ କ୍ଷେତ୍ରମାନଙ୍କରେ, ଏପରି ଜ୍ଞାନ ସମାଜ ପାଇଁ ଭୀଷଣ ହାନିକାରକ ହେବା କଥା, ପ୍ରାଚୀନ ଓ ଆଧୁନିକ ଇତିହାସରୁ ଜଣାପଡ଼େ । ଏଇଥିପାଇଁ ମୁଁ ସେଇ କ୍ଷୁଦ୍ର ‘ମୁଁ ଜାଣେ ନାହିଁ’ ବାକ୍ୟାଂଶଟିକୁ ଏତେ ଗୁରୁତ୍ୱ ଦିଏ । କଥାଟି ଛୋଟ ନିଶ୍ଚୟ । କିନ୍ତୁ ଏହା ବିଶାଳ ଡେଣା ଉପରେ ବସି ଉଡ଼ିପାରେ । ଏହା ଆମ ଜୀବନକୁ ପ୍ରସାରିତ କରିଦିଏ, ଯାହା ଭିତରକୁ ଆସିଯାଏ ଆମ ଭିତରେ ଥିବା କ୍ଷେତ୍ର ସବୁ ଓ ଆମର କ୍ଷୁଦ୍ର ପୃଥିବୀଟି ଝୁଲି ରହିଥିବା ବାହ୍ୟ ଜଗତର ସ୍ଥାନ ଗୁଡ଼ିକ ବଗିଚାରେ ଥିବା ଗଛମାନଙ୍କରୁ କୁଆପଥର ପରି ଆପେଲ୍‍ମାନ ହୁଏତ ଝଡ଼ି ପଡ଼ିଥାନ୍ତେ ଓ ଅତି ବେଶୀରେ ସେ ନଇଁପଡ଼ି ସେଗୁଡ଼ିକ ଉଠାଇ ନେଇ ଆନନ୍ଦରେ ଉଦରସ୍ଥ କରିଥାନ୍ତେ । ଯଦି ମୋ ସ୍ୱଦେଶବାସୀ ମେରୀ କ୍ୟୁରୀ ନିଜେ ନିଜକୁ କହି ନଥାନ୍ତେ ମୁଁ ଜାଣେ ନାହିଁ’, ବୋଧହୁଏ କୌଣସି ଘରୋଇ ହାଇସ୍କୁଲରେ ଉତ୍ତମ ପରିବାରରୁ ଆସିଥିବା କିଶୋରୀମାନଙ୍କୁ ରସାୟନ ବିଦ୍ୟା ପଢ଼ାଇବାରେ ତାଙ୍କ ବୃତ୍ତି ସୀମିତ ରହିଥାନ୍ତା । କିନ୍ତୁ ସେ ଅବିରାମ ଭାବରେ କହିଚାଲିଲେ, ‘ମୁଁ ଜାଣେ ନାହିଁ’ । ଏଇ ଶବ୍ଦ ଗୁଡ଼ିକ ତାଙ୍କୁ ଥରେ ନୁହେଁ, ଦୁଇଥର ଷ୍ଟକ୍‍ ହୋମ୍‍କୁ ଯିବାପାଇଁ ରାସ୍ତା ଦେଖାଇଥିଲା, ଯେଉଁଠି ବେଳେବେଳେ ଅସ୍ଥିର ଓ ଜିଜ୍ଞାସୁ ଆତ୍ମା ମାନଙ୍କୁ ନୋବେଲ ପୁରସ୍କାର ମିଳିଥାଏ ।

 

ଯଦି ଜଣେ ସଚ୍ଚା କବି ହୋଇଥିବ ସେ ସବୁବେଳେ କହି ଚାଲିବ, ‘ମୁଁ ଜାଣେ ନାହିଁ’ । ପ୍ରତ୍ୟେକ କବିତା ଏଇ ଉକ୍ତିଟିର ଉତ୍ତର ଖୋଜିବା ପାଇଁ ଏକ ପ୍ରୟାସ । କିନ୍ତୁ ଯେତେବେଳେ ନିର୍ଦ୍ଦିଷ୍ଟ ସମୟଟି ପୃଷ୍ଠାକୁ ଛୁଏଁ, କବି ସଂଶୟରେ ପଡ଼େ । ସେ ଅନୁଭବ କରିବାକୁ ଆରମ୍ଭ କରେ ଯେ ଏଇ ନିର୍ଦ୍ଦିଷ୍ଟ ଉତ୍ତରଟି ନିରୁତା ଭାବରେ ଅସ୍ଥାୟୀ ଏବଂ ଆଦୌ ପର୍ଯ୍ୟାପ୍ତ ନୁହେଁ । ତେଣୁ କବି ଚେଷ୍ଟା କରି ଚାଲେ, ଏବଂ ଶୀଘ୍ର ହେଉ ବା ବିଳମ୍ବରେ ହେଉ, ଏକ ‘ବଡ଼ କାଗଜ ଧରିବା ଚିମୁଟାରେ’ ଚିପାହୋଇ ରହିଥିବା ତାର ଆତ୍ମ ଅସନ୍ତୋଷର କ୍ରମାଗତ ଫଳ ସବୁ ଥାଆନ୍ତି । ଏହାକୁ ଶେଷରେ ସାହିତ୍ୟର ଐତିହାସିକ ମାନେ କବିର ସାମଗ୍ରିକ କୃତି ବୋଲି କହନ୍ତି ।

 

ବେଳେବେଳେ ମୁଁ ଏପରି ପରିସ୍ଥିତିର କଳ୍ପନା କରେ ଯାହା ସମ୍ଭବତଃ ସତ ହେବ ନାହିଁ-। ଉଦାହରଣ ସ୍ୱରୂପ ମୁଁ ଦୁଃସାହସିକତାର ସହ କଳ୍ପନା କରେ ଯେ ଧର୍ମୀୟ କବିଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ମୋତେ ମିଳିଛି । ମଣିଷର ସବୁ ସାଧନାର ନିଷ୍ଫଳତା ସମ୍ପର୍କରେ ସେ କବିତା ଲେଖିଛନ୍ତି । ମୁଁ ତାଙ୍କ ସମ୍ମୁଖରେ ନତ ମସ୍ତକ ହେଉଛି ଯେହେତୁ ସେ ସବୁଠାରୁ ମହାନ୍ କବିମାନଙ୍କ ମଧ୍ୟରେ ଅନ୍ୟତମ ।

 

ତା’ପରେ ମୁଁ ତାଙ୍କ ହାତକୁ ଧରିଛି ଏବଂ କହୁଛି ‘ପୃଥିବୀରେ ନୂଆ ବୋଲି କିଛି ନାହିଁ’, ଆପଣ ଏକଥା ଲେଖିଛନ୍ତି । କିନ୍ତୁ ଆପଣ ଯେତେବେଳେ ଭୂମିଷ୍ଠ ହୋଇଥିଲେ ସେତେବେଳେ ପୃଥିବୀରେ ନୂଆ ହୋଇ ଜନ୍ମ ହୋଇଥିଲେ । ଆପଣ ଯେଉଁ କବିତା ଲେଖିଲେ, ତାହା ନୂତନ ହିଁ ଥିଲା, ଯେହେତୁ ତାକୁ ପୂର୍ବରୁ କେହି ଲେଖି ନଥିଲେ । ଆପଣଙ୍କ ପାଠକ ପୃଥିବୀରେ ନୂଆ, ଯେହେତୁ ଆପଣଙ୍କ ପୂର୍ବରୁ ଯେଉଁମାନେ ବଞ୍ଚିଥିଲେ, ଆପଣଙ୍କ କବିତା ପଢ଼ିନଥିଲେ । ଆପଣ ଯେଉଁ ଦେବଦାରୁ ଗଛତଳେ ବସିଛନ୍ତି ତାହା ସମୟର ଆଦ୍ୟ ମୁହୂର୍ତ୍ତରୁ ନଥିଲା । ସେଇଟି ଆସିଛି ଏକାପରି ଆଉ ଏକ ଦେବଦାରୁ ଗଛରୁ । ତେଣୁ ହେ ଧର୍ମୀୟ କବିବର, ମୁଁ ଆପଣଙ୍କୁ ପଚାରିବି : ଏବେ କେଉଁ ନୂଆ ବିଷୟ ଉପରେ ଆପଣ କାମ କରିବାକୁ ଯୋଜନା କରୁଛନ୍ତି ? ଆପଣ ପ୍ରକାଣ କରି ସାରିଥିବା ଚିନ୍ତା ଉପରେ ଏକ ଅତିରିକ୍ତ ଭାବନା ବା ହୁଏତ ଆପଣ ପ୍ରକାଶ କରିସାରିଥିବା କୌଣସି ଚିନ୍ତାକୁ ଏବେ ଖଣ୍ଡନ କରିବା ପାଇଁ ଉଦ୍ୟମ ! ଆପଣଙ୍କ ପୂର୍ବ ସୃଷ୍ଟିର ଆପଣ ଆନନ୍ଦ କଥା ଉଲ୍ଲେଖ କରିଥିଲେ ଯଦିଓ ଏହା ଖୁବ୍ ଅସ୍ଥାୟୀ । ତେଣୁ ହୁଏତ ଆପଣଙ୍କ ନୂଆ ଲେଖା ହେବାକୁ ଥିବା କବିତାଟି ଆନନ୍ଦ ସମ୍ପର୍କରେ ହିଁ ହେବା । ଆପଣ କିଛି ଟିପି ରଖିଛନ୍ତି କି ? କିଛି ଖସଡ଼ା ଅଛିକି ଆପଣଙ୍କ ନିକଟରେ ଆଉ କିଛି ହୁଏ, ଆପଣ କହିବେ, ‘‘ମୁଁ ସବୁ କିଛି ଲେଖି ଦେଇଛି; ଯୋଡ଼ିବା ପାଇଁ ମୋ ନିକଟରେ ଆଉ କିଛି ନାହିଁ’ । କିନ୍ତୁ ପୃଥିବୀରେ ଏପରି କେହି କବି ନାହାନ୍ତି ଯେ ଏକଥା କହିବ । ଆପଣଙ୍କ ପରି ଜଣେ ମହାନ୍ କବି ଏହା କହିବାତ କେବେ ସମ୍ଭବ ନୁହେଁ ।

 

ଆମେ ଯେତେବେଳେ ବିଶ୍ୱର ବିଶାଳତାକୁ ଓ ନିଜ ନପାରିଲା ପଣ ଦେଖି ଭୟଭୀତ ହୋଇଯାଉ, ବ୍ୟକ୍ତିଗତ ଯନ୍ତ୍ରଣା ପ୍ରତି ବୀତସ୍ପୃହତା ଯେତେବେଳେ ଆମ ମନରେ ତିକ୍ତତା ଭରିଦିଏ–ସେ ଯନ୍ତ୍ରଣା ମଣିଷର, ପଶୁମାନଙ୍କର, ଏପରିକି ଉଦ୍ଭିଦମାନଙ୍କର ମଧ୍ୟ ହୋଇପାରେ–ଆମେ କଣ ନିଶ୍ଚିତ ହୋଇ ପାରିବୁ ଯେ ଉଦ୍ଭିଦ ମାନେ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ ? ବିଶ୍ୱର ବିସ୍ତୃତି ବିଷୟରେ ଆମେ ଯାହା ଚିନ୍ତାକରୁନା କାହିଁକି, ଯେଉଁ ବିସ୍ତୃତିକୁ ଭେଦ କରୁଥାଏ ତାରକାମାନଙ୍କ କିରଣ, ଯେଉଁ ବିସ୍ତୃତି ଚାରିପାଖେ କେତେ କେତେ ଗ୍ରହ, ଯାହା ଭିତରୁ କେତେ ଜନ୍ମ ହୋଇ ମରିଗଲେଣି, ଆଉ ଯେଉଁମାନଙ୍କୁ ଏଇ ମାତ୍ର ଆମେ ଆବିଷ୍କାର କରିଛୁ ? ଆମକୁ ଜମା ଜଣା ନାହିଁ-। ଆମେ ଏଇ ଅସୀମ ରଙ୍ଗମଞ୍ଚ ବିଷୟରେ ଯାହା ଭାବୁନା କାହିଁକି, ଏଠାକୁ ଆମେ ସଂରକ୍ଷିତ ଟିକେଟଟିଏ ନେଇ ଆସିଛୁ, ଯେଉଁ ଟିକେଟର ସମୟ ଅବଧି ହାସ୍ୟାସ୍ପଦ ଭାବରେ ସଂକ୍ଷିପ୍ତ–ଦୁଇଟି ଖାମ୍ ଖିଆଲି ତାରିଖରେ ସୀମାବଦ୍ଧ । ଏଇ ପୃଥିବୀ ବିଷୟରେ ଆମେ ଆଉ ଯାହା ଭାବୁନା କାହିଁକି, ଏହା ବାସ୍ତବରେ ବିସ୍ମୟଜନକ ।

 

କିନ୍ତୁ ବିସ୍ମୟଜନକ ବିଶେଷଣଟିରେ ଏକ ଯୌକ୍ତିକ ଯନ୍ତା ଲୁଚି ରହିଛି । ଆମେ ଆଶ୍ଚର୍ଯ୍ୟ ହୋଇଯାଉ ଯେତେବେଳେ ଭଲଭାବରେ ଜଣାଥିବା ଓ ସାର୍ବଜନୀନ ଭାବେ ସ୍ୱୀକୃତ ମାନଠାରୁ କିଛି ବ୍ୟତିକ୍ରମ ଦେଖାଯାଏ ବା ଆମେ ଅଭ୍ୟସ୍ତ ହୋଇଯାଇଥିବା କିଛି ସ୍ପଷ୍ଟତାଠାରୁ ଅନ୍ୟ କିଛି ଘଟେ । କଥା ହେଉଛି, ଏପରି କୌଣସି ସ୍ପଷ୍ଟ ପୃଥିବୀଟିଏ ବାସ୍ତବରେ ନଥାଏ । ଏମିତି ବିସ୍ମୟ ହିଁ ଆମଠାରେ ରହିଥାଏ ଏବଂ ଏହା ଅନ୍ୟ କାହାରି ସହିତ ତୁଳନା ଉପରେ ପର୍ଯ୍ୟବେସିତ ନୁହେଁ । ଏକଥା ସତ ଯେ ଦୈନନ୍ଦିନ ବ୍ୟବହାରରେ ଆମେ ପ୍ରତ୍ୟେକ ଶବ୍ଦକୁ ତଉଲିବା ସମ୍ଭବ ନଥାଏ ଏବଂ ଆମେ ‘ସାଧାରଣ ପୃଥିବୀ’, ‘ସାଧାରଣ ଜୀବନ’, ‘ସାଧାରଣ ଘଟଣା’ ପ୍ରବାହ ଇତ୍ୟାଦି ବାକ୍ୟାଂଶ ବ୍ୟବହାର କରିଥାଉ । କିନ୍ତୁ କବିତାର ଭାଷାରେ, ଯେଉଁଠି ପ୍ରତ୍ୟେକ ଶବ୍ଦକୁ ଓଜନ କରାଯାଏ, ସେଇଠି ସାଧାରଣ ବା ଅଭ୍ୟାସଗତ ବୋଲି କିଛି ନଥାଏ; ଗୋଟିଏ ବି ପଥର ବା ତା’ ଉପରେ ଗୋଟିଏ ବି ମେଘ, ଗୋଟିଏ ବି ଦିନ ବା ତା’ ପରେ ଗୋଟିଏ ବି ରାତି । ଏବଂ ସର୍ବୋପରି, ଗୋଟିଏ ବି ସ୍ଥିତି ନଥାଏ, ଏ ପୃଥିବୀରେ ନଥାଏ କାହାରି ସ୍ଥିତି ।

 

ଯାହା ଜଣାପଡ଼େ, କବିମାନଙ୍କର କାମ କ’ଣ ହେବ, ତାହା ସବୁବେଳେ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ ।

Image